ETV Bharat / sports

ଟି୨୦ ବିଶ୍ବକପ୍‌ରେ ଭାରତର କ୍ୟାପ୍ଟେନ୍‌ କିଏ ? ଏମିତି ଉତ୍ତର ଦେଲେ ଜୟ ଶାହ

author img

By ETV Bharat Odisha Team

Published : Dec 10, 2023, 10:52 PM IST

ଟି୨୦ ବିଶ୍ବକପ୍‌ରେ ଭାରତର କ୍ୟାପ୍ଟେନ୍‌ କିଏ ?
ଟି୨୦ ବିଶ୍ବକପ୍‌ରେ ଭାରତର କ୍ୟାପ୍ଟେନ୍‌ କିଏ ?

Jay Shah statement on Rohit Sharma: ଆଗାମୀ ଟି୨୦ ବିଶ୍ବକପ୍‌ ୨୦୨୪ରେ ଭାରତର ଅଧିନାୟକ କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ରୋହିତ ଶର୍ମା ହିଁ ସମସ୍ତଙ୍କ ପ୍ରଥମ ପସନ୍ଦ । ହେଲେ ଏନେଇ ସ୍ପଷ୍ଟୀକରଣ ଦେବାକୁ ଏଡ଼ାଇ ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଭାରତର ଆଇସିସି ଟ୍ରଫି ସ୍ବପ୍ନ ଭାଙ୍ଗିରୁଜି ଚୂରମାର ହୋଇଯିବା ପରେ ଏବେ ଟି୨୦ ବିଶ୍ବକପ୍‌ ୨୦୨୪ ଉପରେ ନଜର ପକାଇଛି ବିସିସିଆଇ । ଟି୨୦ ବିଶ୍ବକପ୍‌ ୨୦୨୪ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ଆଇପିଏଲ୍‌ ୨୦୨୪ ପରେ ପରେ ଆରମ୍ଭ ହେବ ଏହି ଆଇସିସି ଲଢ଼େଇ । ତେବେ ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ ଟିମ୍‌ ଇଣ୍ଡିଆର ନେତୃତ୍ବ କିଏ ନେବ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ରୋହିତ ଶର୍ମା ଭାରତ ପାଇଁ ଗୋଟିଏ ମଧ୍ୟ ଟି୨୦ କ୍ରିକେଟ୍‌ ଖେଳିନାହାନ୍ତି । କେହି କେହି କହୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚାର୍ଜ ଦେଇପାରେ ବିସିସିଆଇ । ଏପରିକି ଦକ୍ଷିଣ ଆଫ୍ରିକା ବିପକ୍ଷରେ ନେତୃତ୍ବ ନେଉଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଟି୨୦ର ନିୟମିତ ନେତୃତ୍ବ ଦିଆଯାଇପାରେ ବୋଲି ଆଲୋଚନା ହେଉଛି । ହେଲେ ରୋହିତଙ୍କୁ ଏହି ସ୍ଥାନ ପାଇଁ ପ୍ରମୁଖ ଦାବିଦାର ଭାବେ ବିସିସିଆଇ ଚିନ୍ତା କରୁଥିବା କୁହାଯାଉଥିଲା । ଏପଟେ ଏହି ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ ।

