ETV Bharat / sports

ଇଜ୍ଜତ ବଞ୍ଚାଇବାରେ ଫେଲ୍‌ ମାରିଲା ଅଷ୍ଟ୍ରେଲିଆ, ୪-୧ରେ ଶୃଙ୍ଖଳା ଶେଷ କଲା ଟିମ୍‌ ଇଣ୍ଡିଆ

author img

By ETV Bharat Odisha Team

Published : Dec 3, 2023, 10:34 PM IST

Updated : Dec 3, 2023, 10:44 PM IST

୪-୧ରେ ଶୃଙ୍ଖଳା ଶେଷ କଲା ଟିମ୍‌ ଇଣ୍ଡିଆ
୪-୧ରେ ଶୃଙ୍ଖଳା ଶେଷ କଲା ଟିମ୍‌ ଇଣ୍ଡିଆ

୫ମ ମ୍ୟାଚ୍‌ରେ ଇଜ୍ଜତ ବଞ୍ଚାଇବାରେ ମଧ୍ୟ ଫେଲ୍‌ ମାରିଛି ଅଷ୍ଟ୍ରେଲିଆ । ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୬୦ ରନ କରିଥିଲା । ହେଲେ ଅଷ୍ଟ୍ରେଲିଆ ୧୫୪ ରନ କରି କେବଳ ୬ ରନ ପଛରେ ଅଟକି ଯାଇଛି । ଫଳରେ ୪-୧ରେ ଶୃଙ୍ଖଳା ଶେଷ କରିଛି ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

ବେଙ୍ଗାଲୁରୁ: ବ୍ୟାଟରଙ୍କ ବିଫଳତା ସତ୍ତ୍ବେ ଦମ୍‌ ଦେଖାଇଲେ ଭାରତୀୟ ବୋଲର । କେବଳ ୧୬୦ ରନକୁ ସଫଳତାପୂର୍ବକ ଡେଫେଣ୍ଡ କରି ଅଷ୍ଟ୍ରେଲିଆକୁ ୧୫୪ ରନ୍‌ରେ ଅଟାକାଇ ଦେଇଛନ୍ତି ଭାରତୀୟ ୟଙ୍ଗ୍‌ ବୋଲିଂ ଆଟାକ୍‌ । ପ୍ରଥମେ ବ୍ୟାଟିଂ କରି ଭାରତର ବ୍ୟାଟିଂ ଅର୍ଡର ଆଶାନୁରୂପ ସଫଳତା ପାଇନଥିଲା । ଶ୍ରେୟସ ଆୟରଙ୍କ ଲଢ଼ୁଆ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୬୦ ରନ କରିଥିଲା ଟିମ୍‌ ଇଣ୍ଡିଆ । ହେଲେ ଅଷ୍ଟ୍ରେଲିଆ ରୋମାଞ୍ଚକର ଭାବେ ଲଢ଼େଇ କରିଥିଲେ ମଧ୍ୟ କେବଳ ୬ ରନ ପଛରେ ରହିଯାଇଥିଲା । ୪-୧ରେ ଏହି ଶୃଙ୍ଖଳା ଶେଷ କରିଛି ଭାରତ ।

ଭାରତ ବ୍ୟାଟିଂ: ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆହ୍ବାନ କରିଥିଲା ଅଷ୍ଟ୍ରେଲିଆ । ଭାରତକୁ ଆରମ୍ଭରୁ ଭଲ ଆରମ୍ଭ ଦେଇଥିଲେ ଯଶସ୍ବୀ ଜୟସ୍ବାଲ । ସେ ୧୫ ବଲରୁ ୨୧ ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟତମ ଓପନର ଋତୁରାଜ ଗାଏକ୍‌ୱାଡ୍‌ କେବଳ ୧୦ ରନ କରି ଆଉଟ୍‌ ହୋଇଥିବାବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୫ ଓ ରିଙ୍କୁ ସିଂହ ୬ ରନ କରି ପାଭିଲିୟନ ଫେରିଥିଲେ । ଗୋଟିଏ ପଟେ ଶ୍ରେୟସ ଆୟର ପାଳିକୁ ସମ୍ଭାଳୁଥିବାବେଳେ ଅନ୍ୟପଟେ ଭାରତୀୟ ବ୍ୟାଟରମାନେ ସେମାନଙ୍କ ୱିକେଟ୍‌ ଫିଙ୍ଗି ଚାଲିଥିଲେ । ଜିତେଶ ଶର୍ମା କିଛି ସମୟ ଆୟରଙ୍କ ସାଥ ଦେଇ ଦଳୀୟ ଖାତାକୁ ଗତି ଦେଇଥିଲେ । ସେ ୧୬ ବଲରୁ ୨୪ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଅକ୍ଷର ପଟେଲ୍‌ ବେଶ କିଛି ସମୟ ଦଳୀୟ ଖାତାକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରି ୨୧ ବଲରୁ ୩୧ ରନର ଉପଯୋଗୀ ପାଳି ଖେଳିଥିଲେ । ଶ୍ରେୟସ ଆୟର ଦଳ ପାଇଁ ସର୍ବାଧିକ ୫୩ ରନର ପାଳି ଖେଳିଥିଲେ । ଏଥିରେ ସେ ୫ ଚୌକା ଓ ୨ ଛକା ମାରି ଶେଷ ଓଭର ପର୍ଯ୍ୟନ୍ତ ଲଢ଼େଇ କରିଥିଲେ । ସେ ଆଉଟ୍‌ ହେବା ସହିତ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୬୦ ରନ କରିଥିଲା ।

