ETV Bharat / city

କୋର୍ଟରେ ବର୍ଷା ଅନୁଭବ ବିବାଦ, ଆଜି ବି ହୋଇପାରିଲାନି ସାକ୍ଷ୍ୟ ଗ୍ରହଣ

author img

By

Published : Oct 17, 2022, 9:46 PM IST

କୋର୍ଟରେ ବର୍ଷା ଅନୁଭବ ବିବାଦ, ଆଜି ବି ହୋଇପାରିଲାନି ସାକ୍ଷ୍ୟ ଗ୍ରହଣ
କୋର୍ଟରେ ବର୍ଷା ଅନୁଭବ ବିବାଦ, ଆଜି ବି ହୋଇପାରିଲାନି ସାକ୍ଷ୍ୟ ଗ୍ରହଣ

କଟକ ଫାମିଲି କୋର୍ଟରେ ଷ୍ଟାର ଦମ୍ପତି ବର୍ଷା ଅନୁଭବ ବିବାଦ । ଆଜି ବି ହୋଇପାରିଲାନି ସାକ୍ଷ୍ୟ ଗ୍ରହଣ । ଅଧିକ ପଢନ୍ତୁ

କଟକ: କଟକ ଫାମିଲି କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି (MP Anubhav Mohanty) ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) । ସାକ୍ଷ୍ୟ ସମ୍ବନ୍ଧୀୟ କାଗଜପତ୍ରର ନକଲ ଅନୁଭବଙ୍କ ପକ୍ଷଙ୍କୁ ଦିଆଯାଇନଥିବାରୁ ଆଜି ସାକ୍ଷ୍ୟ ଗ୍ରହଣ ସମ୍ଭବ ହୋଇପାରିନାହିଁ । ଅନ୍ୟପଟେ ଅନୁଭବଙ୍କ ରିଭ୍ୟୁ ପିଟିସନ ଉପରେ ଶୁଣାଣି ଶେଷ ହୋଇଛି । ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

ଅନୁଭବ ଏବଂ ବର୍ଷାଙ୍କ ବିବାହ ଭୁବନେଶ୍ବରରେ ହୋଇଥିବା ବେଳେ ତାଙ୍କ ମୂଳ ପିଟିସନରେ ଏହା ଦିଲ୍ଲୀରେ ହୋଇଥିଲା ବୋଲି ଦର୍ଶାଯାଇଥିଲା । ତେବେ କୋର୍ଟ ନିଜ ପୂର୍ବ ନିର୍ଦ୍ଦେଶରେ ଉଭୟଙ୍କ ବିବାହ ଭୁବନେଶ୍ବରରେ ହୋଇଥିବା ନେଇ ନିର୍ଦ୍ଦେଶ ଜାରି କରିବା ପରେ ଏହା ଟାଇପ ଜନିତ ତ୍ରୁଟି ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରିବାକୁ ଅନୁଭବ ରିଭ୍ୟୁ ପିଟିସନ ଦାୟର କରିଥିଲେ। ଗତ ଅକ୍ଟୋବର ୧୧ ତାରିଖରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ରହିଥିବା ବେଳେ ତାହା ସମ୍ଭବ ହୋଇପାରିନଥିଲା । ଏଥିଲାଗି କୋର୍ଟ ଆଜି (ଅକ୍ଟୋବର ୧୭)କୁ ସମୟ ଧାର୍ଯ୍ୟ କରିଥିଲେ ।

ପୂର୍ବ ଥର ଅର୍ଥାକ ଅକ୍ଟୋବର ୧୧ ତାରିଖରେ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ପକ୍ଷରୁ ଦାଖଲ କେତେକ ଦସ୍ତାବିଜର କପି ଅନୁଭବଙ୍କ ପକ୍ଷଙ୍କୁ ଦିଆଯାଇନଥିଲା । ତେବେ ସେ ସବୁର ସାର୍ଟିଫାଏଡ କପି ଅନୁଭବଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିଲାଗି ଆଜି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଥିଲେ । ସୂଚନା ଥାଉ କି ଏହି ବିବାହ ବିଚ୍ଛେଦ ମାମଲାର ଶୁଣାଣି କରିବା ପୂର୍ବରୁ କୋର୍ଟ ଦମ୍ପତିଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଉଦ୍ୟମ କରିଥିଲେ ।

ଏହା ବି ପଢନ୍ତୁ- ଅନୁଭବ ବର୍ଷା ବିବାହ ବିଚ୍ଛେଦ: ଆସନ୍ତା ୧୭ରେ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ

ମାତ୍ର ମଧ୍ୟସ୍ଥତା ଚାହୁଁନଥିବା କହି କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ସାଂସଦ ଅନୁଭବ ମହାନ୍ତି । ମଧ୍ୟସ୍ଥତା ବନ୍ଦ କରି ଶୁଣାଣି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସତ୍ୟପାଠରେ ସେ ଉଲ୍ଲେଖ କରିଥିଲେ । ଅନ୍ୟପଟେ କୋର୍ଟଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିଲେ ବର୍ଷା ପ୍ରିୟଦର୍ଶିନୀ। କୋର୍ଟଙ୍କ ଯାହା ନିଷ୍ପତ୍ତି ଆସିବ ତାକୁ ବର୍ଷା ସ୍ବୀକାର କରିବେ ବୋଲି କହିଥିଲେ । ଏହି ଷ୍ଟାର ଦମ୍ପତିଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟ ଜାରି ରହିଥିବା ବେଳେ ଅନେକ ଥର ଉଭୟ ପରସ୍ପରକୁ ସୋସିଆଲ ମିଡ଼ିଆର ଆଶ୍ରୟ ନେଇ ଆରୋପ ପ୍ରତ୍ୟାରୋପ କରିଛନ୍ତି ।

କିଛି ଦିନ ପୂର୍ବରୁ ପୁଣି ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବ ଟ୍ବିଟ କରିଥିଲେ । ପୂର୍ବରୁ ଭାଇରାଲ ହୋଇଥିବା ଅଡିଓକୁ ନେଇ କଟାକ୍ଷ କରିବା ସହ ଅଡିଓଟି ବର୍ଷା ଓ ତାଙ୍କ ଭଉଣୀମାନଙ୍କର ନୁହେଁ କି ବୋଲି ସେ ପ୍ରଶ୍ନ କରିଥିଲେ । ବର୍ଷାଙ୍କୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ସେ ଓ ତାଙ୍କର ପରିବାର ଭୋଗୁଥିବା ମାନସିକ କଷ୍ଟ ଓ ନିର୍ଯାତନାକୁ ନେଇ ସେ ବିବ୍ରତ ରହୁଥିବା ସାଂସଦ କହିଛନ୍ତି । ଏଥିସହ ଏହା ଏକ ବନ୍ଧୁତ୍ବପୂର୍ଣ୍ଣ ଟ୍ବିଟ୍ ବୋଲି ଅନୁଭବ ଶେଷରେ ଉଲ୍ଲେଖ କରିଥିଲେ ।

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦକୁ ନେଇ ଦୀର୍ଘ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଛି । ଏହି ମାମଲାରେ କୋର୍ଟ କଣ ରାୟ ଶୁଣାଉଛନ୍ତି ତାହାକୁ ଅପେକ୍ଷା କରିଛନ୍ତି ଉଭୟ ଅନୁଭବ ଓ ବର୍ଷାଙ୍କ ପ୍ରଶଂସକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.