ରାଇଗୋଡା ଗାଁ ସ୍ଥାନାନ୍ତରକୁ ପୁରିଲା 5 ବର୍ଷ, ବିସ୍ଥାପିତଙ୍କୁ ମିଳୁନାହିଁ ମୌଳିକ ସୁବିଧା

author img

By

Published : Nov 18, 2022, 8:54 PM IST

ରାଇଗୋଡା ଗାଁ ସ୍ଥାନାନ୍ତରକୁ ପୁରିଲା 5 ବର୍ଷ,  ବିସ୍ଥାପିତଙ୍କୁ ମିଳୁନାହିଁ ମୌଳିକ ସୁବିଧା

ରାଇଗୋଡା ଗାଁ ସ୍ଥାନାନ୍ତରକୁ ପୁରିଲା 5 ବର୍ଷ । ବିସ୍ଥାପିତଙ୍କୁ ମିଳୁନାହିଁ ମୌଳିକ ସୁବିଧା । ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ରାଇଗୋଡା ଗାଁ ଅନ୍ୟତ୍ର ସ୍ଥାନାନ୍ତର ହେବାର ବିତିଯାାଇଛି ୫ ବର୍ଷ । ହେଲେ ସେମାନଙ୍କୁ ମିଳି ପାରି ନାହିଁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି କୌଣସି ମୌଳିକ ସୁବିଧା । ଅଧିକ ପଢନ୍ତୁ

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ରାଇଗୋଡା ଗାଁ ଅନ୍ୟତ୍ର ସ୍ଥାନାନ୍ତର ହେବାର ବିତିଯାାଇଛି ୫ ବର୍ଷ । ହେଲେ ଏବେବି ଲୋକଙ୍କ ଜୀବନ ଜୀବିକାରେ ହୋଇପାରି ନାହିଁ ଉନ୍ନତି । ସେମାନଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି କୌଣସି ମୌଳିକ ସୁବିଧା ମିଳି ପାରି ନାହିଁ । ଜଙ୍ଗଲ ଭିତରୁ ଆସି ପୁଣିଥରେ ଜଙ୍ଗଲ ଭିତରେ ଜଙ୍ଗଲୀ ଜୀବନ ଅତିବାହିତ କରୁଛନ୍ତି । ଅନେକ ପ୍ରତିଶୃତି ଦେଇ ପ୍ରଶାସନ ଓ ବନ ବିଭାଗ ସେମାନଙ୍କୁ ସ୍ଥାନାନ୍ତର କରି ଭୁଲିଗଲେ ସେମାନଙ୍କ ଦାୟିତ୍ବ ।

ରାଇଗୋଡା ଗାଁ ସ୍ଥାନାନ୍ତରକୁ ପୁରିଲା 5 ବର୍ଷ, ବିସ୍ଥାପିତଙ୍କୁ ମିଳୁନାହିଁ ମୌଳିକ ସୁବିଧା

ସୂଚନା ଅନୁଯାୟୀ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର ଏରିଆ ଭିତରେ ଥିବା ରାଇଗୋଡା ଗାଁକୁ ଗତ ୨୦୧୭ ଡିସେମ୍ବର ମାସରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ସେପଟେ ସାରୁଆଳି ନିକଟସ୍ଥ ଏକ ପାହାଡ ତଳେ ଥିବା ମାତ୍ର ୧୭ ଏକର ଜମି ସେମାନଙ୍କୁ ଦିଆ ଯାଇଥିଲା । ସେତେବେଳେ ୭୮ଟି ପରିବାରକୁ ସ୍ଥାନାନ୍ତର କରାଯାଇ ପ୍ରତ୍ୟକ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏଁ ଦିଆ ଯାଇଥିଲା ଆର୍ଥିକ ସହାୟତା । ତେବେ ଏନେଇ ରାଇଗୋଡା ଗାଁରେ ବେସରକାରୀ ଓ ସରକାରୀ ଜମି ପ୍ରାୟ ୪୦୦ଏକର ଥିବା ବେଳେ ସେହି ଜମିରେ ଲୋକଙ୍କ ଘରବାଡି ସମେତ ଗୋଚର, ଚାଷ ଜମି, ଶ୍ମଶାନ ଆଦି ରହିଥିଲା । ସ୍ଥାନାନ୍ତର ବେଳେ ଗ୍ରାମବାସୀଙ୍କୁ ଏ ସବୁ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆ ଯାଇଥିଲା । କିନ୍ତୁ ମାତ୍ର ୧୭ ଏକର ଜମି ଯୋଗାଇ ଦେଇ ଚୁପ ରହିଲେ ବନ ବିଭାଗ ଓ ପ୍ରଶାସନ ।

