ETV Bharat / sports

Cricket World Cup 2023: ଆଫଗାନିସ୍ତାନ ଲଢ଼େଇ ପାଇଁ ଦିଲ୍ଲୀରେ ଟିମ୍‌ ଇଣ୍ଡିଆ, ଏଥର କିଷାନ ନା SKYଙ୍କୁ ମିଳିବ ସୁଯୋଗ ?

author img

By ETV Bharat Odisha Team

Published : Oct 9, 2023, 10:53 PM IST

ଆଫଗାନିସ୍ତାନ ଲଢ଼େଇ ପାଇଁ ଦିଲ୍ଲୀରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ
ଆଫଗାନିସ୍ତାନ ଲଢ଼େଇ ପାଇଁ ଦିଲ୍ଲୀରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ବିଶ୍ବକପ୍‌ ୨୦୨୩ ଆରମ୍ଭରୁ ଭାରତକୁ ଝଟ୍‌କା ଲାଗିଛି । ପ୍ରଥମ ମ୍ୟାଚ୍‌ ଜିତିଥିଲେ ମଧ୍ୟ ଦଳର ଷ୍ଟାର୍‌ ଓପନର ଶୁଭମନ ଗିଲ୍‌ ଡେଙ୍ଗୁରୁ ସୁସ୍ଥ ହୋଇନାହାନ୍ତି । ଫଳରେ ଆଫଗାନିସ୍ତାନ ଲଢ଼େଇ ପାଇଁ ଟିମ୍‌ ଇଣ୍ଡିଆ ଦିଲ୍ଲୀରେ ପହଞ୍ଚିଥିବାବେଳେ ଦଳ ସହ ଗିଲ୍‌ ଆସିନାହାନ୍ତି । ତେବେ ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଥିବା ଈଶାନ କିଷାନଙ୍କୁ ଆଉ ଏକ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ରବିବାର ନିଜର ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କରିଛି ଭାରତ । ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ବିଜୟର ସହ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆ ଆଗାମୀ ଅକ୍ଟୋବର ୧୧ ତାରିଖ (ବୁଧବାର) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅଫଗାନିସ୍ତାନ ସହ ଚଳିତ ସଂସ୍କରଣର ଦ୍ବିତୀୟ ମ୍ୟାଚ୍‌ ଖେଳିବ । ପ୍ରଥମ ମ୍ୟାଚ୍‌ ବିଜୟ ପରେ ଗଭୀର ଆତ୍ମବିଶ୍ବାସର ସହ ଦଳ ଏହି ମୁକାବିଲା ଖେଳିବ । ସେପଟେ ପ୍ରଥମ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ହାରିଯାଇଥିଲା ଆଫଗାନିସ୍ତାନ । ତେଣୁ ପ୍ରଥମ ବିଜୟ ସନ୍ଧାନରେ ରହିଥିବା ଆଫଗାନୀ ଦଳ ଏହି ମ୍ୟାଚ୍‌ ଜିତିବାକୁ ଜୋରଦାର ପ୍ରୟାସ କରିବ । ତେବେ ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ ପାଇଁ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ । ତେବେ ଗିଲ୍‌ଙ୍କ ସ୍ଥାନରେ ପୁଣିଥରେ ଈଶାନ କିଷାନଙ୍କୁ ସ୍ଥାନ ମିଳିବ ନା ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଭରସା କରିବ ଟିମ୍‌ ମ୍ୟାନେଜମେଣ୍ଟ, ସେନେଇ ଚର୍ଚ୍ଚା ଜାରି ରହିଛି ।

ଦିଲ୍ଲୀରେ ପହଞ୍ଚିଥିବା ଏହି ଦଳରେ ପୁଣିଥରେ ଦଳର ଷ୍ଟାର୍‌ ଓପନର୍‌ ଶୁଭମନ ଗିଲ୍‌ ଅନୁପସ୍ଥିତ ରହିଛନ୍ତି । ଏହାରି ମଧ୍ୟରେ ଗିଲ୍‌ଙ୍କ ମେଡିକାଲ ରିପୋର୍ଟ ଜାରି କରି ସେ ଆଜି ଦଳ ସହ ଦିଲ୍ଲୀ ଯାତ୍ରା କରିବେ ନାହିଁ ବୋଲି ପୂର୍ବରୁ ବିସିସିଆଇ ସ୍ପଷ୍ଟ କରିଥିଲା । ଏହି ରିପୋର୍ଟ ଅନୁସାରେ ଗିଲ୍‌ ଏବେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି । ସେ ଚେନ୍ନାଇରେ ଡାକ୍ତରୀ ଦଳଙ୍କ ନଜରରେ ରହିବେ ବୋଲି ବିସିସିଆଇ କହିଛି । ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା କାରଣରୁ ସେ ପ୍ରଥମ ମ୍ୟାଚ୍ ଖେଳି ପାରିନଥିଲେ । ଏବେ ସେ ଦ୍ଵିତୀୟ ମ୍ୟାଚ୍‌ରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ବରେ ଦଳ ମଙ୍ଗଳବାର ସନ୍ଧ୍ୟାରେ ଫିରୋଜଶାହ କୋଟ୍‌ଲା ପଡ଼ିଆରେ ଦ୍ବିତୀୟ ମ୍ୟାଚ୍‌ ପାଇଁ ଅଭ୍ୟାସ ଆରମ୍ଭ କରିବ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଟିମ୍‌ ଇଣ୍ଡିଆକୁ ଝଟ୍‌କା, ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ବି ଖେଳିବେନି ଗିଲ୍‌

ଗିଲ୍‌ ଖେଳିନପାରିବା ଭାରତୀୟ ଦଳ ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଇପାରେ । କାରଣ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ଦଳର ମୁକାବିଲା ପାକିସ୍ତାନ ସହ ରହିଛି । ଯଦି ଶୁଭମନ ଗିଲ୍‌ଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସିଧାସଳଖ ଖେଳାଯାଏ, ତେବେ ଏହା ଦଳ ପାଇଁ ଘାତକ ହୋଇପାରେ । କାରଣ ଡେଙ୍ଗୁରୁ ସୁସ୍ଥ ହେବାପରେ ତାଙ୍କୁ ଅଭ୍ୟାସ ପାଇଁ ସମୟ ମିଳିବ ନାହିଁ । ତେଣୁ ଗିଲ୍‌ କେବେ ଡେଙ୍ଗୁରୁ ସୁସ୍ଥ ହୋଇ ସଂପୂର୍ଣ୍ଣ ଫିଟ୍‌ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଗିଲ୍‌ଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଇଶାନ କିଷାନଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିଥିଲା । ହେଲେ ସେ ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ । ଏଥର ମଧ୍ୟ ଗିଲ୍‌ ସୁସ୍ଥ ହୋଇନଥିବାରୁ କିଷାନଙ୍କୁ ଆଉ ଏକ ସୁଯୋଗ ମିଳିପାରେ । ତେବେ ଏହି ସୁଯୋଗକୁ ହାତଛଡ଼ା ନକରି କିଷାନଙ୍କୁ ନିଜକୁ ପ୍ରମାଣିତ କରିବାକୁ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.