ETV Bharat / city

ମା’ ମାଣିକେଶ୍ୱରଙ୍କ ନାଁ ନେଇ ଖସିପାରିବେ ନାହିଁ ଦିବ୍ୟଶଙ୍କର: ଲେଖାଶ୍ରୀ

author img

By

Published : Oct 30, 2021, 8:11 AM IST

ମମିତା ମେହେର ହତ୍ୟାଘଟଣାକୁ ନେଇ ଚାଲିଥିବା ବହୁ ପ୍ରତିବାଦ ପରେ ପକ୍ଷ ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀଙ୍କ 10 ପଏଣ୍ଟ ଜବାବର ପ୍ରତି ଜବାବ ମାଗିଲା ବିଜେପି । ଅଧିକ ପଢନ୍ତୁ...

ମା’ ମାଣିକେଶ୍ୱରଙ୍କ ନାଁ ନେଇ ଖସିପାରିବେ ନାହିଁ ଦିବ୍ୟଶଙ୍କର: ଲେଖାଶ୍ରୀ
ମା’ ମାଣିକେଶ୍ୱରଙ୍କ ନାଁ ନେଇ ଖସିପାରିବେ ନାହିଁ ଦିବ୍ୟଶଙ୍କର: ଲେଖାଶ୍ରୀ

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଅଞ୍ଚଳରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଲିଖିତ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । କ୍ୟାପଟେନ 10ଟି ପଏଣ୍ଟରେ ଦେଇଥିବା ବିବୃତ୍ତିର ପ୍ରତିଜବାବ ରଖିଛି ବିଜେପି । ଏହାସହ ମନ୍ତ୍ରୀଙ୍କୁ ସିଧାସଳଖ 4ଟି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

ମା’ ମାଣିକେଶ୍ୱରଙ୍କ ନାଁ ନେଇ ଖସିପାରିବେ ନାହିଁ ଦିବ୍ୟଶଙ୍କର: ଲେଖାଶ୍ରୀ

ଲେଖାଶ୍ରୀ କହିଛନ୍ତି ଯେ, ଦିବ୍ୟଶଙ୍କରଙ୍କ ବିବୃତ୍ତିରୁ ବିଜୁ ଜନତା ଦଳ ଏବଂ ତାଙ୍କ ନେତୃତ୍ୱର ସମ୍ବେଦନ ହୀନତା ସ୍ପଷ୍ଟ ବାରି ହେଉଛି । ପ୍ରମାଣ ନଷ୍ଟ କରିସାରିବା ପରେ ଗୋଟେ ମାଆକୁ କନ୍ଦେଇ ମାଆ ମାଣିକେଶ୍ୱରଙ୍କ ନାଁ ନେଇ ଖସିପାରିବେ ନାହିଁ । ଦିବ୍ୟଶଙ୍କର ରାଜ୍ୟବାସୀଙ୍କୁ ଦିନରେ ଲଣ୍ଠନ ନ ଦେଖାଇ ଓଡ଼ିଶାବାସୀଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଲେଖାଶ୍ରୀ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି ।

ଲେଖାଶ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତ୍ତି ବିଭ୍ରାନ୍ତିକର ଓ ନିନ୍ଦନୀୟ । ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଯାଇ ମନ୍ତ୍ରୀଙ୍କ ଏହି ବୃଥା ପ୍ରୟାସ ଓ ଅପଚେଷ୍ଟା ଏହି ବିବୃତ୍ତିରୁ ଜଣାପଡ଼ୁଛି । ନିଜ ନିର୍ବାଚନ ମଣ୍ଡଳିରେ ଘଟିଥିବା ଘଟଣା 21 ଦିନ ପରେ ମନ୍ତ୍ରୀ ଏହି ଘଟଣାରେ ମୁହଁ ନ ଖୋଲି ଲିଖିତ ଭାବରେ ବିବୃତ୍ତି ଜଣାଇବା ଯେତେ ସମ୍ବେଦନହୀନ, ସେତେ ଦୁର୍ଭାଗ୍ୟଜନକ । ଗୃହମନ୍ତ୍ରୀ ଭାବରେ ପୋଲିସର ଅପବ୍ୟବହାର କରି ଆଇନ ତଦନ୍ତର ବାଟବଣା କରିବା ପରେ ତଥା ଆଇନ ଅନୁଯାୟୀ ଦଣ୍ଡ ଦିଆଯିବା କହି ଦିବ୍ୟଶଙ୍କରଙ୍କ ପାରିବାପରିଆ ଜଣାପଡ଼ୁଛି ।

