ETV Bharat / state

ଅଭୟାରଣ୍ୟରୁ ହେବ ଗାଁ ଉଚ୍ଛେଦ: ଲୋକେ ଅମଙ୍ଗ, ପ୍ରକ୍ରିୟାରେ ଲାଗିଛି ବିଭାଗ

author img

By

Published : Sep 14, 2022, 10:43 PM IST

ପ୍ରକ୍ରିୟାରେ ଲାଗିଛି ବିଭାଗ
ପ୍ରକ୍ରିୟାରେ ଲାଗିଛି ବିଭାଗ

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ପୁନରୁଦ୍ଧାର ପାଇଁ ଗୋଟିଏ ପରେ ଗୋଟିଏ ଗାଁ ଉଛେଦ କରାଯାଉଛି । ପୂର୍ବରୁ ରାଇଗୋଡା, କଟରଙ୍ଗ ଉଛେଦ ହୋଇ ସାରିଛି । ଅସନବାହାଲ ଗାଁ ଉଛେଦର ସମସ୍ତ ପ୍ରକ୍ରିୟା ସରିଛି । ଏବେ ପୁରୁଣାକୋଟ ରେଞ୍ଜ ଗୋପାଳପୁର ଗାଁ ଅଭୟାରଣ୍ୟରୁ ହେବ ଗାଁ ଉଚ୍ଛେଦ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା (village to relocate from sanctuary)। ତେବେ କିଛି ଲୋକ ଗାଁରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ରାଜି ଥିବା ବେଳେ ୩୫ରୁ ଅଧିକ ଆଦିବାସୀ ପରିବାର ଭିଟାମାଟି ଛାଡି ଯିବାକୁ ଚାହୁଁ ନାହାନ୍ତି। ଅଧିକ ପଢନ୍ତୁ

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ପୁନରୁଦ୍ଧାର ପାଇଁ ଗୋଟିଏ ପରେ ଗୋଟିଏ ଗାଁ ଉଚ୍ଛେଦ କରାଯାଉଛି । ପୂର୍ବରୁ ରାଇଗୋଡା, କଟରଙ୍ଗ ଉଛେଦ ହୋଇ ସାରିଛି। ଅସନବାହାଲ ଗାଁ ଉଚ୍ଛେଦର ସମସ୍ତ ପ୍ରକ୍ରିୟା ସରିଛି (village to relocate from sanctuary) । ଏବେ ପୁରୁଣାକୋଟ ରେଞ୍ଜ ଗୋପାଳପୁର ଗାଁ ଉଚ୍ଛେଦ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ତେବେ କିଛି ଲୋକ ଗାଁରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ରାଜି ଥିବା ବେଳେ ୩୫ରୁ ଅଧିକ ଆଦିବାସୀ ପରିବାର ଭିଟାମାଟି ଛାଡି ଯିବାକୁ ଚାହୁଁ ନାହାନ୍ତି। ଏହାକୁ ନେଇ ବନ ବିଭାଗ ଓ ଆଦିବାସୀ ପରିବାର ଗୁଡିକ ମଧ୍ୟରେ ଚାଲିଛି ଛକାପଞ୍ଝା ।

ଅଭୟାରଣ୍ୟରୁ ହେବ ଗାଁ ଉଚ୍ଛେଦ

ସାତକୋଶିଆରେ ମଧ୍ୟପ୍ରଦେଶରୁ ଆସିଥିବା ମହାବଳର ମୃତ୍ୟୁ ଓ ବାଘୁଣୀ କୁ ପୁଣି ଥରେ ଫେରାଇ ନେବା ପରେ ବ୍ୟାଘ୍ର ପ୍ରକଳ୍ପ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ତେବେ ସାତକୋଶିଆରେ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରି ପୁଣି ଥରେ ବାଘ ଛାଡିବା ପାଇଁ ନିଷ୍ପତ୍ତି ନିଆ ଯାଇଛି। ସେଥିପାଇଁ କୋର ଏରିଆ ଭିତରେ ଥିବା ଗୋଟିଏ ପରେ ଗୋଟିଏ ଗାଁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି। ଏବେ ପୁରୁଣାକୋଟ ବନାଞ୍ଚଳରେ ଥିବା ଗୋପାଳପୁର ଗାଁକୁ ସ୍ଥାନାନ୍ତର କରିବାକୁ ବନ ବିଭାଗ ପ୍ରୟାସ ଆରମ୍ଭ କରି ଦେଇଛି। ଗାଁରେ ପ୍ରାୟ ୧୫୦ରୁ ଅଧିକ ପରିବାର ବସବାସ କରନ୍ତି। ଜଙ୍ଗଲକୁ ଲାଗି ଗାଁଟି ଥିବାରୁ ସବୁବେଳେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ବଢୁଛି। ତେଣୁ କୌଣସି ଫସଲ ହୋଇ ନପାରି ଏକର ଏକର ଜମି ପଡିଆ ପଡୁଛି। ଅନେକ ସମୟରେ ହାତୀ ଗାଁ ଭିତରେ ପଶି ଘର ଭାଙ୍ଗିବା ସହ ମଣିଷ ମାରୁଛନ୍ତି। ଲୋକଙ୍କ ଜୀବନ ଜୀବିକା ଉଜୁଡି ଯାଇଛି। ଭୟରେ ଦିନ କାଟୁଛନ୍ତି ଲୋକେ। ଏହି ସବୁ କାରଣ ପାଇଁ ଅଧିକାଂଶ ଲୋକ ଗାଁ ଛାଡି ଅନ୍ୟତ୍ର ଚାଲିଯିବାକୁ ଚାହୁଁଛନ୍ତି। ଏପରିକି ସେମାନେ ଲିଖିତ ଭାବେ ସାତକୋଶିଆ ଡିଏଫଓଙ୍କୁ ଲିଖିତ ଭାବେ ଆବେଦନ କରିଛନ୍ତି। କିନ୍ତୁ ଗାଁର ପ୍ରାୟ ୩୫ଟି ଆଦିବାସୀ ପରିବାର ନିଜର ଭିଟା ମାଟି ଛାଡି ଯିବାକୁ ଆଦୌ ରାଜି ନାହାନ୍ତି। ଏହାକୁ ନେଇ ଗାଁ ଛାଡି ଚାଲିଯିବାକୁ ଚାହୁଁଥିବା ଲୋକେ ଏବଂ ବନ ବିଭାଗ ଚିନ୍ତାରେ ପଡ଼ି ଯାଇଛନ୍ତି।କିଛି ଦିନ ପୂର୍ବେ ଖୋଦ ଡିଏଫଓ, ଏସିଏଫ ଏବଂ ରେଞ୍ଜରଙ୍କ ସମେତ ବହୁ ବନ କର୍ମଚାରୀ ସେମାନଙ୍କୁ ବୁଝାସୁଝା କରିଥିଲେ ।

