ETV Bharat / sports

ସରୁନି ଚୟନକର୍ତ୍ତାଙ୍କ ଏକ୍ସପେରିମେଣ୍ଟ, ଟି-୨୦ ବିଶ୍ବକପ୍‌ରେ କିଏ ସମ୍ଭାଳିବ ୱିକେଟ୍‌ କିପର ରୋଲ୍‌ ?

author img

By ETV Bharat Odisha Team

Published : Dec 16, 2023, 9:48 PM IST

ସରୁନି ଚୟନକର୍ତ୍ତାଙ୍କ ଏକ୍ସପେରିମେଣ୍ଟ
ସରୁନି ଚୟନକର୍ତ୍ତାଙ୍କ ଏକ୍ସପେରିମେଣ୍ଟ

Several wicket keeping option: ଟି୨୦ ବିଶ୍ବକପ୍‌ ୨୦୨୪ ପାଖେଇ ଆସୁଥିବାବେଳେ ଭାରତୀୟ ଦଳର ୱିକେଟ୍‌ କିପର-ବ୍ୟାଟର ଚୟନ କରିବା ପାଇଁ ଦ୍ବନ୍ଦ୍ବରେ ପଡ଼ିଛି ବିସିସିଆଇ । ପ୍ରତି ସିରିଜ୍‌ରେ ନୂଆ ନୂଆ ଏକ୍ସପେରିମେଣ୍ଟ କରି ପ୍ରଶଂସକଙ୍କ ସମାଲୋଚନାର ଶିକାର ହୋଇଛନ୍ତି ଚୟନକର୍ତ୍ତା । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଯେତେ ବଡ଼ ଟୁର୍ଣ୍ଣାମେଣ୍ଟ ପାଖେଇ ଆସିଲେ ମଧ୍ୟ ବିସିସିଆଇ ଓ ଚୟନକର୍ତ୍ତାଙ୍କ ପରୀକ୍ଷା ନିରୀକ୍ଷା ଚାଲିଥାଏ । ଯାହାକୁ ନେଇ ସବୁବେଳେ ବିସିସିଆଇକୁ ସମାଲୋଚନା କରିଥାଆନ୍ତି ପ୍ରଶଂସକ । ଏବେ ଦିନିକିଆ ବିଶ୍ବକପ୍‌ ହାରିବା ପରେ ଟି୨୦ ବିଶ୍ବକପ୍‌କୁ ନଜର ପକାଇଥିବା ଟିମ୍‌ ଇଣ୍ଡିଆର ଅବସ୍ଥା ମଧ୍ୟ ସମାନ । ଟି୨୦ ବିଶ୍ବକପ୍‌କୁ ଆଉ ଅଳ୍ପଦିନ ବାକିଥିଲେ ମଧ୍ୟ ଅଧିନାୟକ ଓ ୱିକେଟ୍‌ କିପର ପଦ ପାଇଁ ଜାରି ରହିଛି ଚୟନକର୍ତ୍ତାଙ୍କ ଏକ୍ସପେରିମେଣ୍ଟ । ଅଧିନାୟକ ପଦ ପାଇଁ କେତେବେଳେ ରୋହିତ ଶର୍ମା ତ କେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ପୁଣି କେତେବେଳେ କେଏଲ୍‌ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ନାଁ ନେଇ ଚର୍ଚ୍ଚା ହେଉଛି । ସେହିଭଳି ୱିକେଟ୍‌ କିପର ପଦ ପାଇଁ ଆରମ୍ଭ ହୋଇଛି ଚର୍ଚ୍ଚା ଓ ଆଲୋଚନା । ତେବେ କେଉଁ ୱିକେଟ୍‌ କିପରଙ୍କୁ ବିଶ୍ବକପ୍‌ ପାଇଁ ପ୍ରସ୍ତୁତ କରାଯାଉଛି, ସେନେଇ ଦ୍ବନ୍ଦ୍ବରେ ଫ୍ୟାନ୍ସ ।

ଏମ୍‌ଏସ୍‌ ଧୋନୀଙ୍କ ପରେ ସ୍ଥାୟୀ ୱିକେଟ୍‌ କିପର୍‌ ଚୟନ କରିବାରେ ଏକ ପ୍ରକାର ବିଫଳ ହୋଇଛନ୍ତି ଚୟନକର୍ତ୍ତା । ଯଦିଓ କେଏଲ୍‌ ରାହୁଲ ଓ ଋଷଭ ପନ୍ତ ଏହି ପଦ ପାଇଁ ଏକ ପ୍ରକାର ଯୋଗ୍ୟ ସାବ୍ୟସ୍ତ ହୋଇଥିଲେ, ହେଲେ ଉଭୟଙ୍କୁ ଆଘାତ ସମସ୍ୟା ଦଳକୁ ପୁଣି ଏକ ୱିକେଟ୍‌ କିପର୍‌ ଖୋଜିବାକୁ ବାଧ୍ୟ କରିଥିଲା । ହେଲେ ଏବେ ପର୍ଯ୍ୟନ୍ତ ବାରମ୍ବାର ନୂଆ ନୂଆ ୱିକେଟ୍‌ କିପରଙ୍କୁ ନେଇ ଏକ୍ସପେରିମେଣ୍ଟ କରୁଛନ୍ତି ଚୟନକର୍ତ୍ତା । ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ କିଛି ଯୁବ ୱିକେଟ୍‌ କିପର-ବ୍ୟାଟରଙ୍କୁ ସୁଯୋଗ ଦେଇ ଟ୍ରାଏଲ୍‌ କରାଯାଇଥିଲା । ଯେଉଁଥିରେ ସମସ୍ତ ଖେଳାଳି ପ୍ରାୟ ସଫଳ ହୋଇଥିଲେ । ହେଲେ ଅଭିଜ୍ଞ କେଏଲ୍‌ ରାହୁଲ ଫେରିଥିବାବେଳେ ଋଷଭ ପନ୍ତ ମଧ୍ୟ ଏବେ ପ୍ରାୟ ସୁସ୍ଥ ହୋଇଥିବା କୁହାଯାଉଛି । ଏପଟେ ଈଶାନ କିଷାନ, ଜିତେଶ ଶର୍ମା ଓ ସଞ୍ଜୁ ସାମ୍‌ସନ୍‌ଙ୍କ ଭଳି ଖେଳାଳି ମଧ୍ୟ ବିଶ୍ବକପ୍‌ରେ ୱିକେଟ୍‌ କିପିଂ ପାଇଁ ଦାବିଦାର ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଟି୨୦ ବିଶ୍ବକପ୍‌ରେ ଭାରତର କ୍ୟାପ୍ଟେନ୍‌ କିଏ ? ଏମିତି ଉତ୍ତର ଦେଲେ ଜୟ ଶାହ

ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଟ୍ରାଏଲ୍‌: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌ରେ ପ୍ରଥମ ୩ଟି ମ୍ୟାଚ୍‌ରେ ଈଶାନ୍‌ କିଷାନଙ୍କୁ ୱିକେଟ୍‌ କିପର-ବ୍ୟାଟର ଭାବେ ସୁଯୋଗ ଦିଆଯାଇଥିଲା । ସେ ଏହି ସିରିଜ୍‌ରେ ଯଥାକ୍ରମେ ୫୮, ୫୨ ଓ ୦ ରନ୍‌ କରିଥିଲେ । ଏହାପରେ ବାକି ୨ଟି ମ୍ୟାଚ୍‌ ପାଇଁ ଜିତେଶ ଶର୍ମାଙ୍କୁ ମିଳିଲା ସୁଯୋଗ । ସେ ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ୩୫, ୨୪ ରନ୍‌ କରିଥିଲେ । ଜିତେଶଙ୍କୁ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ରେ ମଧ୍ୟ ସୁଯୋଗ ଦିଆଯାଇଥିଲା । ହେଲେ ଏଠାରେ ୩ଟି ମ୍ୟାଚ୍‌ରେ ବର୍ଷା ଲାଗି ଗୋଟିଏ ବାତିଲ ହୋଇଥିଲା । ବାକି ଦୁଇଟି ମ୍ୟାଚ୍‌ରେ ସେ ୧ ଓ ୪ ରନ୍‌ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଟି୨୦ ବିଶ୍ବକପ୍‌ରେ ଭାରତ ପାଇଁ କିଏ ଆରମ୍ଭ କରିବ ପାଳି ? BCCI ଆଗରେ ଏକାଧିକ ବିକଳ୍ପ

ରାହୁଲ, ପନ୍ତ ଓ ସଞ୍ଜୁଙ୍କ ଉପରେ ନଜର: ସେପଟେ ଦିନିକିଆ ବିଶ୍ବକପ୍‌ ପରେ କେଏଲ୍‌ ରାହୁଲ୍‌ଙ୍କୁ ବିଶ୍ରାମ ଦିଆଯାଇଥିଲା । ସେ ମଧ୍ୟ ଟି୨୦ ଦଳକୁ ଫେରିବା ପାଇଁ ପ୍ରମୁଖ ଦାବିବାର ଅଛନ୍ତି । ଏହା ବ୍ୟତୀତ ଦୀର୍ଘ ଦିନର ବିରତି ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବାକୁ ଜୋରଦାର ପ୍ରସ୍ତୁତି କରୁଛନ୍ତି ଋଷଭ ପନ୍ତ । ସେ ଆଇପିଏଲ୍‌ ୨୦୨୪ ଖେଳିବା ଏକ ପ୍ରକାର ନିଶ୍ଚିତ । ଯଦି ସେ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରନ୍ତି, ତେବେ ସେ ମଧ୍ୟ ୱିକେଟ୍‌ କିପର-ବ୍ୟାଟର ଭାବେ ଟିମ୍‌କୁ ଫେରିବାର ସମ୍ଭାବନା ରହିଛି । ଏହାଛଡ଼ା ସଞ୍ଜୁ ସାମ୍‌ସନ୍‌ଙ୍କ ଟି୨୦ରେ ଫର୍ମ ବି ଜବରଦସ୍ତ ରହିଛି । ଏତେ ଗୁଡ଼ାଏ ବିକଳ୍ପ ସତ୍ତ୍ବେ ଏବେ ପର୍ଯ୍ୟନ୍ତ ଜଣକୁ ପ୍ରସ୍ତୁତି କରିବାରେ ବିଫଳ ହୋଇଛି ବିସିସିଆଇ । ତେଣୁ ଆଗାମୀ ଟି୨୦ ବିଶ୍ବକପ୍‌ରେ କିଏ ଦଳର ୱିକେଟ୍‌ କିପର-ବ୍ୟାଟର ଭାବେ ଚୟନ ହେବେ, ତାକୁ ନେଇ ଚାଲିଛି ଅଙ୍କକଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.