ETV Bharat / state

ପୁଣି ସାତକୋଶିଆକୁ ଆସିବ ମହାବଳ ବାଘ, ଚାଲିଛି କ୍ଷେତ୍ର ପ୍ରସ୍ତୁତି

author img

By

Published : May 26, 2023, 3:42 PM IST

Royal Bengal Tiger return satkosia
Royal Bengal Tiger return satkosia

ପୁଣି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବୁଲିବେ ମହାବଳ ବାଘ। ଏଥିପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ସମସ୍ତ ପ୍ରସ୍ତୁତି। ଏନଟିସିଏ କର୍ତ୍ତୃପକ୍ଷ ଘନ ଘନ ସାତକୋଶିଆ ଗସ୍ତ କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରୁଛନ୍ତି । ଏନଟିସିଏର ସବୁ ଗାଇଡ୍‌ଲାଇନ୍‌ ଶେଷ ହେବା ପରେ ବାଘ ଆଣିବାକୁ ଯୋଜନା ଚାଲିଛି । ଅଧିକ ପଢନ୍ତୁ

Royal Bengal Tiger return satkosia

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲକୁ ପୁଣି ଫେରିବ ମହାବଳ ବାଘ । ଦେଶର ପ୍ରଥମ ଆନ୍ତ ରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ଯେଉଁ କିଛି କାରଣ ପାଇଁ ବନ୍ଦ ରହିଥିଲା ଏବେ ତାହା କଯ୍ୟକାରୀ ହେବା ନେଇ ଆଶା ସଞ୍ଚାର ହୋଇଛି । କାହିଁକି ନା କ୍ଷେତ୍ର ପ୍ରସ୍ତୁତିରେ ଯେଉଁ ସବୁ ତ୍ରୁଟି ବିଚ୍ୟୁତ ରହିଥିଲା ସେଥିରେ ଏବେ ସୁଧାର ଅଣା ଯାଉଛି । କୋର ଏରିୟା ମଧ୍ୟରେ ଥିବା ଗାଁଗୁଡିକୁ ଉଚ୍ଛେଦ କରି ଅନ୍ୟତ୍ର ଥଇଥାନ ପାଇଁ ପ୍ରକ୍ରିୟା ଜାରି ରହିଛି । ପ୍ରଥମେ ରାଇଗୁଡା ଓ ଏବେ କଟରଙ୍ଗ ଗାଁ'କୁ ଉଚ୍ଛେଦ କରାଯାଇଛି । ଏହା ବ୍ୟତିତ ଅସନବାହାଳି ଟୁଲୁକା, ଭୁରକୁଣ୍ଡି ଆଦି ଗାଁ କୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ବନ ବିଭାଗ ପ୍ରୟାସ ଜାରି ରଖିଛି ।

ଯେଉଁ ଏନଟିସିଏ ଏହି ବ୍ୟାଘ୍ର ପ୍ରକଳ୍ପକୁ ଅସ୍ଥାୟୀ ରୂପେ ବନ୍ଦ କରିଥିଲା, ସେହି ଏନଟିସିଏ (NTCA) ଅଧିକାରୀମାନେ ସାତକୋଶିଆକୁ ଘନଘନ ଗସ୍ତ କରୁଛନ୍ତି । ନିକଟରେ ଏନଟିସିଏର ମେମ୍ବର ସେକ୍ରେଟାରୀ ତଥା ଏଡିଜି, ଏସପି ଯାଦବ ଓ ତାଙ୍କ ଟିମ୍‌ ଆସି ଅନୁଗୋଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ପ୍ରଶାସନ ଓ ବନ ବିଭାଗ କିଭଳି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ସେନେଇ ଆଲୋଚନା କରିବା ସହ ଚାଲିଥିବା କ୍ଷେତ୍ର ପ୍ରସ୍ତୁତିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏହି ଟିମ୍‌ । ଏନେଇ ସୂଚନା ଦେଇଛନ୍ତି ଅନୁଗୋଳ ଜିଲ୍ଲାପାଳ । ଆନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ଚୁକ୍ତି ଅନୁସାରେ ଆଗାମୀ ଦିନରେ ଆହୁରି 2 ଯୋଡ଼ା ବାଘ ଆଣିବାକୁ ବିଭାଗ ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି । ପୂର୍ବରୁ ଚୁକ୍ତି ଅନୁସାରେ 3 ଯୋଡ଼ା ବାଘ ଆଣିବାର ପ୍ରସ୍ତାବ ରହିଛି । ପ୍ରଥମ ପର୍ଯ୍ୟାୟରେ ଏକ ଯୋଡ଼ା ବାଘ ଓ ବାଘୁଣୀ ଆଣା ଯାଇଥିବା ବେଳେ ଫାସରେ ପଡି ବାଘରମୃତ୍ୟୁ ଓ ବାରମ୍ବାର ମଣିଷ ଶିକାର କରିବା ପରେ ବାଘୁଣୀକୁ ଫେରାଇ ନିଆଯାଇଥିଲା ।

