ଭୁବନେଶ୍ବର ଏମ୍ସରେ ପ୍ରଥମ ସଫଳ କିଡନୀ ପ୍ରତିରୋପଣ, ପୁଅକୁ ଅଙ୍ଗ ଦେଲେ ବାପା

author img

By

Published : Sep 21, 2022, 11:01 AM IST

kidney transplant operation successfu

ଭୁବନେଶ୍ବର ଏମ୍ସରେ କିଡ୍‌ନୀ ପ୍ରତିରୋପଣ ସଫଳ ହୋଇଛି । ପୁଅକୁ କିଡନୀ ଦେଇଛନ୍ତି ବାପା । ପ୍ରତିରୋପଣ ପରେ ଉଭୟ ବାପା ପୁଅ ସୁସ୍ଥ ଅଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି ଭୁବନେଶ୍ବର ଏମ୍ସ । ପ୍ରଥମ କିଡନୀ ପ୍ରତିରୋପଣରେ ସଫଳ ହୋଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡିଛି ଏମ୍ସ । ବାପା ଓ ପୁଅଙ୍କ ମଧ୍ୟରେ ଏହି କିଡନୀ ପ୍ରତିରୋପଣ ହୋଇଥିଲା । ପୁଅକୁ କିଡନୀ ଦେଇଛନ୍ତି ବାପା । ପ୍ରତିରୋପଣ ପରେ ଉଭୟ ବାପା ପୁଅ ସୁସ୍ଥ ଥିବା ଏମ୍ସ ପକ୍ଷରୁ ସୂଚନା ମିଳିଛି ।

kidney transplant operation successfu
ଏମ୍ସ ପ୍ରଥମ ସଫଳ କିଡ୍‌ନୀ ପ୍ରତିରୋପଣ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ବରରେ ସଫଳତାର ସହିତ ବହୁପ୍ରତିକ୍ଷୀତ ପ୍ରଥମ କିଡ୍‌ନୀ ପ୍ରତି‌ରୋପଣ ସମ୍ପନ୍ନ ହୋଇଛି । ଗତମାସ ୩୦ରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ କିଡ୍‌ନୀ ପ୍ରତିରୋପଣ ସଫଳ ହୋଇଛି । ଏମ୍ସରେ ହୋଇଥିବା ପ୍ରଥମ ପ୍ରତିରୋପଣ ପିତା ପୁତ୍ରଙ୍କ ମଧ୍ୟରେ ହୋଇଥିଲା । ଅସୁସ୍ଥ ପୁଅଙ୍କୁ ପିତା ନିଜ କିଡ୍‌ନୀ ଦାନ କରିଥିଲେ । ତେବେ ପ୍ରତିରୋପଣ ପରେ ଉଭୟ ପିତା ପୁତ୍ର ସୁସ୍ଥ ଅଛନ୍ତି । କିଡ୍‌ନୀ ଦାତାଙ୍କୁ ପ୍ରତିରୋପଣର ତୃତୀୟ ଦିନରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା ।

ସେହିପରି କିଡ୍‌ନୀ ପ୍ରତିରୋପଣ ହୋଇଥିବା ଯୁବକଙ୍କୁ ମଧ୍ୟ ଇତିମଧ୍ୟରେ ଡିସ୍‌ଚାର୍ଜ କରାଯାଇଛି। ଡିସ୍‌ଚାର୍ଜ ପରେ ଯୁବକଙ୍କ ପରିସ୍ରା ଫଳାଫଳ, ରକ୍ତ ପରୀକ୍ଷା ଫଳ ଏବଂ କ୍ରିଏଟିନାଇନ୍‌ ସ୍ତର ସାଧାରଣ ରହିଥିବା ଚିକିତ୍ସକମାନେ କହିଛନ୍ତି । ଉଭୟ ସୁସ୍ଥ ଥିବାରୁ ଏହି ପ୍ରତିରୋପଣରେ ସାମିଲ ଡାକ୍ତରୀ ଦଳ ସନ୍ତୋଷ ପ୍ରକାଶ କରିଛନ୍ତି ।

ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ପ୍ରଥମ ସଫଳ କିଡ୍‌ନୀ ପ୍ରତିରୋପଣରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଏଥିରେ ସଂମ୍ପୃକ୍ତ ଡାକ୍ତରୀ ଦଳ ଏବଂ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏନେଇ ଡ. ବିଶ୍ବାସ କହିଛନ୍ତି ଯେ ମଧୁମେହ (ଡାଇବେଟିସ୍), ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ କିଡ୍‌ନୀ ରୋଗର ବୃଦ୍ଧି ସହିତ ସମାଜରେ କ୍ରୋନିକ୍ କିଡନୀ ରୋଗ (ସିକେଡି) ସଂଖ୍ୟା ବୃଦ୍ଧି ପାଉଛି । ଏଣୁ ପୂର୍ବ ଭାରତରେ ବୃକକ୍‌ ପ୍ରତିରୋପଣ ସେବାର ଆବଶ୍ୟକତା ବୃଦ୍ଧିପାଉଛି । ଘରୋଇ ଡାକ୍ତରଖାନା ଗୁଡ଼ିକରେ ପ୍ରତିରୋପଣ ପ୍ରକ୍ରିୟା ବ୍ୟୟବହୁଳ ହୋଇଥାଏ । ମାତ୍ର ଏମ୍ସରେ ଏହି ସେବା ଆରମ୍ଭ ହେବାରୁ ସମାଜର ସମସ୍ତ ବର୍ଗର ଲୋକ ସୁଲଭ ମୂଲ୍ୟରେ ପ୍ରତିରୋପଣ ସେବାର ଲାଭ ନେବା ସହିତ ସୁସ୍ଥ ରହିପାରିବେ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ...ବଢୁଛି କଂଗ୍ରେସ ଗୋଷ୍ଠୀ ବିବାଦ, ପଦାରେ ପଡ଼ିଲା ମୋକିମ-ତାରା କଳି

