ETV Bharat / sports

ଟେଷ୍ଟ ଆରମ୍ଭ ନହେଉଣୁ ଭୟରେ ଦକ୍ଷିଣ ଆଫ୍ରିକା, ବାଭୁମା କହିଲେ ଭାରତୀୟ ବୋଲିଂ ଆଟାକ୍‌ ଭୟଙ୍କର

author img

By ETV Bharat Odisha Team

Published : Dec 25, 2023, 9:31 PM IST

ବାଭୁମା କହିଲେ ଭାରତୀୟ ବୋଲିଂ ଆଟାକ୍‌ ଭୟଙ୍କର
ବାଭୁମା କହିଲେ ଭାରତୀୟ ବୋଲିଂ ଆଟାକ୍‌ ଭୟଙ୍କର

IND vs SA 1st Test: ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଭାରତୀୟ ପେସରଙ୍କୁ ନେଇ ଭୟଭୀତ ଦକ୍ଷିଣ ଆଫ୍ରିକା । ଟେମ୍ବା ବାଭୁମା କହିଲେ କେବଳ ଶକ୍ତିଶାଳୀ ବୋଲିଂ ଆକ୍ରମଣ କାରଣରୁ ଏକପାଖିଆ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି ଟିମ୍‌ ଇଣ୍ଡିଆ ।ଅଧିକ ପଢ଼ନ୍ତୁ...

ସେଞ୍ଚୁରିଅନ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆସନ୍ତାକାଲି (ମଙ୍ଗଳବାର) ଠାରୁ ଆରମ୍ଭ ହେବାକୁ ଯାଉଛି । ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନସ୍ଥିତ ସୁପରସ୍ପୋର୍ଟ ପାର୍କରେ ଖେଳାଯିବ । ଏହି ମ୍ୟାଚ ପାଇଁ ଉଭୟ ଦଳର ଖେଳାଳି ଝାଳ ବୁହା ଅଭ୍ୟାସ ସହ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ଏହା ପୂର୍ବରୁ ଭାରତୀୟ ପେସ୍‌ ଆଟାକ୍‌କୁ ନେଇ ପ୍ରବଳ ଭୟଭୀତ ଅଛନ୍ତି ଘରୋଇ ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା । ମ୍ୟାଚ୍‌ ପୂର୍ବ ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପେସ୍‌ ଆଟାକ୍‌ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି ବାଭୁମା ।

ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମାଙ୍କ କହିବା ଅନୁସାରେ ଘରୋଇ ଦଳର ବ୍ୟାଟିଂକ୍ରମକୁ ବିପର୍ଯ୍ୟସ୍ତ କରିବାକୁ ଭାରତୀୟ ଦ୍ରୁତ ବୋଲରଙ୍କ ନିକଟରେ ପର୍ଯ୍ୟାପ୍ତ କ୍ଷମତା ରହିଛି । ମହମ୍ମଦ ଶାମି ଅହାତ ହୋଇ ଶୃଙ୍ଖଳାରେ ନଥିଲେ ମଧ୍ୟ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ମୁକେଶ କୁମାର ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଭଳି ଦ୍ରୁତ ବୋଲର ଅଛନ୍ତି । ଯେଉଁମାନେ ଟେଷ୍ଟ ମ୍ୟାଚରେ ଘରୋଇ ଦଳର ବ୍ୟାଟରଙ୍କ ଉପରେ ଚାପ ପକାଇ ପାରିବେ ।

ଏହା ମଧ୍ୟ ପଢ଼ନ୍ତୁ...1ମ ଟେଷ୍ଟ ପୂର୍ବରୁ ରୋହିତଙ୍କ ପ୍ରେସ୍‌ମିଟ୍‌, କହିଲେ ଯାହା କେହି କରିପାରିନାହାନ୍ତି ମୁଁ କରିବି

ସେହିଭଳି ସ୍ପିନ୍‌ ବିଭାଗରେ ରବିଚନ୍ଦ୍ରନ୍ ଅଶ୍ବିନ୍‌ ଏବଂ ରବୀନ୍ଦ୍ର ଜାଡେଜାଙ୍କ ପରି ଘାତକ ବୋଲର ଅଛନ୍ତି । ଯାହା ଅନ୍ୟ ଦଳ ତୁଳନାରେ ଭାରତୀୟ ବୋଲିଂକୁ ବହୁତ ଶକ୍ତିଶାଳୀ କରିଥାଏ । ଟେମ୍ବା ବାଭୁମା କହିଛନ୍ତି, "ଆମେ ସ୍ଥିତିକୁ ବହୁତ ଭଲ ଭାବରେ ବୁଝିପାରୁଛି । ତେଣୁ ଆପଣ ଆମଠାରୁ ଭଲ ପ୍ରଦର୍ଶନ ଆଶା କରିବେ । କିନ୍ତୁ ସେମାନଙ୍କ ବୋଲିଂ ବିଭାଗ ବହୁତ ଶକ୍ତିଶାଳୀ । ବାସ୍ତବରେ ସେମାନେ କେବଳ ଶକ୍ତିଶାଳୀ ବୋଲିଂ ଆକ୍ରମଣ କାରଣରୁ ଏକପାଖିଆ ସଫଳତା ହାସଲ କରିବାରେ ସକ୍ଷମ ହୋଇଛନ୍ତି ।"

ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଭେଟେରାନ୍‌ ଓପନର୍‌ ଡିନ୍‌ ଏଲଗାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି । ଏହା ତାଙ୍କ ଦଳକୁ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇବ ବୋଲି ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ଆଶା କରିଛନ୍ତି । ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ନିଜ ମାଟିରେ ଅପରାଜିତ ରହିବାର ରେକର୍ଡ ରଖିଛି । ଏହି ରେକର୍ଡ ଜାରି ରଖିବାକୁ ନିଜ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବ ବୋଲି ବାଭୁମା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.