ETV Bharat / city

ଡାହା ମିଛ କହି ତଦନ୍ତକୁ ବାଟବଣା ପାଇଁ ଉଦ୍ୟମ କରୁଛନ୍ତି ବିଜେପି ଓ କଂଗ୍ରେସ: BJD

author img

By

Published : Oct 24, 2021, 10:12 PM IST

ଡାହା ମିଛ କହି ତଦନ୍ତକୁ ବାଟବଣା ପାଇଁ ଉଦ୍ୟମ କରୁଛନ୍ତି ବିଜେପି ଓ କଂଗ୍ରେସ: BJD
ଡାହା ମିଛ କହି ତଦନ୍ତକୁ ବାଟବଣା ପାଇଁ ଉଦ୍ୟମ କରୁଛନ୍ତି ବିଜେପି ଓ କଂଗ୍ରେସ: BJD

ମମିତା ମେହେର ହତ୍ୟାକାଣ୍ଡ ଘଟଣାର ବିଜେପି ଓ କଂଗ୍ରେସର ଅଭିଯୋଗ ଉପରେ ମନ୍ତବ୍ୟ ରଖିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । କହିଲେ ଉଭୟ ଦଳ କେବଳ ରାଜନୀତି କରିବା ପାଇଁ ଭିତ୍ତିହୀନ ବୟାନବାଜି କରିବା ସହ ତଦନ୍ତକୁ ବାଟବଣା କରୁଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ଘଟଣାର ତଦନ୍ତକୁ ବାଟବଣା କରିବାକୁ ଉଭୟ ବିଜେପି ଓ କଂଗ୍ରେସ ନେତାମାନେ ଉଦ୍ୟମ କରୁଛନ୍ତି । ଏ ନେଇ ଡାହା ମିଛ କହି ସରକାରକୁ ଘେରିବାକୁ ପ୍ରୟାସ ଜାରି ରଖିଛନ୍ତି । ଆଜି ୨ ଦଳର ନେତାଙ୍କ ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଆଜି ଆୟୋଜିତ ପ୍ରେସମିଟରେ ଏପରି ଭାବେ ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ଲେନିନ ।

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେପି ଓ କଂଗ୍ରେସ ନେତାଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଲେନିନ କହିଛନ୍ତି, କେବଳ ଶାସକ ଦଳର ସଦସ୍ୟ ନୁହନ୍ତି, କଂଗ୍ରେସ ନେତାମାନେ ମଧ୍ୟ ବାରମ୍ବାର ନିମନ୍ତ୍ରିତ ଅତିଥି ଭାବେ ମହାଲିଙ୍ଗ ମହାବିଦ୍ୟାଳୟକୁ ଯାଇଛନ୍ତି । ତତ୍କାଳୀନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଏକାଧିକ ଥର ଉକ୍ତ କଲେଜକୁ ଆସିବା ସହିତ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ୩୬ ଲକ୍ଷ ଟଙ୍କା ତାଙ୍କ ସାଂସଦ ପାଣ୍ଠିରୁ ପ୍ରଦାନ କରିଛନ୍ତି ।

ସେହିପରି କେବଳ ଭକ୍ତ ଦାସ ନୁହନ୍ତି, ବର୍ତ୍ତମାନର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ ଅତିଥି ଭାବେ ଯୋଗଦେଇଛନ୍ତି । ସେହିଭଳି ସେଠାରେ ଏବେ ସାଂସଦ ଭାବେ ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡା ଅଛନ୍ତି । ସାଂସଦଙ୍କ ପ୍ରତିନିଧି ମଧ୍ୟ ଏହି ମହାବିଦ୍ୟାଳୟର ପରିଚାଳନା କମିଟିରେ ସଦସ୍ୟ ରହିଛନ୍ତି । ସେ କ’ଣ ଏଥିପାଇଁ ଦାୟୀ ରହିବେ କି ବୋଲି ଲେନିନ୍‍ ପ୍ରଶ୍ନ କରିଛନ୍ତି ।

ଲେନିନ କହିଛନ୍ତି କୌଣସି ନେତା କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଉଥିଲେ ସମ୍ପୃକ୍ତ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କ ସହ ଫଟୋ ଉଠାଇବା ଏକ ସ୍ବାଭାବିକ ଘଟଣା । ସେହି ଫଟୋରେ ଥିବା କୌଣସି କାର୍ଯ୍ୟକର୍ତ୍ତା ଯଦି ଅଭିଯୁକ୍ତ ହୁଅନ୍ତି ସେଥିପାଇଁ ଅତିଥି ଭାବେ ଯୋଗ ଦେଇଥିବା ନେତାଙ୍କୁ କ’ଣ ଦାୟୀ କରାଯାଇ ପାରିବ କି ବୋଲି ଲେନିନ୍‍ ପ୍ରଶ୍ନ କରିଛନ୍ତି । ସେହିଭଳି ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ସମ୍ପୂର୍ଣ୍ଣ ଅଯୌକ୍ତିକ ଓ ଭିତ୍ତିହୀନ । ପୁଲିସ୍‍ ତଦନ୍ତରେ କୌଣସି ହେଳା କରୁନାହିଁ । ଏହି ଘଟଣାର ତଦନ୍ତ ଜଣେ ବରିଷ୍ଠ ପୁଲିସ୍‍ ଅଧିକାରୀଙ୍କୁ ନ୍ୟସ୍ତ କରାଯାଇଛି । ଉକ୍ତ ଅଧିକାରୀ ଜଣଙ୍କର କେନ୍ଦ୍ରରେ NIAରେ ମଧ୍ୟ କାର୍ଯ୍ୟ କରିବାର ମଧ୍ୟ ଅଭିଜ୍ଞତା ରହିଛି ବୋଲି କହିଛନ୍ତି ଲେନିନ ।

ଉଭୟ ଦଳର ନେତା ଏବେ ମହାଲିଙ୍ଗ କଲେଜ ପ୍ରସଙ୍ଗରୁ ରାଜନୈତିକ ଫାଇଦା ନେବାକୁ ବିଭିନ୍ନ ପ୍ରକାର ମନଗଢା କଥା କହୁଥିବାରୁ ଏହା କେବଳ ତଦନ୍ତକୁ ବାଟବଣା କରୁନାହିଁ, ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀ ଓ ବରିଷ୍ଠ ଅଧ୍ୟାପକମାନଙ୍କୁ ମଧ୍ୟ ବଦନାମ କରୁଛି । ଓଡିଶାବାସୀ ଏହି ଘଟଣା ଉପରେ ନଜର ରଖିଥିବାରୁ ଗଣମାଧ୍ୟମରେ ନିଜ ନିଜର ସ୍ଥିତି ଜାହିର ପାଇଁ ଏଭଳି ଉଦ୍ଭଟ ମନ୍ତବ୍ୟ ନଦେବାକୁ ବିରୋଧୀଙ୍କୁ ସେ ଅନୁରୋଧ ମଧ୍ୟ କରିଥିବା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.