ବାୟୁ ସେନାରେ ସେ ଜଣେ ପୂର୍ବତନ ସୈନିକ କହି ପ୍ରଶଂସା ସାଉଁଟିବା ପାଇଁ ସେ ଅପଚେଷ୍ଟା କରିଛନ୍ତି । ଦୟାକରି ମନ୍ତ୍ରୀ ଏପରି କଥା କହି ଭାରତୀୟ ବାୟୁ ସେନାକୁ ନିନ୍ଦିତ ନ କରନ୍ତୁ । ଭାରତୀୟ ବାୟୁ ସେନା ପ୍ରତି ଦେଶର ନାଗରିକଙ୍କର ଯଥେଷ୍ଟ ସମ୍ମାନ ରହିଛି । ତାହାକୁ କ୍ଷୁର୍ଣ୍ଣ କରନ୍ତୁ ନାହିଁ । ଘଟଣା ଘଟିବାର 21 ଦିନ ବିତିଯାଇଥିଲେ ମଧ୍ୟ ଦିବ୍ୟଶଙ୍କର, ବିଜେଡ଼ି ଦଳ ଏବଂ ତାଙ୍କର ଦଳର ମୁଖିଆ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ନାହିଁ । କିମ୍ବା ଭେଟିଲେ ନାହିଁ । ନିଜେ ଏହି ଘଟଣାରେ ନୀରବ ରହିବା ଓ ଆତ୍ମଗୋପନ କରିବା ରାଜ୍ୟର ସାଢେ ଚାରି କୋଟି ଜନତାଙ୍କୁ କଷ୍ଟ ଦେଇଛି ।

ନିରପେକ୍ଷ ଖବର ପ୍ରସାରିତ କରୁଥିବା ଗଣମାଧ୍ୟମ ସହିତ ଓଡ଼ିଶାର ସମସ୍ତ ଗଣମାଧ୍ୟମକୁ ନାଲି ଆଖି ଦେଖାଇ ମାନହାନୀ ମୋକଦ୍ଦମା କରି ଦିବ୍ୟଶଙ୍କର ମିଶ୍ର ଏହି ଜଘନ୍ୟ ହତ୍ୟାକାଣ୍ଡରୁ ଖସିପାରିବେ ନାହିଁ । କିମ୍ବା ସତ୍ୟ ପରିବେଷଣ କରୁଥିବା ଗଣମାଧ୍ୟମ ଉପରେ ରୋକ ଲଗାଇ ପାରିବେ ନାହିଁ । ଆମେ ରାଜ୍ୟର ସମସ୍ତ ଗଣମାଧ୍ୟମ ସହ ଅଛୁ । ପୀଡ଼ିତା ପରିବାରଙ୍କୁ ନ୍ୟାୟରୁ ବଞ୍ଚିତ କରି ଏହି ଘଟଣାରେ ନିବୃତ୍ତ ରହିପାରିବେ ନାହିଁ । ମନ୍ତ୍ରୀ ଭାବେ ଏହି ଘଟଣାର ତଥ୍ୟ ପ୍ରମାଣ ନଷ୍ଟ କରିବା ପରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁକ୍ତ ଓ ନିରପେକ୍ଷ ତଦନ୍ତ କଥା କହିବା ଦୁଃଖଦ ପୂର୍ଣ୍ଣ ।

