ETV Bharat / sports

ETV BHARAT EXCLUSIVE: 'ସଟ୍‌ ବଲ୍‌ ଆଗରେ ଶ୍ରେୟସ ସଙ୍ଘର୍ଷ କରିବା ଏକ ମିଛ କାହାଣୀ', ଏମିତି କହିଲେ ଆୟରଙ୍କ ବାପା ସନ୍ତୋଷ

author img

By ETV Bharat Odisha Team

Published : Nov 5, 2023, 9:49 PM IST

ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ସଟ୍‌ ବଲ୍‌ ବିପକ୍ଷରେ ବେଶ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳୁଛି ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଯେଉଁ ଚର୍ଚ୍ଚାକୁ ନିକଟରେ ଏକ ପ୍ରେସ୍‌ କନ୍‌ଫରେନ୍ସ ଜରିଆରେ ଖଣ୍ଡନ କରିଥିଲେ ନିଜେ ଆୟର । ଏବେ ତାଙ୍କ ବାପା ସନ୍ତୋଷ ଆୟର ମଧ୍ୟ ଶ୍ରେୟସଙ୍କ କଥାକୁ ଦୋହରାଇ ଏହା ଏକ ମିଛ କାହାଣୀ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

'ସଟ୍‌ ବଲ୍‌ ଆଗରେ ଶ୍ରେୟସ ସଙ୍ଘର୍ଷ କରିବା ଏକ ମିଛ କାହାଣୀ'
'ସଟ୍‌ ବଲ୍‌ ଆଗରେ ଶ୍ରେୟସ ସଙ୍ଘର୍ଷ କରିବା ଏକ ମିଛ କାହାଣୀ'

ହାଇଦ୍ରାବାଦ: ଜାରି ରହିଥିବା ଆଇସିସି ବିଶ୍ବକପ୍‌ ୨୦୨୩ରେ ୮ ମ୍ୟାଚ୍‌ରୁ ୮ ବିଜୟ ସହ ଭାରତ ମଜଭୁତ ସ୍ଥିତିରେ ରହିଛି । ଦଳର ସମସ୍ତ ବିଭାଗ ବେଶ ଶକ୍ତିଶାଳୀ ରହିଛି । ତେବେ ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ୮ ମ୍ୟାଚ୍‌ରୁ ୪୮.୮୩ ହାରରେ ୨୯୩ ରନ ସହ ଦଳର ସଫଳତାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ହେଲେ ଆୟର ସଟ୍‌ ବଲ୍‌ ବିପକ୍ଷରେ ବେଶ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳୁଛି ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଯେଉଁ ଚର୍ଚ୍ଚାକୁ ନିକଟରେ ଏକ ପ୍ରେସ୍‌ କନ୍‌ଫରେନ୍ସ ଜରିଆରେ ଖଣ୍ଡନ କରିଥିଲେ ନିଜେ ଆୟର । ଏବେ ତାଙ୍କ ବାପା ସନ୍ତୋଷ ଆୟର ମଧ୍ୟ ଶ୍ରେୟସଙ୍କ କଥାକୁ ଦୋହରାଇଛନ୍ତି । ଶ୍ରେୟସ ସଟ୍‌ ବଲ୍‌ ବିପକ୍ଷରେ ସଙ୍ଘର୍ଷ କରିବା ଏକ ମିଛ କାହାଣୀ ବୋଲି ଇଟିଭି ଭାରତ ସହ ଏକ ସାକ୍ଷାତକାରରେ କହିଛନ୍ତି ସନ୍ତୋଷ ଆୟର ।

ଇଟିଭି ଭାରତ ସହ ଏହି ସାକ୍ଷାତକାର ବେଳେ ଶ୍ରେୟସଙ୍କ ବାପା ସନ୍ତୋଷ କହିଛନ୍ତି, "ଶ୍ରେୟସ ସଟ୍‌ ବଲ୍‌ ଆଗରେ ସଙ୍ଘର୍ଷ କରୁଥିବା ଏକ ମିଛ କାହାଣୀ । ସେ ଜଣେ ଭଲ ଖେଳାଳି । ସବୁ ଖେଳାଳିଙ୍କ ଖେଳରେ କିଛି ସକରାତ୍ମକ ଓ କିଛି ନକାରାତ୍ମକ କଥା ରହିଥାଏ । ହେଲେ ତାଙ୍କୁ ଆଗକୁ ବଢ଼ି ଏହା ଉପରେ ଧ୍ୟାନ ଦେବାକୁ ହେବ ।" ୱାଙ୍ଖେଡେରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଶ୍ରେୟସ ୮୨ ରନର ପାଳି ଖେଳିଥିଲେ ଏବଂ ଦଳକୁ ୩୦୦ ରନ ପାର କରିବାରେ ସହାୟକ ହୋଇଥିଲେ । ଏନେଇ ତାଙ୍କ ବାପା କହିଛନ୍ତି, "ଭାରତ ପାଇଁ ଏହି ମ୍ୟାଚ୍‌ରେ ସେ ସୁନ୍ଦର ପ୍ରଦର୍ଶନ କରିଥିଲେ । ଶ୍ରେୟସଙ୍କ ପାଳି ଦଳକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହୋଇଥିଲା । ଏହା ପୂର୍ବରୁ କିଛି ମ୍ୟାଚ୍‌ରେ ସେ ଅଳ୍ପ ସ୍କୋର ସଂଗ୍ରହ କରି ଏକ ଚାପ ପରିସ୍ଥିତି ଭିତରେ ଗତି କରୁଥିଲେ । ମୈଦାନରେ ଦର୍ଶକଙ୍କ ଭିଡ଼ ଓ ମିଡିଆ ତାଙ୍କୁ କିଛି ମାତ୍ରାରେ ପ୍ରଭାବିତ କରିଥିଲା । ହେଲେ ସେହି ଭିତରୁ ବାହାରିବା ପାଇଁ ସେ ଦୃଢ଼ ସଂକଳ୍ପ ନେଇ ସଫଳ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ସଟ୍ ବଲକୁ ନେଇ ସମସ୍ୟା ନାହିଁ, ନିଜ କୌଶଳ ଉପରେ ଭରସା ଅଛି କହିଲେ ଶ୍ରେୟାସ