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ଆଜିର ମ୍ୟାଚ୍‌ରେ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଜାଶନ ବେରେନଡ୍ରଫ ଓ ବେନ୍‌ ଡ୍ବାର୍‌ଶୁଇସ୍‌ ୨ଟି ଲେଖାଏଁ ୱିକେଟ୍‌ ହାସଲ କରିଥିବାବେଳେ ଆରୋନ୍‌ ହାର୍ଡି, ନାଥନ ଏଲିସ୍‌ ଓ ଟି ସାଙ୍ଘା ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

ଏହା ମଧ୍ଯ ପଢ଼ନ୍ତୁ...ଶେଷ ମ୍ୟାଚ୍‌ରେ ଫେଲ୍‌ ମାରିଲେ ୟଙ୍ଗଷ୍ଟାର, ଶ୍ରେୟସଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୬୦/୮

ଅଷ୍ଟ୍ରେଲିଆ ବ୍ୟାଟିଂ: ଅଷ୍ଟ୍ରେଲିଆ ଓପନର ଜୋଶ ଫିଲିପ୍‌ କେବଳ ୪ ରନ କରି ମୁକେଶ କୁମାରଙ୍କ ଶିକାର ପାଲଟିଥିଲେ । ଟ୍ରାଭିସ୍‌ ହେଡ୍‌ ଓ ବେନ୍‌ ମ୍ୟାକ୍‌ଡରମୋଟ୍‌ ଦଳୀୟ ପାଳିକୁ ବିସ୍ଫୋରକ ବ୍ୟାଟିଂ କରି ଆଗେଇ ନେଇଥିଲେ । ହେଲେ ହେଡ୍‌ ୨୮ ରନ କରି ଆଉଟ୍‌ ହୋଇଥିବାବେଳେ ଏକାକୀ ସଙ୍ଘର୍ଷ କରି 5୪ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ୍‌ ହୋଇଥିଲେ ମ୍ୟାକ୍‌ଡରମୋଟ୍‌ । ମାଥ୍ୟୁ ୱେଡ୍‌ ୨୨ ରନ କରି ଶେଷ ଓଭର ଯାଏଁ ସଙ୍ଘର୍ଷ କରିଥିଲେ ମଧ୍ୟ ସେ ଦଳକୁ ମ୍ୟାଚ୍‌ ଜିତାଇବାରେ ସକ୍ଷମ ହୋଇନଥିଲେ । ଅନ୍ୟ କୌଣସି କଙ୍ଗାରୁ ବ୍ୟାଟର ୨୦ ରନ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ କେବଳ ୧୫୪ ରନରେ ଅଟକିଯାଇଥିଲା ଅଷ୍ଟ୍ରେଲିଆ ।

ଭାରତ ବୋଲିଂ: ଭାରତ ପକ୍ଷରୁ ୪ର୍ଥ ବିଜୟ ପାଇଁ ବେଶ ଶୃଙ୍ଖଳିତ ବୋଲିଂ କରିଥିଲେ ଯୁବ ବୋଲିଂ ଆଟାକ୍‌ । ମୁକେଶ କୁମାର ୪ ଓଭରରୁ ୩୨ ରନ ଦେଇ ସର୍ବାଧିକ ୩ ୱିକେଟ୍‌ ହାସଲ କରିଥିବାବେଳେ ଅର୍ଶଦୀପ ସିଂହ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ସଫଳତା ପାଇଥିଲେ । ସେହିଭଳି ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା । ଅଭେଶ ଖାନ ୪ ଓଭରରେ ୩୯ ରନ ଖର୍ଚ୍ଚ କରିଥିବାବେଳେ ଗୋଟିଏ ମଧ୍ୟ ସଫଳତା ହାସଲ କରିବାରେ ବିଫଳ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 3, 2023, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.