ଏହି ଆଦିବାସୀ ପରିବାର ଗୁଡିକ ଆବହମାନକାଳରୁ ସେଠାରେ ପୁରୁଷାନୁକ୍ରମେ ରହି ଆସୁଛନ୍ତି । ପ୍ରାୟ ୪୦ବର୍ଷ ପୂର୍ବେ ସେମାନଙ୍କୁ ତତ୍କାଳୀନ ସରକାର ଆବାସ ଯୋଗାଇ ଦେଇଥିଲେ। ସେମାନଙ୍କର ଜମିବାଡ଼ି କିଛି ନାହିଁ । ଭାଙ୍ଗି ରୁଜି ଯାଇଥିବା ସେହି ଘର ହିଁ ସେମାନଙ୍କର ସମ୍ବଳ। ଜଙ୍ଗଲରୁ କାଠ, ଲାଖ, ଝୁଣା, ଶାଳ ପତ୍ର ଓ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷୁଛନ୍ତି। ବିଭିନ୍ନ ସମୟରେ ସେମାନେ ଜଙ୍ଗଲରୁ ଛତୁ, ଫଳମୂଳ ଓ କନ୍ଦା ସଂଗ୍ରହ କରି ଖାଉଛନ୍ତି। ଏଠାରୁ ଅନ୍ୟତ୍ର ଯାଇ କୋଉଠି ରହିବେ, କଣ ଖାଇବେ ବୋଲି ସେମାନେ ଓଲଟା ପ୍ରଶ୍ନ କରିଛନ୍ତି। ଏହାଛଡା ଯାହା କ୍ଷତିପୂରଣ ମିଳିବ କିଛି ଦିନ ପରେ ତାହା ଶେଷ ହୋଇଯିବ। ସେତେବେଳେ ସେମାନେ କଣ କରିବେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ତେଣୁ ସେମାନେ ଯେଉଁଠି ଅଛନ୍ତି ଭଲରେ ରହୁଛନ୍ତି। ଜଙ୍ଗଲୀ ଲୋକ। ଜଙ୍ଗଲୀ ଜୀବନ ଅତିବାହିତ କରୁଛନ୍ତି। ସରକାର ଯଦି ସେମାନଙ୍କର ଭଲ ଚାହୁଁଛନ୍ତି ତେବେ ସେମାନଙ୍କର ଭାଙ୍ଗି ଯାଇଥିବା ଘର ଗୁଡିକ ମରାମତି କରନ୍ତୁ। ସେମାନଙ୍କୁ ପର୍ଯ୍ୟାପ୍ତ କାମଧନ୍ଦା ଯୋଗାଇ ଦିଅନ୍ତୁ। ଅନେକ ଗରିବ ଅସହାୟ ଲୋକ ଅଛନ୍ତି। ସେମାନଙ୍କୁ ଭତା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଅନ୍ତୁ। ଅନ୍ୟତ୍ର ସ୍ଥାନାନ୍ତର କରିବା କଥା ଆଦୌ ଚିନ୍ତା କରନ୍ତୁ ନାହିଁ ବୋଲି ରୋକ ଠୋକ ଶୁଣାଇ ଦେଇଛନ୍ତି। ଆଗକୁ ବନ ବିଭାଗ କିଭଳି ପଦକ୍ଷେପ ଗ୍ରହଣ କରିବା ତାହା ସେତେବେଳେ ଜଣାପଡିବ ।

ବନ ବିଭାଗ ଲୋକଙ୍କ ସୁବିଧା ଅସୁବିଧା କଥା ଚିନ୍ତା ନକରି ଗାଁ ଉଛେଦ ପାଇଁ ତରବରିଆ ନିଷ୍ପତ୍ତି ନେଉଛି। ପୂର୍ବରୁ ସ୍ଥାନାନ୍ତର ହୋଇଥିବା ଦୁଇଟି ଗାଁର ଲୋକେ ଏବେ ସୁଦ୍ଧା ସମସ୍ତ ପ୍ରକାର ମୌଳିକ ସୁବିଧା ପାଇ ନାହାନ୍ତି। ଲୋକେ ବନ୍ୟଜନ୍ତୁ ଉପଦ୍ରଵ ଭୟରେ ଲୋକେ ବାଧ୍ୟ ହୋଇ ଗାଁ ଛାଡିବାକୁ ଚାହୁଁଛନ୍ତି। ଯାହାର ସୁଯୋଗ ବନ ବିଭାଗ ନେଉଛି ବୋଲି ଅଭିଯୋଗ ହେଉଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.