ଏହା ମଧ୍ୟ ପଢନ୍ତୁ: ଅଭୟାରଣ୍ୟରୁ ହେବ ଗାଁ ଉଚ୍ଛେଦ: ଲୋକେ ଅମଙ୍ଗ, ପ୍ରକ୍ରିୟାରେ ଲାଗିଛି ବିଭାଗ

ଏନେଇ ଜମି ଅଭାବରୁ ଏବେ ସୁଦ୍ଧା ସବୁ ପରିବାରକୁ ଆବାସ ଯୋଜନାରେ ଘର ଦିଆଯାଇ ନାହିଁ । ଲୋକଙ୍କ ପାଇଁ ପୋଖରୀ, ଗୋଚର ଜମି କିଛି ନାହିଁ । ଶ୍ମଶାନ ନ ଥିବାରୁ ପଡୋଶୀ ଗାଁ ଶ୍ମଶାନ ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ । ଚାଷ ବାସ ପାଇଁ ଜମି ଖଣ୍ଡେ ନାହିଁ । ଭିଟାମାଟି ଛାଡି ଆସିଥିଲେ ମଧ୍ୟ ସେମାନଙ୍କୁ କର୍ମ ସଂସ୍ଥାନ ମିଳୁ ନାହିଁ । ସେଠାରେ ଜଙ୍ଗଲରୁ ବିଭିନ୍ନ ଜିନିଷ ସଂଗ୍ରହ କରୁଥିବା ବେଳେ ବର୍ଷରେ ଦୁଇଥର ଧାନ ଫସଲ ହେଉଥିଲା । ପନି ପରିବା ଓ ଡାଲି ଜାତୀୟ ଫସଲ କରି ଖାଉଥିଲେ ଗ୍ରାମବାସୀ । ହେଲେ ଏଠାରେ ସେମାନେ ହାତ ବାନ୍ଧି ବସିଛନ୍ତି । ରୋଜଗାର ନଥିବାରୁ ଯାହା ଆର୍ଥିକ ସହାୟତା ମିଳିଥିଲା ତାହା ମଧ୍ୟ ଶେଷ ହେବାକୁ ବସିଲାଣି । ଏଭଳି ପରିସ୍ଥିତିରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଗ୍ରାମବାସୀ । ଯାହାକୁ ଗୁହାରି କଲେ ମଧ୍ୟ କେହି ସେମାନଙ୍କ ଦୁଃଖ ବୁଝୁ ନଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବ୍ୟାଘ୍ର ପ୍ରକଳ୍ପ ପାଇଁ ବନ ବିଭାଗର ଗାଁ ଉଚ୍ଛେଦ, ଗ୍ରାମବାସୀଙ୍କ ବିରୋଧ

ଅନ୍ୟପଟେ ନୂଆଖେତା ଠାରୁ ନୂଆ ରାଇଗୋଡା ପର୍ଯ୍ୟନ୍ତ ପ୍ରାୟ ଦୁଇ କିମି ମାଟି ରାସ୍ତା ଅତ୍ୟନ୍ତ ଦୁର୍ଗମ । ରାସ୍ତାର ଉଭୟ ପାର୍ଶ୍ଵରେ ରହିଛି ଘଞ୍ଚ ଜଙ୍ଗଲ । ଦିନ ଦ୍ବିପହରେ ବଣୁଆ ହାତୀପଲ ବୁଲୁଛନ୍ତି । ତେଣୁ ସନ୍ଧ୍ୟା ହେଲେ ସେହି ରାସ୍ତାରେ ଯିବା ଆସିବା କରିବା ନିରାପଦ ମଣୁନାହାନ୍ତି ଗ୍ରାମବାସୀ । ଏଭଳି ପରିସ୍ଥିତିରେ ଗାଁରେ ସ୍କୁଲଟିଏ ନ ଥିବାରୁ ପିଲାମାନେ ଜଙ୍ଗଲ ରାସ୍ତା ଦେଇ ଅନ୍ୟ ଗାଁ ସ୍କୁଲକୁ ଯାଇ ପାରୁ ନାହାନ୍ତି । ତେଣୁ ଶିକ୍ଷାର ଆଲୋକ ଏଠାରେ ପଡି ପାରୁ ନାହିଁ । ଅସମୟରେ ଗୁରୁତର ରୋଗୀକୁ ଡାକ୍ତରଖାନା ନେବା ସମ୍ଭବ ହୋଇ ପାରୁ ନାହିଁ ।

ଏହା ମଧ୍ୟ ପଢନ୍ତୁ- ଜଙ୍ଗଲ ଗାଁ ଅଶନବାହାଳ ଦେଖିବ ନୂଆ ଦୁନିଆ, ବଦଳିବ ଗ୍ରାମ ଠିକଣା

ସେହିପରି ପାନୀୟ ଜଳ ଯୋଗାଣ ପାଇଁ ଗାଁରେ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ସେହି ପାଣି ପିଇବା ଉପଯୋଗୀ ହୋଇ ପାରୁ ନାହିଁ । ଫଳରେ ଏବେବି ଝରଣା ପାଣି ପିଉଛନ୍ତି ଗ୍ରାମବାସୀ । ସ୍ଥାନାନ୍ତର ସମୟରେ ଗ୍ରାମବାସୀ ସେମାନଙ୍କର ଏହି ସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ୨୨ଦଫା ଦାବି ଦେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବନ ବିଭାଗ କି ପ୍ରଶାସନ କାହାର ହେଲେ ନଜର ପଡୁ ନଥିବା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.