ETV Bharat / sports

India vs Australia: ଆଜି ଅନ୍ତିମ ଦିନିକିଆ, କ୍ଲିନ ସୁଇପ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

author img

By ETV Bharat Odisha Team

Published : Sep 27, 2023, 9:05 AM IST

India vs Australia
India vs Australia third match

ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯିବ । ପ୍ରଥମ ଓ ଦ୍ବିତୀୟ ଦିନିକିଆ ଜିତି ଆଗୁଆ ସିରିଜ କବଜା କରିଥିବା ଭାରତୀୟ ଦଳ ଆଜି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ଅଧିକ ପଢନ୍ତୁ

ରାଜକୋଟ: ବିଶ୍ବକପକୁ ଆଉ ମାତ୍ର ହାତ ଗଣତି ଦିନ । ଦେଖିବାକୁ ଗଲେ ହାତରେ ମାତ୍ର 7ଟା ଦିନ । ବିଶ୍ବକପ୍‌ ପୂର୍ବରୁ ଭାରତ ତାର ଶକ୍ତି ଦେଖାଇ ସାରିଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜକୁ ଆଗୁଆ ଜିତି ନେଇଛି । ଆଜି ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ଜିତି କ୍ଲିନ୍‌ ସୁଇପ ଲକ୍ଷ୍ୟ ରଖିଛି ରୋହିତବାହିନୀ । ବିଶ୍ବକପ୍‌ ମହାମୁକାବିଲା ପୂର୍ବରୁ ଶେଷ ପ୍ରସ୍ତୁତି କରିଛି ଭାରତୀୟ ଦଳ । ଆଜି ଅପରାହ୍ନ ସାଢେ 1ଟାରେ ରାଜକୋଟରେ ତୃତୀୟ ଦିନିକିଆ ଖେଳାଯିବ । ସେପଟେ ସମ୍ମାନ ପାଇଁ ଆଜି ଜୋରଦାର ଲଢ଼େଇ କରିବ କଙ୍ଗାରୁ ଦଳ । ଏକ ଶ୍ରେଷ୍ଠ ଏକାଦଶକୁ ନେଇ ମୈଦାନକୁ ଓହ୍ଲାଇବ ଭମ୍ରଣକାରୀ ଅଷ୍ଟ୍ରେଲିଆ ।

ଭାରତୀୟ ଦଳକୁ ବରିଷ୍ଠଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ପ୍ରଥମ ଦୁଇ ମ୍ୟାଚରେ କେଏଲ ରାହୁଲ ଦଳର ନେତୃତ୍ବ ନେଇଥିଲେ । ମାତ୍ର ଶେଷ ଦିନିକିଆରେ ନିୟମିତ ଅଧିନାୟକ ରୋହିତ ଶର୍ମା ଫେରିଛନ୍ତି । ବିଶ୍ରାମ ନେଇଥିବା ବିରାଟ କୋହଲି ମଧ୍ୟ ଫେରିଛନ୍ତି । ପ୍ରଥମ 2ଟି ମ୍ୟାଚ ଜିତି ସିରିଜ ହାତେଇ ସାରିଛି ଭାରତ । ଆଜିର ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ରୋହିତ ଶର୍ମା, ବିଟାର କୋହଲି ଓ କୁଳଦୀବ ଯାଦବ ରାଜକୋଟରେ ପହଞ୍ଚି ଅଭ୍ୟାସ କରିଛନ୍ତି । ରୋହିତ ଓ କୋହଲିଙ୍କୁ ପ୍ରଥମ ଦିନିକିଆରୁ ବିଶ୍ରାମ ଦିଆଯାଇଥିଲା । ସିରିଜ ବିଜୟ ପରେ ଶୁଭମନ ଗିଲ, ମହମ୍ମଦ ସାମି ଓ ସାର୍ଦୁଳ ଠାକୁରଙ୍କୁ ବିଶ୍ରାମ ଦିଆଯାଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆଜି ଖେଳିବେ ନାହିଁ । ଋତୁରାଜ ଗାଏକ୍ବାଡ, ୱାଶିଂଟନ ସୁନ୍ଦର ଓ ମୁକେଶ କୁମାର ଏସୀୟ ଗେମ୍ସ ପାଇଁ ଆଜି ଚୀନ ଗସ୍ତ କରିବେ । ଭାରତ 13 ଜଣିଆ ଦଳକୁ ନେଇ ତୃତୀୟ ଦିନିକିଆ ପ୍ରସ୍ତୁତି କରିଛି । ଟସ୍‌ ଜିତିବା ପରେ ଭାରତ ତାର ଚୂଡ଼ାନ୍ତ ଏକାଦଶ ଘୋଷଣା କରିବ । ଆଜିର ମୁକାବିଲା ଜିତି ବିଶ୍ବକପ ପୂର୍ବରୁ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହେବାକୁ ପ୍ରୟାସ କରିବ ସବୁ ଫର୍ମାଟରେ ନମ୍ବର ୱାନ୍‌ ଥିଲା ଟିମ୍‌ ଇଣ୍ଡିଆ । ଭାରତ ପ୍ରାୟ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିଛି ତଥାପି ଆଜି ଛୋଟମୋଟ ତ୍ରୁଟି ସୁଧାରି ପ୍ରଦର୍ଶନ କରିବାକୁ ପ୍ରୟାସ କରିବ ।

