ETV Bharat / sports

Cricket World Cup 2023: ୩୦୫ରେ ଅଟକିଲା ପାକିସ୍ତାନ, ଅଷ୍ଟ୍ରେଲିଆର ବିଜୟଧାରା ଜାରି

author img

By ETV Bharat Odisha Team

Published : Oct 20, 2023, 10:17 PM IST

Updated : Oct 20, 2023, 10:29 PM IST

୬୨ ରନରେ ଜିତିଲା ଅଷ୍ଟ୍ରେଲିଆ
୩୦୫ରେ ଅଟକିଲା ପାକିସ୍ତାନ

ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ ମାର୍ଶଙ୍କ ବିସ୍ଫୋରଣ ପରେ ଆଡାମ ଜାମ୍ପାଙ୍କ ୪ ୱିକେଟ୍‌ ସଫଳତା । ୩୦୫ରେ ଅଟକିଲା ପାକିସ୍ତାନ । ୬୨ ରନରେ ଅଷ୍ଟ୍ରେଲିଆର କ୍ରମାଗତ ବିଜୟ । ବିସ୍ଫୋରକ ପାଳି ପାଇଁ ଡେଭିଡ୍‌ ୱାର୍ଣ୍ଣର ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ । ଅଧିକ ପଢ଼ନ୍ତୁ

ବେଙ୍ଗାଲୁରୁ: ଭାରତଠାରୁ ହାରିବା ପରେ ବିଜୟଧାରାକୁ ଫେରିପାରୁନି ପାକିସ୍ତାନ । ପ୍ରଥମେ କ୍ରମାଗତ ଦୁଇଟି ବିଜୟ ପରେ ଭାରତଠାରୁ ପ୍ରଥମ ପରାଜୟ ସ୍ବୀକାର କରିଥିଲା ବାବର ବାହିନୀ । ଏହାପରେ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ପରାଜୟ ବରଣ କରିଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ପାକ୍‌ ବୋଲିଂ ବିଭାଗର ଭରପୁର ଧୁଲେଇ କରିଥିଲେ ଅଷ୍ଟ୍ରେଲିଆ ଓପନର । ଆରମ୍ଭରୁ ଆକ୍ରମଣାତ୍ମକ ଭାବେ ଖେଳି କଙ୍ଗାରୁ ଦଳର ଦୁଇ ଓପନର ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ ମାର୍ଶ ଉଭୟ ଶତକ ହାସଲ କରିଥିଲେ । ମାର୍ଶ ୧୦୮ ବଲରୁ ୧୨୧ ରନ୍‌ କରି ଆଉଟ୍‌ ହେବାପରେ ୱାର୍ଣ୍ଣର ୧୨୪ ବଲରୁ ୧୬୩ ରନର ବିସ୍ଫୋରକ ପାଳି ଖେଳି ପାଭିଲିୟନ ଫେରିଥିଲେ । ଦୁଇ ଓପନରଙ୍କ ଦମଦାର ଶତକ ବଳରେ ଯଦିଓ ଦଳ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା, ହେଲେ ପାକିସ୍ତାନ ଆଗରେ ବିଜୟ ପାଇଁ ୩୬୮ ରନର ବଡ଼ ଲକ୍ଷ୍ୟ ରଖିଥିଲା କଙ୍ଗାରୁ ଦଳ । ଜବାବରେ ଆଡାମ ଜାମ୍ପାଙ୍କ ୪ ୱିକେଟ୍‌ ସଫଳତା ବଳରେ ୩୦୫ ରନରେ ଅଲ୍‌ ଆଉଟ୍‌ ହୋଇଛି ପାକିସ୍ତାନ । ଫଳରେ ଏହି ମ୍ୟାଚ୍‌କୁ ୬୨ ରନ୍‌ରେ ଜିତି ନେଇଛି ଅଷ୍ଟ୍ରେଲିଆ । ବିସ୍ଫୋରକ ପାଳି ପାଇଁ ଡେଭିଡ୍‌ ୱାର୍ଣ୍ଣର ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

  • " class="align-text-top noRightClick twitterSection" data="">

ଅଷ୍ଟ୍ରେଲିଆ ବ୍ୟାଟିଂ: ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ଆହ୍ବାନ କରିଥିଲେ ପାକ୍‌ ଅଧିନାୟକ ବାବର ଆଜମ । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଆରମ୍ଭରୁ ହିଁ ପାକିସ୍ତାନ ବୋଲରଙ୍କୁ ଆକ୍ରମଣ କରିଥିଲେ କଙ୍ଗାରୁ ଦଳର ଦୁଇ ଓପନର ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ ମାର୍ଶ । ଉଭୟଙ୍କ ଆକ୍ରମଣାତ୍ମକ ପାଳି ଆଗରେ ପାକ୍‌ ଦଳର କୌଣସି ବୋଲରଙ୍କ ଯାଦୁ କାମ ଦେଇନଥିଲା । ଦଳର ଷ୍ଟାର ବୋଲର ଶାହୀନ ଆଫ୍ରିଦି ହୁଅନ୍ତୁ ବା ହାରିଶ ରୌଫ, ସମସ୍ତଙ୍କ ଲାଇନ ଲେନ୍ଥ ବିଗାଡ଼ି ଦେଇଥିଲେ ୱାର୍ଣ୍ଣର ଓ ମାର୍ଶ । ପ୍ରଥମ ୱିକେଟ୍‌ ପାଇଁ ଉଭୟ ୨୫୯ ରନ୍‌ର ରେକର୍ଡ ଓପନିଂ ଭାଗିଦାରୀ କରିଥିଲେ । ଏହାପରେ ପ୍ରଥମେ ମାର୍ଶ ୧୦୮ ବଲରୁ ୧୦ ଚୌକା ଓ ୯ ଛକା ବଳରେ ୧୨୧ ରନ କରି ଆଉଟ୍‌ ହୋଇଥିଲେ । ଗୋଟିଏ ପଟେ ଡେଭିଡ୍‌ ୱାର୍ଣ୍ଣର ନିଜର ଆକ୍ରମଣାତ୍ମକ ଖେଳ ଜାରି ରଖିଥିବାବେଳେ ଅନ୍ୟପଟେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ୱାର୍ଣ୍ଣର ୧୨୪ ବଲରୁ ୧୪ ଚୌକା ଓ ୯ ଛକା ବଳରେ ୧୬୩ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ମାର୍କସ ଷ୍ଟୋଇନିସ (୨୧) ଓ ଜୋଶ ଇଂଲିଶ (୧୩)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ସ୍କୋର କରିବାରେ ଅସମର୍ଥ ହୋଇଥିଲେ । ଫଳରେ ଏକଦା ୪୦୦+ ସ୍କୋର ଲକ୍ଷ୍ୟରେ ଆଗକୁ ବଢ଼ୁଥିବା ଅଷ୍ଟ୍ରେଲୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୬୭ ରନ୍‌ରେ ଅଟକିଥିଲା ।