ସତ୍ୟ ପାଇଁ ଲଢ଼େଇ କରିବା କଥା କହିବା । ନିଜ ନିର୍ବାଚନ ମଣ୍ଡଳିର ପ୍ରତିନିଧି ହୋଇ ମଧ୍ୟ ସେ ପରିବାରକୁ ଦେଖା ନକରିବା । ତାଙ୍କ ସମ୍ବେଦନହୀନତା ଦର୍ଶାଉଛି । ତାଙ୍କ ସମ୍ପୃକ୍ତି ଥିବା ମୃତ ମମିତାଙ୍କ ବାପା ମାଆ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ଦିବ୍ୟଶଙ୍କର ମିଶ୍ର ମହାଲିଙ୍ଗ କଲେଜକୁ ବାରମ୍ବାର ଅନ୍ଧାରି ବିଜେ କରନ୍ତି ବୋଲି ଅଭିଯୋଗ ହେଉଛି । କ୍ୟାପଟେନ ମଧ୍ୟ କହୁଛନ୍ତି ବାରମ୍ବାର ମୁଁ ଏ କଲେଜକୁ ଆସିଲେ ଯୁବକତ୍ୱ ଫେରିଆସେ ! ଯଦି ଦିବ୍ୟଶଙ୍କରଙ୍କର ତଦନ୍ତ ପାଇଁ ଭୟ ନାହିଁ । ମନ୍ତ୍ରୀ ପଦ ପାଇଁ ଲୋଭ ନାହିଁ । ପ୍ରଥମେ ଗୃହ ରାଷ୍ଟ୍ର ମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ସୁପାରିଶ କରନ୍ତୁ । ପରବର୍ତ୍ତୀ ପର୍ଯ୍ୟାୟରେ ନିଜେ ଇସ୍ତଫା ଦେଇ ନିରପେକ୍ଷ ତଦନ୍ତ ପାଇଁ ବାଟ ଖୋଲନ୍ତୁ ।

ଆମେ ମମିତାଙ୍କ ପରିବାର ସହ ଅଛୁ । ଓଡ଼ିଶାର ସମସ୍ତ ଗଣମାଧ୍ୟମକୁ ଅନୁରୋଧ କରୁଛୁ, ଘଟଣାର ଅନୁଧ୍ୟାନ କରି ସତ୍ୟାସତ୍ୟ ବାହାରକୁ ଆଣିବାକୁ ଚେଷ୍ଟା କରନ୍ତୁ । କଳାହାଣ୍ଡିର ଭାବାବେଗର ପ୍ରତୀକ ମାଆ ମାଣିକେଶ୍ୱରୀ କହି ଜିଲ୍ଲାବାସୀଙ୍କ ଭାବାବେଗକୁ ଅପମାନିତ କରନ୍ତୁ ନାହିଁ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ 4ଟି ପ୍ରଶ୍ନ ପଚାରିଛନ୍ତି ।

1- ମମିତା ମେହେରଙ୍କ ପାଖରେ ଦିବ୍ୟଶଙ୍କରଙ୍କ କେଉଁ ଭିଡ଼ିଓ ଥିଲା, ଯେଉଁଥିପାଇଁ ମମିତାଙ୍କ ବିଭତ୍ସ ଭାବେ ହତ୍ୟା କରାଗଲା ? ଏହା ଉପରେ ଦିବ୍ୟଶଙ୍କର ସ୍ପଷ୍ଟିକରଣ ରଖନ୍ତୁ ।

2- ରାୟପୁରରେ ଏକ ଘରେ ସେ ହତ୍ୟାକାରୀ ଗୋବନ୍ଦ ସାହୁଙ୍କ ସହ କଣ ବୁଝାମଣା କରିବାକୁ ଯାଇଥିଲେ ? ମନ୍ତ୍ରୀ ଉତ୍ତର ରଖନ୍ତୁ ।

3- ଗୋବିନ୍ଦ ସାହୁ ଫେରାର କରାଇବା ଏବଂ ଘଟଣାକୁ ଚାପି ଦେବା ଓ ପ୍ରମାଣ ନଷ୍ଟ କରିବାରେ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଅଛନ୍ତି ନା ନାହିଁ, ସ୍ପଷ୍ଟ କରନ୍ତୁ ।

4- ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ କେଉଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଗୋବିନ୍ଦ ସାହୁ ଯାଇଥିଲେ ତାହା ଉପରେ ମଧ୍ୟ ମନ୍ତ୍ରୀ ଉତ୍ତର ରଖିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.