ETV Bharat / sports

ଟି୨୦ ବିଶ୍ବକପ୍‌ରେ ଭାରତ ପାଇଁ କିଏ ଆରମ୍ଭ କରିବ ପାଳି ? BCCI ଆଗରେ ଏକାଧିକ ବିକଳ୍ପ

author img

By ETV Bharat Odisha Team

Published : Dec 5, 2023, 6:16 AM IST

ଟି୨୦ ବିଶ୍ବକପ୍‌ରେ ଭାରତ ପାଇଁ କିଏ ଆରମ୍ଭ କରିବ ପାଳି ?
ଟି୨୦ ବିଶ୍ବକପ୍‌ରେ ଭାରତ ପାଇଁ କିଏ ଆରମ୍ଭ କରିବ ପାଳି ?

ଦିନିକିଆ ବିଶ୍ବକପ୍‌ ପରାଜୟ ପରେ ଟିମ୍‌ ଇଣ୍ଡିଆ ନଜରରେ ଟି୨୦ ବିଶ୍ବକପ୍‌ ୨୦୨୪ । ହେଲେ ଦଳ ପାଇଁ ପାଳି ଆରମ୍ଭ କରିବାକୁ ରହିଛନ୍ତି ଏକାଧିକ ବିକଳ୍ପ । କାହାକୁ ଭରସା କରିବ ବିସିସିଆଇ ? ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଦିନିକିଆ ବିଶ୍ବକପ୍‌ ହାରିବା ପରେ ଟି୨୦ ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଟିମ୍‌ ଇଣ୍ଡିଆ । ଘରୋଇ ମାଟିରେ ଆୟୋଜିତ ଦିନିକିଆ ବିଶ୍ବକପ୍‌ରେ ଦମଦାର ପ୍ରଦର୍ଶନ ସତ୍ତ୍ବେ ଫାଇନାଲ୍‌ରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ପୂରା ଟୁର୍ଣ୍ଣାମେଣ୍ଟରେ କେବଳ ଗୋଟିଏ ମ୍ୟାଚ୍‌ ଦଳର ଆଇସିସି ଟ୍ରଫି ସ୍ବପ୍ନକୁ ଧୂଳିସାତ କରିଦେଲା । ତେଣୁ ଟି୨୦ ବିଶ୍ବକପ୍‌ରେ ମ୍ୟାନେଜ୍‌ମେଣ୍ଟ କୌଣସି ଭୁଲ ଦୋହରାଇବ ନାହିଁ ବୋଲି ଆଶା କରିଛନ୍ତି ପ୍ରଶଂସକ । ତେବେ ଟି୨୦ ବିଶ୍ବକପ୍‌ ପାଇଁ କାହାକୁ ଦଳରେ ସ୍ଥାନ ମିଳିବ, ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବଡ଼ ମ୍ୟାଚ୍‌ରେ ଅଭିଜ୍ଞତା ଜରୁରୀ, ହେଲେ ଯୁବ ଖେଳାଳିମାନେ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଟି୨୦ ବିଶ୍ବକପ୍‌ରେ ଭାରତ ପାଇଁ ଓପେନିଂ କିଏ କରିବ ? କାରଣ ଏହି ସ୍ଥାନ ପାଇଁ ଏବେ ଚୟନକର୍ତ୍ତାଙ୍କ ଆଗରେ ରହିଛନ୍ତି ଅନେକ ବିକଳ୍ପ ।

ରୋହିତ ଶର୍ମା: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କର ପାଳି ଆରମ୍ଭ କରିବା ଷ୍ଟାଇଲ୍‌ ସମସ୍ତଙ୍କୁ ପ୍ରଭାବିତ କରିଛି । ବିଶେଷ କରି ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ବକପ୍‌ରେ ସେ ଆରମ୍ଭରୁ ଟି୨୦ର ଭ୍ରମ ସୃଷ୍ଟି କରି ବ୍ୟାଟିଂ କରୁଥିଲେ । ଯାହା ପ୍ରାୟ ସବୁ ମ୍ୟାଚ୍‌ ଆରମ୍ଭରୁ ହିଁ ପରବର୍ତ୍ତୀ ବ୍ୟାଟରଙ୍କୁ ଚାପମୁକ୍ତ ହୋଇ ଖେଳିବାର ସୁଯୋଗ ଦେଉଥିଲା ଓ ଦଳର ବିଜୟକୁ ସୁନିଶ୍ଚିତ କରୁଥିଲା । ରୋହିତ ଟି୨୦ ବିଶ୍ବକପ୍‌ ଖେଳିବାକୁ ବହୁ କ୍ରିକେଟ୍‌ ବିଶେଷଜ୍ଞ ଓ ପୂର୍ବତନ କ୍ରିକେଟର ପରାମର୍ଶ ଦେଉଛନ୍ତି । ଏପରିକି ବିସିସିଆଇ ମଧ୍ୟ ତାଙ୍କୁ ଏହି ସୁଯୋଗ ଦେବା ଏକପ୍ରକାର ନିଶ୍ଚିତ । ସେ ଟି୨୦ ବିଶ୍ବକପ୍‌ ଖେଳିଲେ ଓପନିଂ ଗୋଟିଏ ସ୍ଥାନ ପୂରଣ ହୋଇଯିବ । ହେଲେ ତାଙ୍କ ସହ କିଏ ଆରମ୍ଭ କରିବ ପାଳି ?

