ETV Bharat / sports

T-20 WC, ମ୍ୟାଚ ପଲଟେଇଲେ ମିଚେଲ, ଇଂଲଣ୍ଡକୁ ହରାଇ ଫାଇନାଲରେ ନ୍ୟୁଜିଲାଣ୍ଡ

author img

By

Published : Nov 11, 2021, 7:07 AM IST

ଇଂଲଣ୍ଡକୁ ହରାଇ ଫାଇନାଲରେ ନ୍ୟୁଜିଲାଣ୍ଡ
ଇଂଲଣ୍ଡକୁ ହରାଇ ଫାଇନାଲରେ ନ୍ୟୁଜିଲାଣ୍ଡ

ଚଳିତ ଟି-ଟେଣ୍ଟି ବିଶ୍ବକପ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ନ୍ୟୁଜିଲାଣ୍ଡ । ବୁଧବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଇଂଲଣ୍ଡକୁ ୫ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ...

ଆବୁଧାବି: ଚଳିତ ଟି-ଟେଣ୍ଟି ବିଶ୍ବକପ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ନ୍ୟୁଜିଲାଣ୍ଡ । ବୁଧବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଇଂଲଣ୍ଡକୁ ୫ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ବିଜୟ ସହ ୨୦୧୯ ଦିନିକିଆ ବିଶ୍ବକପର ପ୍ରତିଶୋଧ ଟି-ଟେଣ୍ଟିରେ ନେଇଛି ନ୍ୟୁଜିଲାଣ୍ଡ । ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମିଚେଲ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଫଳରେ ଇଂଲଣ୍ଡ ଓପନରମାନେ ବଡ଼ ସଟ୍‌ ଖେଳିବାରେ ଅସମର୍ଥ ରହିଥିଲେ । ଫର୍ମରେ ଥିବା ଜୋଶ ବଟଲର ମାତ୍ର ୪ଟି ଚୌକା ସହ ୨୯ ରନ୍‌ କରିବାକୁ ସକ୍ଷମ ହୋଇଥିଲେ । ସେପଟେ ଓପନିଂ କରିବାକୁ ଓହ୍ଲାଇଥିବା ବେୟାରଷ୍ଟୋ ମାତ୍ର ୧୩ ରନ୍‌ କରି ପ୍ରଥମ ୱିକେଟ ଭାରରେ ଆଉଟ ହୋଇଥିଲେ । ଏହାପରେ ଦଳୀୟ ସ୍କୋର୍‌ ୫୩ ଥିବା ବେଳେ ଜୋଶ ବଟଲର ପାଭିଲିୟନ ଫେରିଥିଲେ ।

ଡାବିଡ ମଲାନ ଓ ମୋଇନ ଅଲୀଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ମଲାନ ୩୦ ବଲ୍‌ରୁ ୪୧ ରନ୍‌ କରିଥିବା ବେଳେ ମୋଇନ ଅଲୀ ୩୭ ବଲ୍‌ରୁ ୫୧ ରନ୍‌ କରିଥିଲେ । ଫଳରେ ଇଂଲଣ୍ଡର ଦଳୀୟ ସ୍କୋର୍‌ ୪ ୱିକେଟ ବିନିମୟରେ ୧୬୬ ରନ୍‌ରେ ପହଞ୍ଚି ପାରିଥିଲା । ଶେଷ ବେଳକୁ ଲିଭିଂଷ୍ଟୋନ କେତୋଟି ବଡ଼ ସଟ୍‌ ଖେଳି ୧୭ ରନ୍‌ କିରଥିଲେ । ନ୍ୟୁଜିଲାଣ୍ଡକୁ ୧୬୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ । ନ୍ୟୁଜିଲାଣ୍ଡ ପକ୍ଷରୁ ସାଉଦି, ମିଲ୍‌ନ ସୋଢ଼ି, ନିଶମ ଗୋଟିଏ ଲେଖାଏଁ ୱିକେଟ ନେବାରେ ସକ୍ଷମ ହୋଇଥିଲେ । ବୋଲ୍ଟ ସବୁଠାରୁ ଅଧିକ ରନ୍‌ ଖର୍ଚ୍ଚ କରିଥିଲେ । ସେ ୪ ଓଭରରେ ୪୦ ରନ୍‌ ଦେଇଥିଲେ ।

୧୬୭ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ । ତୃତୀୟ ଓଭରରେ ୧୩ ରନ ବେଳକୁ ନ୍ୟୁଜିଲାଣ୍ଡ ୨ଟି ୱିକେଟ ହରାଇଥିଲା । ସଫଳ ଓପନର ମାର୍ଟିନ ଗପଟିଲ ୪ ରନ କରି ବିଦା ହୋଇଥିଲେ । ବ୍ୟାଟିଂର ଆଉ ଜଣେ ମେରୁଦଣ୍ଡ କେନ୍ ୱିଲିୟମସନ ମାତ୍ର ୫ ରନ କରି ସଅଳ ପାଭିଲିୟନ ଫେରିଥିଲେ । ଏହାପରେ ମିଚେଲ ଓ ଡେଭନ୍ ଲଢୁଆ ବ୍ୟାଟିଂ ଜାରି ରଖିଥିଲେ । ଇଂଲଣ୍ଡ ବୋଲରଙ୍କ ଉପରେ ଭାରି ପଡିଥିଲେ ମିଚେଲ ଓ ନିସାମ । ଶେଷ ୪ ଓଭରରେ ୫୭ ରନ ଦରକାର ପଡୁଥିବାବେଳେ ମାତ୍ର ୩ ଓଭରରେ ହାସଲ କରିନେଇଥିଲା ନ୍ୟୁଜିଲାଣ୍ଡ । ମ୍ୟାଚ ପଲଟେଇ ଦେଇଥିଲେ ମିଚେଲ । ୪୭ ବଲରୁ ୪ଟି ଛକା ଓ ଚୌକା ସହ ୭୨ ରନ କରିଥିଲେ ମିଚେଲ । ନିସାମ୍ ବିସ୍ଫୋରକ ବ୍ୟାଟିଂ କରି ୧୦ ବଲରୁ ୩ଟି ଛକା ଓ ଗୋଟିଏ ଚୌକା ମାରି ୨୭ ରନ କରିଥିଲେ । ଫଳରେ ୫ ୱିକେଟରେ ସେମିଫାଇନାଲ ମ୍ୟାଚକୁ ଜିତି ନେଇଛି ନ୍ୟୁଜିଲାଣ୍ଡ ।

ପୂର୍ବରୁ ୨ଥର ଟି-୨୦ ବିଶ୍ବକପ ସେମିଫାଇନାଲରେ ପରାସ୍ତ ହୋଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମଥର ପାଇଁ ଟି-୨୦ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ୱିଲିୟମସନ ଦଳ। ଏହା ସହିତ ୨୦୧୯ ଦିନିକିଆ ବିଶ୍ବକପ ଫାଇନାଲ ମ୍ୟାଚରେ ଇଂଲଣ୍ଡଠାରୁ ପରାଜୟର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ । ଦ୍ବିତୀୟ ସେମିଫାଇନାଲ ବିଜେତା ଟିମ ସହ ରବିବାର ଫାଇନାଲ ମ୍ୟାଚ୍‌ ଖେଳିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.