ସାତକୋଶିଆକୁ ପୁଣି ବାଘ ଆସିବେ । ପୁଣି ଆରମ୍ଭ ହେବ ଦେଶର ପ୍ରଥମ ଆନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ । ତେବେ ଏନେଇ ସ୍ଥାନୀୟ ଲୋକେ ନିଜର ପ୍ରତିକ୍ରିୟା ରଖିଛନ୍ତି । କିଛି ଲୋକ ବିଭାଗର ଅପାରଗତା ଓ ପରିଚାଳନା ଗତ ତ୍ରୁଟିକୁ ଦାୟୀ କରିଛନ୍ତି । ଯାହାପାଇଁ ଆସିଥିବା ବାଘମାନେ ସୁରକ୍ଷିତ ରହି ପାରିଲେ ନାହିଁ । ଶିକାର ଫାସରେ ପଡି ବାଘର ମୃତ୍ୟୁକୁ ନେଇ ଲୋକେ ସମାଲୋଚନା କରିଛନ୍ତି । ଏହା ବ୍ୟତିତ ଯେଉଁ ବାଘୁଣୀ ଜଙ୍ଗଲରେ ନ ରହି ଜନବସତି ମୁହାଁ ହେଲା ଆଉ ତାର ଆକ୍ରମଣରେ ଦୁଇ ଦୁଇ ଜଣ ଲୋକଙ୍କର ମୃତ୍ୟୁ ହେଲା ସେଥିପାଇଁ ବିଭାଗୀୟ ଦାୟିତ୍ଵ ହୀନତାକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି ।

ଯଦି ପୁଣି ବାଘ ଅଣାଯାଏ ଓ ତାକୁ ଠିକରେ ପରିଚାଳନା କରା ନା ଯାଏ ତେବେ ପୂର୍ବ ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରିଛନ୍ତି ଲୋକେ । ତେଣୁ ବିଭାଗ ବାଘ ଆଣନ୍ତୁ କିନ୍ତୁ ତାର ସୁରକ୍ଷା ବି ସୁନିଶ୍ଚିତ କରାଯାଉ । କାରଣ ସୁରକ୍ଷା ନ ମିଳିବାରୁ ଦିନ ଥିଲା ସାତକୋଶିଆରେ 30 ମହାବଳ ବାଘ ଥିଲେ । କିନ୍ତୁ କାଳକ୍ରମେ ଏବେ ବାଘ ଶୂନ୍ୟ ହୋଇଛି ସାତକୋଶିଆ । ଯଦି ବିଭାଗ ନିଜର ପୁରୁଣା ଭୁଲକୁ ସୁଧାରି ଲୋକଙ୍କ ସହ ଆଲୋଚନାରେ ଓ ସହମତିରେ ଏହି ପ୍ରକଳ୍ପକୁ ଆଗେଇ ନେବ ତେବେ ଏହା ଦେଶରେ ନାଁ କରିବ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.