ETV Bharat / state

ଜଙ୍ଗଲ ଗାଁ ଅଶନବାହାଳ ଦେଖିବ ନୂଆ ଦୁନିଆ, ବଦଳିବ ଗ୍ରାମ ଠିକଣା

author img

By

Published : Nov 17, 2022, 11:42 AM IST

ଜଙ୍ଗଲ ଗାଁ ଅଶନବାହାଳ ଦେଖିବ ନୂଆ ଦୁନିଆ, ବଦଳିବ ଗ୍ରାମ ଠିକଣା
ଜଙ୍ଗଲ ଗାଁ ଅଶନବାହାଳ ଦେଖିବ ନୂଆ ଦୁନିଆ, ବଦଳିବ ଗ୍ରାମ ଠିକଣା

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରୁ ସ୍ଥାନାନ୍ତର ହେବ ଜଙ୍ଗଲ ଗାଁ ଅଶନବାହାଳ । ରାସ୍ତାଘାଟ, ଆବାସ, ସ୍କୁଲ ଭଳି ସମସ୍ତ ସୁବିଧା ସୁଯୋଗ ସହ ଗ୍ରାମବସୀଙ୍କୁ ଅନ୍ୟତ୍ର ଥଇଥାନ କରାଯିବ । ଅଧିକ ପଢନ୍ତୁ

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ(Satkosia Tiger Reserve) କୋର ଏରିଆରୁ ସ୍ଥାନାନ୍ତର ହେବ ଜଙ୍ଗଲ ଗାଁ ଅଶନବାହାଳ । ଦୀର୍ଘ ୧୫ବର୍ଷ ହେଲା ଗ୍ରାମ ସ୍ଥାନାନ୍ତର ନେଇ ପ୍ରକ୍ରିୟା ଚାଲିଥିଲା । ଶେଷରେ ଗ୍ରାମବାସୀ ଏହି ସ୍ଥାନାନ୍ତରଣ ପାଇଁ ରାଜି ହୋଇଛନ୍ତି । ପ୍ରଥମ ଥର ପାଇଁ ଅନୁଗୋଳ ଜିଲ୍ଲାପାଳ ଅଶନବାହଳ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ ଯେଉଁଠାରେ ସେମାନଙ୍କୁ ଥଇଥାନ କରାଯିବ ସେହି ସ୍ଥାନ ବୁଲି ଦେଖିଛନ୍ତି । ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାପରେ ଗାଁ ଲୋକେ ସ୍ଥାନାନ୍ତର ପାଇଁ ରାଜି ହୋଇଛନ୍ତି । ଏହା ନିଶ୍ଚିତ ଭାବେ ବନ ବିଭାଗ ଓ ପ୍ରଶାସନ ପାଇଁ ବଡ଼ ସଫଳତା କୁହାଯାଉଛି ।

ଜଙ୍ଗଲ ଗାଁ ଅଶନବାହାଳ ଦେଖିବ ନୂଆ ଦୁନିଆ, ବଦଳିବ ଗ୍ରାମ ଠିକଣା

ଘଞ୍ଚ ଓ ଦୁର୍ଗମ ଅଞ୍ଚଳରେ ସ୍ଥିତ ଜଙ୍ଗଲ ଗାଁ ଅଶନବାହାଳରେ ୮୮ଟି ଆଦିବାସୀ ପରିବାର ବସବାସ କରୁଛନ୍ତି । ସମସ୍ତ ସୁବିଧା ସୁଯୋଗ ସହ ଗ୍ରାମବାସୀଙ୍କୁ ଅନ୍ୟତ୍ର ଥଇଥାନ କରାଯିବ । ବ୍ୟାଘ୍ର ପ୍ରକଳ୍ପ କଟକଣା ଯୋଗୁ ଗ୍ରାମ ପାଇଁ ରାସ୍ତା, ସ୍କୁଲ, ପାନୀୟ ଜଳ ଆଦି କୌଣସି ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆଯାଇ ପାରୁନଥିଲା । ଶେଷରେ ଗାଁଟିକୁ ଉଚ୍ଛେଦ କରି ଅନ୍ୟତ୍ର ଥଇଥାନ ପାଇଁ ଯେଉଁ ପ୍ରକ୍ରିୟା ଦୀର୍ଘ ୧୫ ବର୍ଷ ଧରି ଚାଲିଥିଲା ତାହା ଏବେ ଚୂଡାନ୍ତ ରୂପ ନେଇଛି । ଏଭଳି ଏକ ଦୁର୍ଗମ ଇଲାକାକୁ ପ୍ରଥମ ଥର ପାଇଁ ନିଜେ ଜିଲ୍ଲାପାଳ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ପୂର୍ବରୁ କୌଣସି ଜିଲ୍ଲାପାଳଙ୍କ ଅଶନବାହାଳ ଗ୍ରାମରେ ପାଦ ପଡିନଥିବାବେଳେ, ଜିଲ୍ଲାପାଳଙ୍କୁ ପାଖରେ ପାଇ ଲୋକଙ୍କ ବିଶ୍ବାସ ଓ ଭରସା ବଢି ଯାଇଛି । ବ୍ୟାଘ୍ର ପ୍ରକଳ୍ପ ପାଇଁ ସ୍ଥାନାନ୍ତର ହେଉଥିବା ଗାଁଗୁଡିକ ମଧ୍ୟରେ ଅଶନବାହାଳ ଗାଁକୁ ଡେମୋ ଗାଁ ଭାବେ ନେବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ତେବେ ବିଳମ୍ବରେ ହେଉ ପଛେ ଅନୁଗୋଳ ବ୍ଲକ ଅନ୍ତର୍ଗତ ଟାଇଁସି ପଞ୍ଚାୟତ ଧଉରାଗୋଠ ଗାଁ ଏହି ଅଶନବାହାଳ ଗ୍ରାମବାସୀଙ୍କୁ ଥଇଥାନ ପାଇଁ ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିଛି ।

ଏଥିପାଇଁ ଜମି ଚିହ୍ନଟ ଶେଷ ହୋଇଛି । ଗ୍ରାମର ପ୍ରତ୍ୟେକ ପରିବାର ପାଇଁ ୧୫ ଲକ୍ଷ ଟଙ୍କା ଆବାସ ଯୋଜନାରେ ଘର, ପାନୀୟ ଜଳ ଯୋଗାଣ ସହ ଗାଁ ପାଇଁ ସ୍କୁଲ, ଶ୍ମଶାନ, କୋଠ ଘର ଓ ଅନ୍ୟ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଯେପରି ରାସ୍ତା ଓ ବିଦ୍ୟୁତ ସଂଯୋଗ ଆଦି ବ୍ୟବସ୍ଥା କରିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଆସନ୍ତା ୩ ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରି ଏଠାରେ ଗ୍ରାମବାସୀଙ୍କୁ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଜିଲ୍ଲାପାଳ ନିଜେ ସେହି ସ୍ଥାନକୁ ବୁଲି ଦେଖିବା ସହ କିଭଳି ଏଠାରେ ଲୋକଙ୍କର କୌଣସି ଅସୁବିଧା ହେବ ନାହିଁ ସେଥିପ୍ରତି ଦୃଷ୍ଟି ଦେବା ଏବଂ ସରକାରୀ ଯୋଜନାଗୁଡିକ ଅଗ୍ରାଧିକାର ଭିତ୍ତିରେ ଏଠାରେ କାର୍ଯ୍ୟକାରୀ କରାଇବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.