ପାକିସ୍ତାନ ବୋଲିଂ: ଆରମ୍ଭରୁ ମହଙ୍ଗା ସାବ୍ୟସ୍ତ ହେଉଥିଲେ ହେଁ ଶେଷ ବେଳକୁ ନିଜର ପ୍ରଭାବୀ ପ୍ରଦର୍ଶନ ବଳରେ ଦୃତ ଗତିରେ ଆଗକୁ ବଢ଼ୁଥିବା ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ପାକିସ୍ତାନୀ ବୋଲର । ଦଳର ଷ୍ଟାର ବୋଲର ଶାହୀନ ଆଫ୍ରିଦି ୧୦ ଓଭରରୁ ୫୪ ରନ ବ୍ୟୟରେ ସର୍ବାଧିକ ୫ ୱିକେଟ୍‌ ସଫଳତା ହାସଲ କରିଥିଲେ । ହାରିଶ ରୌଫ ୮ ଓଭରରୁ ୮୩ ରନ ସଂଗ୍ରହ କରି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ହେଁ ଶେଷ ବେଳକୁ ୩ଟି ୱିକେଟ୍‌ ହାସଲ କରିନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉସାମା ମୀର୍‌ଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୱାର୍ଣ୍ଣର-ମାର୍ଶଙ୍କ ବିସ୍ଫୋରଣ, ପାକିସ୍ତାନ ଆଗରେ ଟାର୍ଗେଟ ୩୬୮

ପାକିସ୍ତାନ ବ୍ୟାଟିଂ: ୩୬୮ ରନ୍‌ର ବଡ଼ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ପାକିସ୍ତାନକୁ ଦୁଇ ଓପନର ବେଶ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍‌ ପାଇଁ ଅବ୍‌ଦୁଲ୍ଲା ସେଫିକ୍‌ ଓ ଇମାମ୍‌ ଉଲ୍‌ ହକ୍‌ ଦଳୀୟ ଖାତାରେ ୧୩୪ ରନ ଯୋଡ଼ିଥିଲେ । ଏହାପରେ ୨୨ ତମ ଓଭରର ପ୍ରଥମ ବଲରେ ଷ୍ଟୋଇନିସ୍‌ଙ୍କ ବଲରେ ସେଫିକ୍‌ ପାଭିଲିୟନ ଫେରିଥିଲେ । ସେ ୬୧ ବଲରୁ ୬୪ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଅନ୍ୟମତ ଓପନର ଇମାମ୍‌ ଉଲ୍‌ ହକ୍‌ ୭୧ ବଲରୁ ୭୦ ରନର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳି ଷ୍ଟୋଇନିସଙ୍କ ଦ୍ବିତୀୟ ଶିକାର ପାଲଟିଥିଲେ । ଦଳର ଅନ୍ୟ କୌଣସି ବ୍ୟାଟର ଅର୍ଦ୍ଧଶତକୀୟ ପାଳି ଖେଳି ପାରିନଥିଲେ ମଧ୍ୟ ରିଜ୍‌ୱାନ ୪୬ ଓ ସାଉଦ ସକିଲ ୩୦ ରନର ପାଳି ଖେଳିଥିଲେ । ଅନ୍ୟ କୌଣସି ବ୍ୟାଟର ୩୦ ରନରୁ ଅଧିକ ସ୍କୋର କରିବାରେ ଅସମର୍ଥ ରହିଥିଲେ । ଫଳରେ ପାକିସ୍ତାନ ୩୦୫ ରନରେ ସମସ୍ତ ୱିକେଟ ହରାଇଥିଲା ।

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ଦଳକୁ ସର୍ବାଧିକ ୪ ୱିକେଟ ସଫଳତା ଦେଇଥଲେ । ଅଧିନାୟକ ପ୍ୟାଟ୍‌ କମିନ୍ସ ଓ ମାର୍କସ ଷ୍ଟୋଇନିସ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିବାବେଳେ ମିଚେଲ୍‌ ଷ୍ଟାର୍କ ଓ ଜୋସ ହାଜଲେଉଡ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ମ୍ୟାକ୍ସୱେଲ୍‌ କୌଣସି ୱିକେଟ୍‌ ପାଇନଥିବାବେଳେ ୫ ଓଭର ବୋଲିଂ କରି ୪୦ ରନ ବ୍ୟୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 20, 2023, 10:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.