ETV Bharat / city

କଟକ ଗଣେଶ ପୂଜାରେ କୋଭିଡ କଣ୍ଟା, ନିରାଶ କାରିଗର

author img

By

Published : Sep 9, 2021, 6:09 PM IST

କଟକ ଗଣେଶ ପୂଜାରେ କୋଭିଡ କଣ୍ଟା, ନିରାଶ କାରିଗର
କଟକ ଗଣେଶ ପୂଜାରେ କୋଭିଡ କଣ୍ଟା, ନିରାଶ କାରିଗର

ଗଣେଶ ପୂଜାରୁ କଟକରେ ଆରମ୍ଭ ହେଉଥିବା ପାର୍ବଣର ଝଲକ ଚଳିତ ବର୍ଷ ଫିକା ପଡ଼ିଛି । ଲାଇଟ ସାଉଣ୍ଡରେ କମ୍ପୁଥାଏ ସାରା ସହର ବର୍ତ୍ତମାନ ଶୂନଶାନ । ପୂଜା ପାଇଁ ଗାଇଡ଼ଲାଇନ ଜାରି ହେବା ପରେ ଅଧିକ ପ୍ରଭାବିତ ହୋଇଛନ୍ତି ମୂର୍ତ୍ତି କାରିଗର । ଅଧିକ ପଢନ୍ତୁ...

କଟକ: ରାତି ପାହିଲେ ଗଣେଶ ପୂଜା । ହେଲେ କଟକରେ ନାହିଁ ସେହି ପୂର୍ବ ପରି ଉତ୍ସାହ । କାରଣ କୋଭିଡ ମାଡ଼ରେ ସବୁ କିଛି ବଦଳିଯାଇଛି । ସରକାରଙ୍କ ପକ୍ଷରୁ ପାର୍ବଣ ପାଇଁ ହୋଇଥିବା ସ୍ବତନ୍ତ୍ର ଗାଇଡ଼ଲାଇନ ଅନୁସାରେ କ୍ଳବ ଓ କଟକିଆଙ୍କ ଗଣେଶ ପୂଜାକୁ ଫିକା ପକାଇଛି । ଏହାରି ମଧ୍ୟରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି ଗଣେଶ ମୂର୍ତ୍ତି କାରିଗର । ଏହି ସମୟରେ ଉଚ୍ଚ ଉଚ୍ଚ ଗଣେଶ ମୂର୍ତ୍ତି ବିକ୍ରି କରି ବେଶ ଲାଭବାନ ହୋଇଥାନ୍ତି କାରିଗର । ହେଲେ 4 ଫୁଟ ମୂର୍ତ୍ତି ପାଇଁ ବ୍ୟବସାୟରେ ନିରାଶ ହୋଇଛନ୍ତି ବ୍ୟବସାୟୀ ।

କଟକ ଗଣେଶ ପୂଜାରେ କୋଭିଡ କଣ୍ଟା, ନିରାଶ କାରିଗର

ଗଣେଶ ପୂଜାରୁ ପ୍ରତିବର୍ଷ ଆରମ୍ଭ ହୁଏ କଟକରେ ପାର୍ବଣର ଝଲକ । ସବୁ ଆଡେ ଭାସି ଆସେ ଆନନ୍ଦ ଓ ଉଲ୍ଲାସ । ହେଲେ ଚଳିତବର୍ଷ ଏହି ସବୁ ସ୍ବପ୍ନକୁ ଧୂଳିସାତ କରିଛି ମହାମାରୀ । ଗଣେଶ ପୂଜା ଉପରେ କୋଭିଡ଼ କଟକଣା ଲାଗିବା ପରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି ଗଣେଶ ମୂର୍ତ୍ତି କାରିଗର । ପୂର୍ବରୁ ବଡ଼ ବଡ଼ ଗଣେଶ ନିର୍ମାଣ କରି ଭଲ ଦାମରେ ବିକ୍ରି କରୁଥିବା ବ୍ୟବସାୟୀ ବର୍ତ୍ତମାନ ହୋଇଛନ୍ତି ହତାଶ । କାରଣ ସରକାର ପାର୍ବଣ ଉପଲକ୍ଷେ ଜାରି କରିଛନ୍ତି ଗାଇଡ଼ ଲାଇନ । ଯେଉଁଥିରେ ଗଣେଶ ମୂର୍ତ୍ତି 4 ଫୁଟ ହେବା ନେଇ ଉଲ୍ଲେଖ ରହିଛି । ହେଲେ ଏହାରି ମଧ୍ୟରେ କାରିଗରଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୂର୍ତ୍ତି କାରିଗର ।

ଅନ୍ୟପଟେ ସରକାରଙ୍କ ଗାଇଡ଼ଲାଇନ ପରେ CMC ମଧ୍ୟ କୋଭିଡ଼ କଟକଣା ପାଇଁ ଜାରି କରିଛି ଗାଇଡ଼ ଲାଇନ । ଆବଦ୍ଧ ପରିବେଶ ମଧ୍ୟରେ ହେବ ପୂଜା । ସର୍ବସାଧାରଣ ଦର୍ଶନକୁ ବାରଣ କରିଛି କଟକ ମହାନଗର ନିଗମ । ଶିକ୍ଷାନୁଷ୍ଠାନଗୁଡ଼ିକରେ ମାତ୍ର 20 ଜଣଙ୍କୁ ନେଇ ପୂଜା ହେବ । ମଣ୍ଡପରେ ମାତ୍ର 7 ଜଣଙ୍କ ଠାରୁ ଅଧିକ ଲୋକଙ୍କୁ ଅନୁମତି ନାହିଁ । ମୂର୍ତ୍ତିର ଉଚ୍ଚତା 4 ଫୁଟ ମଧ୍ୟରେ ରହିବ । ତେବେ ଏହି ଦିଗରେ କମିଶନରେଟ ପୋଲିସ ମଧ୍ୟ ଆଇନ ବ୍ୟବସ୍ଥାକୁ ବ୍ୟାପକ କରିଛି । କଟକର ପ୍ରମୁଖ ଅଞ୍ଚଳମାନଙ୍କରେ ପୋଲିସ ମୁତୟନ ରହିବେ ବୋଲି ଜଣାପଡ଼ିଛି ।

ତେବେ ଯେଉଁଠି ବି ଭିଡ଼ ପରିଲକ୍ଷିତ ହେବ, ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏମିତିକି ବିସର୍ଜନକୁ ଅତି ସାଧାରଣ ଭାବେ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି କଟକ ଡିସିପି । ହଜାର ବର୍ଷର କଟକ ସହରରେ ଗଣେଶ ପୂଜାଠୁ ଚଳଚଞ୍ଚଳ ଆରମ୍ଭ ହୋଇଯାଏ । ଲାଇଟ ସାଉଣ୍ଡରେ କମ୍ପୁଥାଏ ସାରା ସହର । ଆଉ ମୂର୍ତ୍ତି କାରିଗରଙ୍କ ମୁହଁରେ ହସ ଫୁଟିଥାଏ । ହେଲେ ସବୁ କିଛି ସମ୍ପୂର୍ଣ୍ଣ ବଦଳି ଯାଇଛି । ଯାହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି କଟକିଆ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.