ETV Bharat / sports

ସିଧା ସିଧା ଶୁଣାଇଦେଲେ ଦାଦା; ଟି୨୦ ବିଶ୍ବକପ୍‌ରେ ଅଧିନାୟକ ପାଇଁ ରୋହିତ ହିଁ ପ୍ରଥମ ପସନ୍ଦ

author img

By ETV Bharat Odisha Team

Published : Dec 5, 2023, 10:40 PM IST

ଟି୨୦ ବିଶ୍ବକପ୍‌ରେ ଅଧିନାୟକ ପାଇଁ ରୋହିତ ହିଁ ପ୍ରଥମ ପସନ୍ଦ
ଟି୨୦ ବିଶ୍ବକପ୍‌ରେ ଅଧିନାୟକ ପାଇଁ ରୋହିତ ହିଁ ପ୍ରଥମ ପସନ୍ଦ

ଆଗାମୀ ଟି୨୦ ବିଶ୍ବକପ୍‌ରେ ଭାରତୀୟ ଦଳର ନେତୃତ୍ବ କିଏ ନେବ, ସେନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ରୋହିତ ଶର୍ମା ହିଁ ଏହି ସ୍ଥାନ ପାଇଁ ଉପଯୁକ୍ତ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ ପରାଜୟ ପରେ ଟି୨୦ ବିଶ୍ବକପ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ । ବାରମ୍ବାର ଆଇସିସି ଟ୍ରଫି ସ୍ବପ୍ନ ଧୂଳିସାତ ହେବାପରେ ଏଥର ପୁରୁଣା ଭୁଲ ନଦୋହରାଇ କିପରି ସଠିକ ଦଳ ଚୟନ ହେବ ଓ ସଠିକ ରଣନୀତି ପ୍ରସ୍ତୁତ ହେବ, ସେନେଇ ଗୁରୁତ୍ବ ଦେଇଛି ବିସିସିଆଇ । ହେଲେ ଏହି ବଡ଼ ଆଇସିସି ଇଭେଣ୍ଟରେ ଦଳର ନେତୃତ୍ବ କିଏ ନେବ, ସେନେଇ ଦ୍ବନ୍ଦ୍ବରେ ବିସିସିଆଇ । କାରଣ ଏହି ରେସ୍‌ରେ ଏକାଧିକ ଷ୍ଟାର ଅଛନ୍ତି । ରୋହିତ ଶର୍ମାଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, କେଏଲ୍‌ ରାହୁଲ ମଧ୍ୟ ଅଧିନାୟକ ପଦ ପାଇଁ ଦାବିଦାର ଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏସବୁ ଚର୍ଚ୍ଚା ଭିତରେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି ।

ଗାଙ୍ଗୁଲି ଆଗାମୀ ଟି୨୦ ବିଶ୍ବକପ୍‌ରେ ଭାରତୀୟ ଅଧିନାୟକ ଭାବେ ରୋହିତଙ୍କୁ ପ୍ରଥମ ପସନ୍ଦ ଭାବେ ବାଛିଛନ୍ତି । ଗାଙ୍ଗୁଲି କହିଛନ୍ତି, "ଆଗାମୀ ଟି୨୦ ବିଶ୍ବକପ୍‌ରେ ଅନେକ ଖେଳାଳିଙ୍କୁ ଅଧିନାୟକ କରିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ କେବଳ ରୋହିତ ଶର୍ମାଙ୍କୁ ହିଁ ଅଧିନାୟକ ଦାୟିତ୍ବ ଦେବା ଉଚିତ୍‌ । ବର୍ତ୍ତମାନ ଦଳରେ ଅଧିନାୟକ ପଦ ପାଇଁ ରୋହିତଙ୍କ ଭଳି ଅଭିଜ୍ଞ ଖେଳାଳି ଆଉ କେହି ନୁହଁନ୍ତି । ନିକଟରେ ରୋହିତଙ୍କ ନେତୃତ୍ବରେ ଦିନିକିଆ ବିଶ୍ବକପ୍‌ରେ ଲଗାତର ୧୦ଟି ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ଜିତିଲା । ଫାଇନାଲ ହାରିଛି ସତ, ହେଲେ ଦଳ ଖରାପ ଖେଳିନାହିଁ । ହୁଏତ ସେହିଦିନ (ଫାଇନାଲ୍‌) ଟିମ୍‌ ଇଣ୍ଡିଆ ପାଇଁ ଭଲ ସମୟ ନଥିଲା । ଏପରିକି ଟସ୍‌ ମଧ୍ୟ ଦଳ ସପକ୍ଷରେ ଯାଇନଥିଲା । ସେଥିପାଇଁ ଫାଇନାଲରେ ହାରିଥିଲା ଭାରତ ।"

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଚର୍ଚ୍ଚାରେ କୋହଲି-ଗାଙ୍ଗୁଲି ବିବାଦ; ବିରାଟ ଅଧିନାୟକତ୍ବ ଛାଡ଼ିବା ନେଇ ଦାଦାଙ୍କ ବଡ଼ ବୟାନ

ପ୍ରକାଶ ଥାଉ, ଦିନିକିଆ ବିଶ୍ବକପ୍‌ ୨୦୨୩ ପରଠାରୁ ରୋହିତ ଶର୍ମା ବିଶ୍ରାମ ନେଇଛନ୍ତି । ଏନେଇ ଗାଙ୍ଗୁଲି କହିଛନ୍ତି, "ଯେତିକି ବିଶ୍ରାମ ନେବା କଥା ନିଅନ୍ତୁ । କିନ୍ତୁ ଟି୨୦ ବିଶ୍ବକପ୍‌ରେ ରୋହିତ ହିଁ ଟିମ୍‌ର ନେତୃତ୍ବ ନେବା ଉଚିତ୍ ।" ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଟି୨୦ରୁ ବିଶ୍ରାମ ଦେବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ଗାଙ୍ଗୁଲି କହିଛନ୍ତି, "ଏ କଥା ମୁଁ ଶୁଣୁଛି । ହେଲେ ଏହା ଉଚିତ୍‌ ନୁହେଁ । ଉଭୟ ଏବେ ଭଲ ଫର୍ମରେ ଅଛନ୍ତି । ରୋହିତ ଓ ବିରାଟଙ୍କ ପରି ମ୍ୟାଚ୍‌ ୱିନର ଆମକୁ ଆଜି ଦିନରେ ମିଳିବେ ନାହିଁ । ତେଣୁ ସେମାନେ ଆଗାମୀ ଟି୨୦ ବିଶ୍ବକପ୍‌ ଖେଳିବା ଉଚିତ୍‌ । ଏହାଦ୍ବାରା ଟୁର୍ଣ୍ଣାମେଣ୍ଟରେ ଆମ ଦଳର ଫାଇଦା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.