ଦିନିକିଆ ସିରିଜ ହାତଛଡା କରିଥିବା କଙ୍ଗାରୁ ରାଜକୋଟରେ ଆଜି ସମ୍ମାନ ପାଇଁ ଲଢେଇ କରିବ । ଶ୍ରେଷ୍ଠ ଏକାଦଶକୁ ନେଇ ମୈଦାନକୁ ଓହ୍ଲାଇବ ଭ୍ରମଣକାରୀ ଦଳ । ଦ୍ବିତୀୟ ଦିନିକିଆରେ ବିଶ୍ରାମ ନେଇଥିବା ପ୍ୟାଟ୍‌ କମିନ୍ସ ଆଜି ଖେଳିବ । ମିଚେଲ୍‌ ମାର୍ଶ ଓପନ କରିବେ । ବିଶ୍ବକପରେ ଅଷ୍ଟ୍ରେଲିଆ ଅକ୍ଟୋବର 8 ତାରିଖରେ ଭାରତ ବିପକ୍ଷରେ ଲଢ଼େଇ କରିବ । ଏହାପୂର୍ବରୁ ଦଳକୁ ତାର ସମ୍ମାନ ରଖିବାକୁ ହେବ । ଶେଷ ମ୍ୟାଚ୍‌ ଜିତିବାକୁ ସବୁ କଳ ବଳ କୌଶଳ ଲଗାଇ ଦେବ କଙ୍ଗାରୁ ଦଳ । ପୂର୍ବ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ କରିଥିବା ସବୁ ତ୍ରୁଟିକୁ ସୁଧାରି ମୈଦାନକୁ ଓହ୍ଲାଇବ । ରାଜକୋଟରେ ଏକ ବିଶାଲ ରନ୍‌ ସଂଗ୍ରହ ଆଶା କରାଯାଉଛି । 2020ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଏକ ମ୍ୟାଚ୍‌ ଖେଳାଯାଇଥିଲା । ଭାରତ 6 ୱିକେଟ ହରାଇ 340 ରନ କରିଥିଲା । ଜବାବରେ ଅଷ୍ଟ୍ରେଲିଆ 304 ରନ କରିି ଅଲଆଉଟ ହୋଇଥିଲା ।

ଏହା ବି ପଢନ୍ତୁ...IND vs AUS 2nd ODI: ସିରିଜ କବଜା କଲା ଭାରତ, କଙ୍ଗାରୁ ଦଳ ଧରାଶାୟୀ

ଭାରତ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଈଶାନ କିଷନ, ଶ୍ରେୟାସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ଆର ଅଶ୍ବିନୀ, କୁଳଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: ମିଚେଲ ମାର୍ଶ, ଡେଭିଡ ୱାର୍ଣ୍ଣର, ଷ୍ଟିଭେନ ସ୍ମିଥ, ମାର୍ନସ ଲାହୁସାନ, ଆଲେକ୍ସ କ୍ୟାରୀ, ଗ୍ଲେନ ମ୍ୟକ୍ଲୱେଲ, ମାର୍କସ ଷ୍ଟଇନିସ, ମିଚେଲ ଷ୍ଟାର୍କ, ପ୍ୟାଟ କମିନ୍ସ (ଅଧିନାୟକ), ଆଡାମ ଜାମ୍ପା, ଜୋସ ହେଜେଲଉଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.