ETV Bharat / sports

Asia Cup 2023: ଖେଳି ପାରିବେନି ଆୟର ! ଦଳକୁ ଫେରିପାରନ୍ତି ବୁମ୍‌ରା

author img

By

Published : Jun 27, 2023, 9:32 AM IST

ଆସନ୍ତା ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍‌ ୨୦୨୩ । ତେବେ ଏହି ସିରିଜ୍‌ ପୂର୍ବରୁ ଭାରତୀୟ ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ସମ୍ପୂର୍ଣ୍ଣ ଫିଟ୍‌ ହୋଇନଥିବେ । ସେପଟେ ଷ୍ଟାର ବୋଲର ବୁମ୍‌ରା ଦଳକୁ ଫେରିବାର ଆଶା ରହିଛି । ଅଧିକ ପଢ଼ନ୍ତୁ

Asia Cup 2023
Asia Cup 2023

ହାଇଦ୍ରାବାଦ: ଅଗଷ୍ଟ ଶେଷ ସପ୍ତାହରେ ଆୟୋଜନ ହେବ ଏସିଆ କପ୍‌ ୨୦୨୩ । ପାକିସ୍ତାନ ଓ ଶ୍ରୀଲଙ୍କାରେ ଏହି ସିରିଜ ଆୟୋଜନ ହେବାକୁ ଥିବାବେଳେ ଦିନିକିଆ ବିଶ୍ବକପ ପୂର୍ବରୁ ଏଥିରେ ଶକ୍ତି ପ୍ରଦର୍ଶନ କରିବେ ବିଭିନ୍ନ ଦଳ । ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହେଲାଣି । ତେବେ ଭାରତର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ଆହତ ଥିବାରୁ ଏହା ବିସିସିଆଇ ପାଇଁ ଚିନ୍ତାର କାରଣ ପାଲଟିଛି । ସେପଟେ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ଟି୨୦ ଶୃଙ୍ଖଳା ଜରିଆରେ ଯଶପ୍ରୀତ ବୁମ୍‌ରା ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ।

ତେବେ ଗତ ଏପ୍ରିଲ୍‌ ମାସରେ ଲଣ୍ଡନର ଏକ ମେଡିକାଲରେ ଭାରତର ମଧ୍ୟକ୍ରମ ବ୍ୟାଟର ଶ୍ରେୟସଙ୍କ ପିଠିରେ ଅସ୍ତ୍ରୋପଚାର ହୋଇଥିଲା । ଏହାପରେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ)ରେ ଫିଟ୍‌ନେସ ପ୍ରସ୍ତୁତି ଚଳାଇଥିଲେ ଆୟର । ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ଏସିଆ କପ୍‌ ଖେଳାଯିବାକୁ ଥିବାବେଳେ ଏହି ସମୟ ବେଳକୁ ଆୟର ସମ୍ପୂର୍ଣ୍ଣ ଫିଟ୍‌ ହୋଇନଥିବେ । ଆୟର ଏସିଆ କପ୍‌ ବେଳକୁ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଆଶା ବାନ୍ଧିଥିଲା ବିସିସିଆଇ । କିନ୍ତୁ ଅସ୍ତ୍ରୋପଚାର ପରେ ମଧ୍ୟ ତାଙ୍କ ପ୍ରତ୍ୟାବର୍ତ୍ତନରେ ବାଧକ ସାଜିଛି ପିଠି ସମସ୍ୟା । ନିକଟରେ ପୁଣିଥରେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ଏନ୍‌ସିଏ ଅଧିକାରୀଙ୍କୁ ଜଣାଇଥିଲେ ବୋଲି କୁହାଯାଉଛି । ସେଥିପାଇଁ ସେ ଏସିଆ କପ୍‌ରୁ ବାଦ୍‌ ପଡିପାରନ୍ତି । ତେବେ ଆଗାମୀ ଦିନିକିଆ ବିଶ୍ବକପ୍‌ ପୂର୍ବରୁ ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇଯିବାର ସମ୍ଭାବନା ରହିଛି । ଭାରତରେ ଦିନିକିଆ ବିଶ୍ବକପ୍‌ ୨୦୨୩ ଆୟୋଜନ ହେବାକୁ ଥିବାବେଳେ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଏହି ଆଇସିସି ଟ୍ରଫି ପାଇଁ ଲଢ଼ିବେ ବିଶ୍ବର ଶକ୍ତିଶାଳୀ ଦଳ ।

ସେପଟେ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଖବର ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଟିକିଏ ଆଶ୍ବସ୍ତି ଆଣିଛି । ବୁମରା ଅଗଷ୍ଟରେ ଭାରତ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ଟି୨୦ ଶୃଙ୍ଖଳା ଜରିଆରେ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ସୂଚନା ମିଳିଛି । ବୁମ୍‌ରା ଜାତୀୟ କ୍ରିକେଟ୍ ଏକାଡେମୀରେ ଆସନ୍ତା ମାସରେ କିଛି ମ୍ୟାଚ୍ ଖେଳିବେ । ଏହି ମ୍ୟାଚ୍ ଜରିଆରେ ବୁମରାଙ୍କ ଫିଟନେସ୍‌ର ଆକଳନ କରାଯିବ । ଏହାପରେ ସେ ଆୟରଲାଣ୍ଡ ସିରିଜ୍ ଖେଳିବା ଉପରେ ନିଷ୍ପତ୍ତି ନିଆଯିବ । ଆୟରଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚ୍ ଅଗଷ୍ଟ ୧୮, ୨୦ ଏବଂ ୨୩ରେ ଖେଳାଯିବାକୁ ସୂଚି ରହିଛି । ଯଦି ଏହା ହୁଏ, ତେବେ ଆସନ୍ତା ଏସିଆ କପ୍‌ ୨୦୨୩ ମଧ୍ୟ ସେ ଖେଳିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.