Anugul Mahotsav: ପୱନଦୀପ ଓ ଅରୁଣିତାଙ୍କ ଗୀତରେ ଝୁମିଲେ ଦର୍ଶକ

author img

By

Published : Jan 20, 2023, 12:58 PM IST

ଅନୁଗୋଳ ଜିଲ୍ଲା ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା

ଅନୁଗୋଳ ଜିଲ୍ଲା ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ । ସୁରିଲା କଣ୍ଠରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲେ କଣ୍ଠଶିଳ୍ପୀ ପୱନଦୀପ ଓ ଅରୁଣିତା । ଅଧିକ ପଢନ୍ତୁ

ଅନୁଗୋଳ ଜିଲ୍ଲା ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା

ଅନୁଗୋଳ: ଜମୁଛି ଅନୁଗୋଳ ଜିଲ୍ଲା ମହୋତ୍ସବ । ପାଞ୍ଚଦିନ ଧରି ଚାଲିବାକୁ ଥିବା ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ଥିଲା ସବୁଠୁ ଅଲଗା । ମହୋତ୍ସବର ସନ୍ଧ୍ୟା ଆରମ୍ଭ ହୋଇଥିଲା ସ୍ଥାନୀୟ କଳାକାରଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାଯ୍ୟକ୍ରମରେ । ଜିଲ୍ଲାର ବିଭିନ୍ନ ବ୍ଲକର କଳାକାରମାନେ ପାଲା, ଦଣ୍ଡ ସମେତ ଅନେକ ଲୋକକଳା ପରିବେଷଣ କରିଥିଲେ । ପରେ ପରେ ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସହିତ ଜିଲ୍ଲାର ବିଧାୟକ ଓ ବିଭିନ୍ନ ଶିଳ୍ପ ସଂସ୍ଥାର ଅଧିକାରୀମାନେ ସନ୍ଧ୍ୟାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ରାଜ୍ୟ ପାଇଁ ଶିଳ୍ପ ଜିଲ୍ଲାର ଅବଦାନ, ସରକାରଙ୍କ ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ଅତିଥିମାନେ ନିଜ ନିଜ ମତ ଦେଇଥିଲେ । ସଭାକାର୍ଯ୍ୟ ପରେ ମଞ୍ଚରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ୟୁଟ୍ୟୁବର କମେଡିଆନ ରାଜୁ ଦାସ ବା ସାହୁ ବାବୁଙ୍କ କମେଡିରେ ହସି ହସି ବେଦମ୍ ହୋଇଥିଲେ ଅନୁଗୋଳବାସୀ । ଏହାପରେ ରିଆଲିଟି ସୋ ଇଣ୍ଡିଆନ ଆଇଡଲ ସିଜିନ ୧୨ର ବିଜେତା ପୱନଦୀପ ଓ ଅରୁଣିତା କାଞ୍ଜିଲାଲ ମଞ୍ଚରେ ଚାରଚାନ୍ଦ ଲଗାଇଥିଲେ । ନିଜର ସୁମଧୁର କଣ୍ଠରେ ଜିଲ୍ଲାବାସୀଙ୍କ ମନ୍ତ୍ରମୁଗ୍ଧ କରିଥିଲେ ଏହି ଦୁଇ କଣ୍ଠଶିଳ୍ପୀ ।

ପ୍ରଥମେ ଅରୁଣିତା ସଙ୍ଗୀତ ପରିବେଷଣ କରିଥିଲେ । ତାଙ୍କ ପରେ ମଞ୍ଚରେ ସଙ୍ଗୀତର ଯାଦୁ ଦେଖାଇଥିଲେ ପୱନଦୀପ ରାଜନ । ଶେଷରେ ଉଭୟ ଏକାସାଙ୍ଗରେ ଗୀତ ଗାଇ ଦର୍ଶକଙ୍କୁ ଝୁମାଇଥିଲେ । ଦୁହିଁଙ୍କ କଣ୍ଠର ସୁରିଲା ସଙ୍ଗୀତ ଦର୍ଶକଙ୍କୁ କିମିଆ କରିଥିଲା । ବିଳମ୍ବିତ ରାତି ଯାଏଁ ଏହି ସଙ୍ଗୀତକୁ ଉପଭୋଗ କରିଥିଲେ ଅନୁଗୋଳବାସୀ । ଆଜି ମହୋତ୍ସବର ତୃତୀୟ ସନ୍ଧ୍ୟା । ଆଜିର ସନ୍ଧ୍ୟାରେ ଆକର୍ଷଣ ସାଜିବେ ବଲିଉଡ କଣ୍ଠଶିଳ୍ପୀ ରାଜ ବର୍ମନ ଓ ଓଲିଉଡ ସିଙ୍ଗର ଗୌତମ ଗିରି ।

ଏହାମଧ୍ୟ ପଢନ୍ତୁ: ଅନୁଗୋଳ ମହୋତ୍ସବ, ପ୍ରଥମ ସନ୍ଧ୍ୟାରେ ବେନି ଦୟାଲ ପପ ଗୀତରେ ଝୁମିଲେ ଦର୍ଶକ

ବୁଧବାର ଅନୁଗୋଳ ଜିଲ୍ଲା ମହୋତ୍ସବର ପ୍ରଥମ ସନ୍ଧ୍ୟା ଥିଲା । ଏହି ଦିନ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ପ୍ଲେ ବ୍ୟାକ ସିଙ୍ଗର ବେନି ଦୟାଲ । ତାଙ୍କର ପପ୍ ସଙ୍ଗୀତ ସମସ୍ତଙ୍କ ମନ ଛୁଇଁଥିଲା । ଏହାସହ କମେଡିଆନ ବଣ୍ଟି ଓ ତାଙ୍କ ସହଯୋଗୀଙ୍କ କମେଡି ସମସ୍ତଙ୍କୁ ହସେଇ ହସେଇ ବେଦମ୍ କରିଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.