ଏମ୍ସ ଭୁବନେଶ୍ବର ନିକଟ ଭବିଷ୍ୟତରେ ଯକୃତ ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ ଆରମ୍ଭ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ଡାକ୍ତର ବିଶ୍ବାସ ସୂଚନା ଦେଇଛନ୍ତି । କିଡ୍‌ନୀ ପ୍ରତିରୋପଣ ଆରମ୍ଭ କରିଥିବାରୁ ଏମ୍ସ ଭୁବନେଶ୍ବର ପ୍ରେସିଡେଣ୍ଟ୍‌ ପ୍ରଫେସର ଡାକ୍ତର ସୁବ୍ରତ ଆଚାର୍ଯ୍ୟ ମଧ୍ୟ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ମେଡିକାଲ୍‌ ଅଧୀକ୍ଷକ ଡ. ଏସ୍ ଏନ୍‌ ମହାନ୍ତି ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି । କିଡ୍‌ନୀ ପ୍ରତିରୋପଣ କରିଥିବା ଡାକ୍ତରୀ ଦଳରେ ନେଫ୍ରୋଲୋଜି (ବୃକକ୍‌) ବିଭାଗର ଡାକ୍ତର ସନ୍ଦିପ ପଣ୍ଡା ନେତୃତ୍ବ ନେଇଥିଲେ ।

ସେହିପରି ସର୍ଜିକାଲ ଟିମ୍‌ର ମୁଖ୍ୟ ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ପ୍ରଶାନ୍ତ ନାୟକଙ୍କ ନେତୃତ୍ବରେ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ମନୋଜ ଦାସ, ଡାକ୍ତର ସ୍ବର୍ଣ୍ଣେନ୍ଦୁ ମଣ୍ଡଳ, ଡାକ୍ତର ସମ୍ବିତ ତ୍ରିପାଠୀ ପ୍ରମୁଖ ଡାକ୍ତରୀ ଦଳରେ ସାମିଲ ଥିଲେ । ଏଥିସହିତ ଅନ୍ତଃଅନୁଷ୍ଠାନ ସହଯୋଗ ସ୍ବରୂପ ପିଜିଆଇଏମ୍‌ଇଆର୍‌ ଚଣ୍ଡିଗଡ଼ର ପ୍ରଫେସର ଦୀପେଶ ବେଞ୍ଜାମିନ୍ କେନୱାର ଏମ୍ସରେ ହୋଇଥିବା କିଡନୀ ପ୍ରତିରୋପଣରେ ପରାମର୍ଶ ଦେବା ନିମନ୍ତେ ଉପସ୍ଥିତ ଥିଲେ ।

ପ୍ରଫେସର ସତ୍ୟଜିତ ମିଶ୍ରଙ୍କ ନେତୃତ୍ବରେ ଆନାସ୍ଥେସିଆ (ନିଶ୍ଚେତକ) ଦଳରେ ଡାକ୍ତର ଭାସ୍କର ରାଓ ଏବଂ ଡାକ୍ତର ସୌମ୍ୟ ସରକାର ସାମିଲ ଥିଲେ। ପ୍ରତିରୋପଣ ସଂଯୋଜକ ନିରଞ୍ଜନ ପରମାଣିକଙ୍କ ସମେତ ଓଟି ଏବଂ ଟ୍ରାନ୍ସପ୍ଲାଣ୍ଟ୍‌ ଆଇସିୟୁ କର୍ମଚାରୀ ଏହି ପ୍ରତିରୋପଣରେ ସହଯୋଗ କରିଥିଲେ । ଏଭଳି ମହତ୍ବପୂର୍ଣ୍ଣ କାର୍ଯ୍ୟକୁ ସଫଳ କରିବାରେ ସହଯୋଗ କରିଥିବାରୁ ଏମ୍ସ ଭୁବନେଶ୍ବରର ପ୍ରଶାସନିକ ଦଳର ଉଦ୍ୟମକୁ ନିର୍ଦ୍ଦେଶକ ଡାକ୍ତର ବିଶ୍ବାସ ପ୍ରଶଂସା କରିଛନ୍ତି । କିଡ୍‌ନୀ ପ୍ରତିରୋପଣ ନିମନ୍ତେ ଏମ୍ସରେ ସଂଖ୍ୟାଧୀକ ରୋଗୀ ପଞ୍ଜିକରଣ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.