ETV Bharat / sports

ଭାରତୀୟ ୟଙ୍ଗଷ୍ଟାର୍‌ଙ୍କ ବିସ୍ଫୋରଣ, ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଶାଳ ଟାର୍ଗେଟ୍‌

author img

By ETV Bharat Odisha Team

Published : Nov 26, 2023, 8:58 PM IST

Updated : Nov 26, 2023, 9:06 PM IST

ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଶାଳ ଟାର୍ଗେଟ୍‌
ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଶାଳ ଟାର୍ଗେଟ୍‌

ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବୋଲରଙ୍କୁ ଧୋଇଦେଲେ ଭାରତୀୟ ଯୁବ ବ୍ୟାଟର । ଜୟସ୍ବାଲ, ଗାଏକ୍‌ୱାଡ୍‌ ଓ ଈଶାନ କିଷାନଙ୍କ ଦମଦାର ଅର୍ଦ୍ଧଶତକୀୟ ପାଳି ପରେ ଶେଷକୁ ରିଙ୍କୁ ସିଂହଙ୍କ ପ୍ରହାରରେ ଚିତ୍‌ପଟାଙ୍ଗ ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଆଗରେ ୨୩୫ ରନର ବିଶାଳ ସ୍କୋର କରିଛି ଭାରତ । ଅଧିକ ପଢ଼ନ୍ତୁ

ଥିରୁଅନନ୍ତପୁରମ: ଅଷ୍ଟ୍ରେଲିଆ ବୋଲରଙ୍କୁ ନିର୍ଦ୍ଧୁମ ଛେଚିଲେ ଭାରତୀୟ ୟଙ୍ଗଷ୍ଟାର । ଥିରୁବନନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଇଣ୍ଟରନାସ୍‌ନାଲ୍‌ କ୍ରିକେଟ୍‌ ଷ୍ଟାଡିୟମରେ ଛକା ଓ ଚୌକା ବର୍ଷା । ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ତାରକା ବ୍ୟାଟରଙ୍କ ବିସ୍ଫୋରଣରେ ଘାଇଲା ହେଲେ କଙ୍ଗାରୁ ବୋଲର । ପ୍ରଥମେ ବ୍ୟାଟିଂ କରି ଜୟସ୍ବାଲ, ଗାଏକ୍‌ୱାଡ୍‌ ଓ ଈଶାନ କିଷାନଙ୍କ ଦମଦାର ଅର୍ଦ୍ଧଶତକୀୟ ପାଳି ପରେ ଶେଷକୁ ରିଙ୍କୁ ସିଂହଙ୍କ ପ୍ରହାରରେ ଚିତ୍‌ପଟାଙ୍ଗ ଅଷ୍ଟ୍ରେଲିଆ । ତେବେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୨୩୫ ରନ୍‌ର ବିଶାଳ ସ୍କୋର କରିଛି ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ ଜିତି ଭାରତ ୧-୦ରେ ଆଗୁଆ ରହିଥିବାବେଳେ ସିରିଜ୍‌କୁ ଫେରିବାକୁ ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଜୟଲକ୍ଷ୍ୟ ରହିଛି ।

ଭାରତ ବ୍ୟାଟିଂ: ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଉଭୟ ଯୁବ ଓପନର ଦଳ ପାଇଁ ବିସ୍ଫୋରକ ଆରମ୍ଭ କରିଥିଲେ । ଯଶସ୍ବୀ ଜୟସ୍ବାଲ କେବଳ ୨୫ ବଲରେ ୫୩ ରନର ବିସ୍ଫୋରକ ପାଳି ଖେଳି ଆଉଟ୍‌ ହୋଇଥିଲେ । ତାଙ୍କ ପାଳିରେ ୯ ଚୌକା ଓ ୨ ଛକା ସାମିଲ ଥିଲା । ଏହାପରେ ଗାଏକ୍‌ୱାଡ୍‌ଙ୍କ ସହ ମିଶି ଈଶାନ କିଷାନ ଦଳୀୟ ସ୍କୋରବୋର୍ଡକୁ ଆଗକୁ ବଢ଼ାଇଥିଲେ । ସେ ୩୨ ବଲରୁ ୪ ଛକା ଓ ୩ ଚୌକା ସହିତ ୫୨ ରନ କରି ପାଭିଲିୟନ ଫେରିଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆରମ୍ଭରୁ ଦମଦାର ଆରମ୍ଭ କରିଥିଲେ ମଧ୍ୟ ବଡ଼ ପାଳି ଖେଳିନଥିଲେ । ହେଲେ ସେ ୧୦ ବଲରୁ ୧୯ ରନର ଉପଯୋଗୀ ବ୍ୟାଟିଂ କରି ଆଉଟ୍‌ ହୋଇଥିଲେ । ଉପଅଧିନାୟକ ଗାଏକ୍‌ୱାଡ୍‌ ୪୩ ବଲରୁ ୩ ଚୌକା ଓ ୨ ଛକା ବଳରେ ୫୮ ରନ କରି ଆଉଟ୍‌ ହୋଇଥିଲେ । ଶେଷରେ ଆସି ବିସ୍ଫୋରଣ କରିଥିଲେ ଟିମ୍‌ ଇଣ୍ଡିଆର ଫିନିସର୍‌ ରିଙ୍କୁ ସିଂହ । ସେ କେବଳ ୯ଟି ବଲ ଖେଳି ୩୧ ରନ କରିବା ସହିତ ଦଳକୁ ୨୩୫ ରନ୍‌ର ବିଶାଳ ସ୍କୋରରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ ।

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପାଇଁ ଆଜି ଦଳର ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ନାଥନ ଏଲିସ୍‌ ସର୍ବାଧିକ ୩ ୱିକେଟ୍‌ ସଫଳତା ହାସଲ କରିଥିଲେ ମଧ୍ୟ ସେ ୪ ଓଭରରୁ ୪୫ ରନ ବ୍ୟୟ କରିଥିଲେ । ଷ୍ଟୋଇନିସ୍‌ ମଧ୍ୟ ୩ ଓଭରରୁ ୨୭ ରନ ବ୍ୟୟ କରି ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ । ହେଲେ ଅନ୍ୟ କୌଣସି ବୋଲର ଦଳକୁ ଆଶାନୁରୂପ ସଫଳତା ଦେଇନଥିଲେ । ଅଭିଜ୍ଞ ଜାମ୍ପା ୪ ଓଭରରେ ୩୩ ରନ ଖର୍ଚ୍ଚ କରିଥିବାବେଳେ କେବଳ ୨ ଓଭରରୁ ୩୮ ରନ ଖର୍ଚ୍ଚ କରି ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । ସେହିଭଳି ସେନ୍‌ ଆବଟ୍‌ ୩ ଓଭରରୁ ୫୬ ରନ ଖର୍ଚ୍ଚ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଟସ୍‌ ହାରି ବ୍ୟାଟିଂ କରୁଛି ଭାରତ, ଅଷ୍ଟ୍ରେଲିଆ ଦଳକୁ ଫେରିଲେ ମ୍ୟାକ୍ସୱେଲ୍‌-ଜାମ୍ପା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 26, 2023, 9:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.