ଆହତ ସମସ୍ୟା କାରଣରୁ ଶ୍ରେୟସ ଦୀର୍ଘ ସମୟ ଧରି ଖେଳରୁ ଦୂରରେ ରହି ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀରେ ସମୟ କାଟିଥିଲେ । ହେଲେ ଏହି ସମୟରେ ତାଙ୍କ ପରିବାର ମଧ୍ୟ ତାଙ୍କୁ ଉତ୍ସାହିତ କରିଥିଲେ ଏବଂ ଏନ୍‌ସିଏର ଡାକ୍ତର ଏବଂ ଫିଜିଓ ତାଙ୍କୁ ଯଥାଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିଥିଲେ ବୋଲି ତାଙ୍କ ବାପା ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଆହତ କାରଣରୁ ସେ ଦୀର୍ଘ ସମୟ ଧରି ଖେଳ ଠାରୁ ଦୂରରେ ରହିବାରୁ ଶ୍ରେୟସ୍ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରିଥିଲେ । କିନ୍ତୁ କାର୍ଯ୍ୟଭାର ବୃଦ୍ଧି ସହିତ ଆଘାତ ଖେଳର ଏକ ଅବିଚ୍ଛେଦ୍ୟ ଅଙ୍ଗ । କଠିନ ସମୟକୁ ଅତିକ୍ରମ କରିବା ପାଇଁ ଆମେ ତାଙ୍କୁ ସମର୍ଥନ କରିଥିଲୁ । ଏଥିସହ ତାଙ୍କ ସୁସ୍ଥ ହେବାରେ ଏନ୍‌ସିଏ ଡାକ୍ତରମାନେ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ । ଏକ ପ୍ରଭାବଶାଳୀ ପ୍ରତ୍ୟାବର୍ତ୍ତନ ପାଇଁ ତାଙ୍କୁ ସମର୍ଥନ କରିଥିବାରୁ ଚୟନକର୍ତ୍ତା ଏବଂ ଭାରତୀୟ ଦଳ ପରିଚାଳନାକୁ ମଧ୍ୟ ଧନ୍ୟବାଦ ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବର୍ଥ ଡେ'ରେ କିଙ୍ଗ୍‌ କୋହଲିଙ୍କ ସ୍ପେଶାଲ ଶତକ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ୍‌ ୩୨୭

ପ୍ରକାଶ ଥାଉ, ରବିବାର କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଆୟର ୭୭ ରନର ଦମଦାର ପାଳି ଖେଳିଥିଲେ । ଏହି ମ୍ୟାଚ୍‌ରେ ପିଚ୍‌ ବହୁତ ଧିମା ଥିଲା । ବିରାଟ କୋହଲିଙ୍କ ସହ ବ୍ୟାଟିଂ କରି ସେ ୭୭ ରନ କରି ଆଉଟ୍‌ ହୋଇଥିଲେ । ଏହି ପାଳିରେ ସେ ୭ ଚୌକା ଓ ୨ ଛକା ମଧ୍ୟ ମାରିଥିଲେ । ଏହି ମ୍ୟାଚ୍‌ରେ କୋହଲିଙ୍କ ଶତକ ପରେ ତାଙ୍କର ସ୍କୋର ଦ୍ବିତୀୟ ସର୍ବାଧିକ ଥିଲା । କାରଣ ଅନ୍ୟ କୌଣସି ବ୍ୟାଟର ଏହି ପିଚ୍‌ରେ ଅର୍ଦ୍ଧଶତକ ମଧ୍ୟ ହାସଲ କରିବାରେ ଅସମର୍ଥ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.