ଟି୨୦ ବିଶ୍ବକପ୍‌ ୨୦୨୨ରେ ରୋହିତ ଶର୍ମା ଶେଷଥର ପାଇଁ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ । ଏହାପରେ ଏହି ଫର୍ମାଟରେ ଭାରତ ଖେଳିଥିବା ପ୍ରାୟ ପ୍ରତି ସିରିଜରେ ଅଧିନାୟକ ବଦଳୁଛନ୍ତି । ତେଣୁ ଆଗାମୀ ଟି୨୦ ବିଶ୍ବକପ୍‌ ୨୦୨୪ରେ ରୋହିତ ଅଧିନାୟକ ଦାୟିତ୍ବ ତୁଲାଇବେ ନା ଆଉ କେଉଁ ଅଧିନାୟକ ସନ୍ଧାନରେ ବିସିସିଆଇ ରହିଛି, ତାହା ସବୁଠାରୁ ବଡ଼ ପ୍ରଶ୍ନ । କାରଣ ଟି୨୦ ବିଶ୍ବକପ୍‌କୁ ଆଉ ବେଶି ସମୟ ବାକି ନାହିଁ । ଆଇପିଏଲ୍‌ ପରେ ପରେ ସମ୍ଭବତଃ ଜୁନ୍‌ ମାସରେ ବିଶ୍ବକପ୍‌ ଆରମ୍ଭ ହୋଇଯିବ । ଯଦିଓ ଭାରତ ଟି୨୦ ବିଶ୍ବକପ୍‌ ୨୦୨୨ ସେମିଫାଇନାଲରୁ ବିଦା ହେବା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଅଧିକାଂଶ ଟି୨୦ରେ ଅଧିନାୟକ ହୋଇ ଆସୁଛନ୍ତି, ହେଲେ ଅଧିନାୟକ ଭାବେ ତାଙ୍କର ଗୋଟିଏ ବି ବିଶ୍ବକପ୍‌ ଖେଳିବାର ଅନୁଭବ ନାହିଁ । ନୂଆ ଖେଳାଳି ଅଧିନାୟକ ଭାର ଉଠାଇ ବିଶ୍ବକପ୍‌ରେ ଅତ୍ୟଧିକ ଚାପ ସମ୍ଭାଳି ପାରିବେ କି ନାହିଁ ସେନେଇ ପ୍ରଶ୍ନ ଉଠୁଛି ।

ଏହା ମଧ୍ୟ ପଢ଼ନ୍ତୁ...ସିଧା ସିଧା ଶୁଣାଇଦେଲେ ଦାଦା; ଟି୨୦ ବିଶ୍ବକପ୍‌ରେ ଅଧିନାୟକ ପାଇଁ ରୋହିତ ହିଁ ପ୍ରଥମ ପସନ୍ଦ

ଏପରି ସ୍ଥଳେ ରୋହିତଙ୍କର ଟି୨୦ ବିଶ୍ବକପ୍‌ ୨୦୨୪ ଖେଳିବା ନେଇ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି । ଏପରିକି ବିସିସିଆଇ ମଧ୍ୟ ରୋହିତଙ୍କୁ ହିଁ ଟି୨୦ ବିଶ୍ବକପ୍‌ରେ ଅଧିନାୟକ ଦାୟିତ୍ବ ଦେବା ନେଇ ଚିନ୍ତା କରୁଥିବା ଖବର ପ୍ରକାଶ ପାଇଥିଲା । ତେଣୁ ଶନିବାର ମୁମ୍ବାଇରେ ଆୟୋଜିତ ମହିଳା ପ୍ରିମିୟର ଲିଗ୍‌ ୨୦୨୪ ପାଇଁ ନିଲାମୀ ପ୍ରକ୍ରିୟାରେ ଯୋଗ ଦେବାବେଳେ ବିସିସିଆଇ ସଚିବ ଜୟ ଶାହଙ୍କୁ ଏନେଇ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । ହେଲେ ସେ ଏହାର ସିଧା ଉତ୍ତର ନଦେଇ କଥା ବୁଲାଇଥିଲେ । ଶାହ କହିଥିଲେ "ବର୍ତ୍ତମାନ ଏହି ପ୍ରସଙ୍ଗରେ ଏତେ ସ୍ପଷ୍ଟତା କାହିଁକି ଦରକାର ପଡ଼ୁଛି ? ଜୁନ୍ ମାସରେ ଏହା ଖେଳାଯିବାର ସମ୍ଭାବନା ଅଛି । ଏହା ପୂର୍ବରୁ ଆମ ପାଖରେ ଆଇପିଏଲ୍‌ ଅଛି । ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ୍ ବି ରହିଛି ।" ଏମିତି କହି ରୋହିତଙ୍କ ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ ଜୟ ଶାହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.