ETV Bharat / international

Taliban Attack: ପଞ୍ଜଶୀରରେ ତାଲିବାନର ଆକ୍ରମଣ, ପାଲଟା ଜବାବରେ ଅନେକ ଆତଙ୍କୀ ନିହତ

author img

By

Published : Aug 31, 2021, 4:16 PM IST

Taliban Attack: ପଞ୍ଜଶୀରରେ ତାଲିବାନର ଆକ୍ରମଣ, ପାଲଟା ଜବାବରେ ଅନେକ ଆତଙ୍କୀ ନିହତ
Taliban Attack: ପଞ୍ଜଶୀରରେ ତାଲିବାନର ଆକ୍ରମଣ, ପାଲଟା ଜବାବରେ ଅନେକ ଆତଙ୍କୀ ନିହତ

ସୋମବାର ବିଳମ୍ବିତ ରାତିରେ ଆମେରିକାର ଶେଷ ବିମାନ ନିଜ ସୈନିକଙ୍କୁ ଧରି ଭରିଥିଲା ଉଡାଣ । ଆଉ ଠିକ ଏହାପରେ ପଞ୍ଜଶୀର ଘାଟି ଉପରେ ଆକ୍ରମଣ କରିଛନ୍ତି ତାଲିବାନୀ । ଅଧିକ ପଢନ୍ତୁ...

କାବୁଲ: ଆଫଗାନ ମାଟିରୁ ଆମେରିକା ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ପରେ ରକ୍ତମୁହାଁ ହୋଇପଡିଛି ତାଲିବାନ । ସୋମବାର ବିଳମ୍ବିତ ରାତିରେ ଆମେରିକାର ଶେଷ ବିମାନ ନିଜ ସୈନିକଙ୍କୁ ଧରି ଉଡାଣ ଭରିଥିଲା । ଆଉ ଠିକ ଏହାପରେ ପଞ୍ଜଶୀର ଘାଟି ଉପରେ ଆକ୍ରମଣ କରିଛନ୍ତି ତାଲିବାନୀ ।

ସୋମବାର ରାତିରେ ତାଲିବାନ ଆତଙ୍କୀ ପଞ୍ଜଶୀର ଘାଟିରେ ପଶିବାକୁ ଚେଷ୍ଟା କରିଥିବା ଦାବି କରିଛି ନର୍ଦନ ଆଲାଏନ୍ସ ତଥା ଉତ୍ତର ସାମୁଖ୍ୟ । ଏହି ସମୟରେ ଉଭୟ ପକ୍ଷରୁ ଦୀର୍ଘ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ଉତ୍ତର ସାମୁଖ୍ୟର ନେତୃତ୍ବ ନେଉଥିବା ମସୁଦ ସେନାଙ୍କ ମୁହଁତୋଡ ଜବାବରେ ପାଖାପାଖି ୮ରୁ ୧୦ ଜଣ ତାଲିବାନୀ ନିପାତ ହୋଇଥିବା ଜଣାପଡିଛି । ସେପଟେ ତାଲିବାନୀଙ୍କ ଗୁଳିରେ ନର୍ଦନ ଆଲାଏନ୍ସର ୨ ଜଣ ପ୍ରାଣ ହରାଇଛନ୍ତି ।

ଶେର-ଏ-ପଞ୍ଜଶୀର ଅହମଦ ଶାହ ମସୁଦଙ୍କ ପୁଅ ଅହମଦ ମସୁଦ ଓ ଆଫଗାନିସ୍ତାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ନେୃତ୍ବତରେ ନର୍ଦନ ଆଲାଏନ୍ସ ତାଲିବାନକୁ କଡା ଜବାବ ଦେଉଛି । ଗତ କିଛି ଦିନରୁ ତାଲିବାନ ଅନେକ ଥର ଏଠାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳତା ହାତରେ ଲାଗିଛି । ପଞ୍ଜଶୀରରେ ଯୁଦ୍ଧ ସମୟରେ ପୂର୍ବରୁ ତାଲିବାନର ୩୦୦ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଥିଲା ।

ସେପଟେ ମିଶନ କାବୁଲ ଶେଷ କରି 20 ବର୍ଷ ପରେ ଆଫଗାନିସ୍ତାନ ଛାଡିଛି ଆମେରିକା । ଆମେରିକୀୟ ସେନା ଆଫଗାନିସ୍ତାନ ମାଟି ଛାଡିବା ପରେ ଫାଙ୍କା ଗୁଳିଚାଳନା କରି ଖୁସି ମନାଇଛନ୍ତି ତାଲିବାନ ଆତଙ୍କବାଦୀ ।

ଆଫଗାନିସ୍ତାନ ସମ୍ପୂର୍ଣ୍ଣ କବଜା କରିସାରିଥିବା ତାଲିବାନ ଏଯାଏଁ ପଞ୍ଜଶୀର ଘାଟିରେ ଦେଇପାରିନି ପାଦ । କ୍ରମାଗତ ପଞ୍ଜଶୀରରୁ ତାଲିବାନୀଙ୍କୁ ମିଳୁଛି କଡା ଜବାବ । ଏହାରି ମଧ୍ୟରେ ପଞ୍ଜଶୀର ଘାଟିରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଥିଲା ତାଲିବାନ । ପଞ୍ଜଶୀର ଉପତ୍ୟକା କାବୁଲଠାରୁ ମାତ୍ର 125 କିଲୋମିଟର ଦୂରରେ ଅବସ୍ଥିତ । ସତଚେଷ୍ଟା ସତ୍ତ୍ବେ ଏହି ସ୍ଥାନରେ ପ୍ରବେଶ କରିବାକୁ ବିଫଳ ରହିଛି ତାଲିବାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.