ଶୁଭମନ ଗିଲ୍‌: ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଯଦିଓ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିନାହାନ୍ତି, ହେଲେ ଶୁଭମନ ଗିଲ୍‌ଙ୍କ ରେକର୍ଡ ୩ଟି ଯାକ ଫର୍ମାଟରେ ବେଶ ଭଲ ରହିଛି । ତେଣୁ ସେ ଯଦି ଟି୨୦ ବିଶ୍ବକପ୍‌ ଦଳରେ ସ୍ଥାନ ପାଆନ୍ତି, ହୁଏତ ରୋହିତଙ୍କ ସହ ଭାରତ ପାଇଁ ପାଳି ଆରମ୍ଭ କରିପାରନ୍ତି । ହେଲେ ବିଶ୍ବକପ୍‌ରେ ଧିମା ଆରମ୍ଭ ମଧ୍ୟ ଦଳକୁ ଅଡ଼ୁଆରେ ପକାଇପାରେ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତୀୟ ୟଙ୍ଗଷ୍ଟାର୍‌ଙ୍କ ବିସ୍ଫୋରଣ, ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଶାଳ ଟାର୍ଗେଟ୍‌

ଈଶାନ କିଷାନ: ଭାରତ ପାଇଁ ପୂର୍ବରୁ ବହୁ ମ୍ୟାଚ୍‌ରେ ଓପନିଂ କରିଛନ୍ତି ଯୁବ ୱିକେଟ୍‌କିପର-ବ୍ୟାଟର ଈଶାନ କିଷାନ । ସେପଟେ ଋଷଭ ପନ୍ତ ଏପର୍ଯ୍ୟନ୍ତ ସୁସ୍ଥ ହୋଇନଥିବାରୁ ଟି୨୦ ବିଶ୍ବକପ୍‌ରେ ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ କେହି ନିଶ୍ଚିତ ନାହାନ୍ତି । ଅନ୍ୟତମ ୱିକେଟ୍‌କିପର ସଞ୍ଜୁ ସାମ୍‌ସନ ନିୟମିତ ଦଳରେ ପ୍ରାୟତଃ ସ୍ଥାନ ପାଉନାହାନ୍ତି । କେଏଲ୍‌ ରାହୁଲ ଯଦିଓ ପାଳି ଆରମ୍ଭ କରିପାରନ୍ତି, ହେଲେ ମିଡିଲ୍‌ ଅର୍ଡର ପାଇଁ ସେ ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ । ତେଣୁ ଯଦି ଈଶାନ କିଷାନ ବିଶ୍ବକପ୍‌ ଦଳରେ ସ୍ଥାନ ପାଆନ୍ତି, ହୁଏତ ସେ ଓପନିଂ କରିବା ପାଇଁ ଦାବିଦାର ରହିବେ ।

ଋତୁରାଜ ଗାଏକ୍‌ୱାଡ: ଭାରତର ଉଦୀୟମାନ ତାରକା ଓପନର ହେଉଛନ୍ତି ଋତୁରାଜ ଗାଏକ୍‌ୱାଡ । ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ମଧ୍ୟ ସେ ବେଶ ଉଚ୍ଚକୋଟୀର ପ୍ରଦର୍ଶନ ଦେଇଥିଲେ । ଗୋଟିଏ ଶତକୀୟ ପାଳି ଖେଳି ସେ ନୂଆ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ଯଦି ସେ ଟି୨୦ ବିଶ୍ବକପ ପାଇଁ ଭାରତୀୟ ଦଳରେ ସ୍ଥାନ ପାଆନ୍ତି, ତେବେ ରୋହିତଙ୍କ ସହ ପାଳି ଆରମ୍ଭ କରିବାକୁ ତାଙ୍କୁ ସୁଯୋଗ ମିଳିପାରେ ।

ଏହା ମଧ୍ୟ ପଢ଼ନ୍ତୁ...ଋତୁରାଜଙ୍କ ଧୂଆଁଧାର ଶତକ, ଅଷ୍ଟ୍ରେଲିଆ ଆଗରେ ଟାର୍ଗେଟ୍‌ ୨୨୩

ଯଶସ୍ବୀ ଜୟସ୍ବାଲ: ଆଇପିଏଲ୍‌ ହେଉ କି ଟି୨୦ ସିରିଜ୍‌, ସବୁବେଳେ ପ୍ରଥମରୁ ବୋଲରଙ୍କ ଉପରେ ଚାପ ପକାଇ ମ୍ୟାଚ୍‌କୁ ନିଜ ଦଳ ଆଡ଼କୁ ଢଳାଇ ରଖିଥାନ୍ତି ଯୁବ ଓପନର ଯଶସ୍ବୀ ଜୟସ୍ବାଲ । ନିଶ୍ଚିତ ଭାବେ ସେ ଜଣେ ପ୍ରତିଭାବାନ ଖେଳାଳି । ଅନେକ ସମୟରେ ଆରମ୍ଭରୁ ବିସ୍ଫୋରକ ପାଳି ଖେଳି ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମଧ୍ୟ ବେଶ ଭଲ ଖେଳିଛନ୍ତି । ତେଣୁ ସେ ଯଦି ଦଳରେ ସ୍ଥାନ ପାଇବେ, ତେବେ ରୋହିତଙ୍କୁ ଜଣେ ଭଲ ଓପନିଂ ପାର୍ଟନର ମିଳିବେ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.