ETV Bharat / city

ନକଲି ପ୍ରମାଣପତ୍ର ପ୍ରଦାନ କରିବା ଅଭିଯୋଗରେ ଜନସେବା କେନ୍ଦ୍ର ସିଲ୍‌

author img

By

Published : Jul 30, 2021, 7:49 AM IST

public service center sealed by tahasildar in ganjam
ନକଲି ପ୍ରମାଣପତ୍ର ପ୍ରଦାନ କରିବା ଅଭିଯୋଗରେ ଜନସେବା କେନ୍ଦ୍ର ସିଲ

ଜନସେବା କେନ୍ଦ୍ର ସିଲ । ନକଲି ପ୍ରମାଣପତ୍ର ପ୍ରଦାନ କରିବା ଅଭିଯୋଗରେ ଜନସେବା କେନ୍ଦ୍ର ସିଲ କଲେ ତହସିଲଦାର । ଅଧିକ ପଢନ୍ତୁ....

ବ୍ରହ୍ମପୁର: ନକଲି ପ୍ରମାଣପତ୍ର ପ୍ରଦାନ କରିବା ଅଭିଯୋଗରେ ଜନସେବା କେନ୍ଦ୍ର ସିଲ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗାଁରେ ରହିଥିବା ଜନସେବା କେନ୍ଦ୍ରକୁ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ୱାଇଁ ସିଲ କରିଥିବା ଜଣାପଡ଼ିଛି । ଏହାସହ ଘଟଣାର ଅଧିକ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ସୂଚନାନୁଯାୟୀ, କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ନିଯୁକ୍ତି କିମ୍ବା ବିଭିନ୍ନ ସହାୟତା ଯୋଜନାରେ ସାମିଲ କରାଯିବା ପାଇଁ ବିଭିନ୍ନ ପ୍ରମାଣପତ୍ର ବାଧ୍ୟତାମୂଳକ କରିଛନ୍ତି । କିନ୍ତୁ ଏହି ପ୍ରମାଣପତ୍ର ଯୋଗାଇଦେବା ନାମରେ ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ପ୍ରଦାନ କରି ଠକି ଚାଲିଥିଲେ ଜନସେବା କେନ୍ଦ୍ର ଚଳାଉଥିବା ଯୁବକ ଜିତେନ୍ଦ୍ର କୁମାର ସେଠୀ ।

ଜିତେନ୍ଦ୍ର ଦୀର୍ଘଦିନ ଧରି ଲୋକଙ୍କୁ ସେବା ଯୋଗାଇ ଦେବା ନାମରେ ଆଧାର କାର୍ଡ, ଆୟ ସାର୍ଟିଫିକେଟ ଭଳି ନକଲି ପ୍ରମାଣପତ୍ର ପ୍ରସ୍ତୁତ କରି ଗରୀବ ଲୋକଙ୍କ ଠାରୁ ଟଙ୍କା ଲୁଟି ନେଉଥିଲା । ତେବେ ଏହି ଗରିବ ହିତାଧିକାରୀମାନେ ସରକାରୀ ସହାୟତା ପାଇବା ଆଶାରେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ସେମାନଙ୍କ ପ୍ରମାଣପତ୍ର ଜାଲିଆତି ରହିଥିବା ଜଣାପଡିଥିଲା । ଯାହାଫଳରେ ବ୍ଳକ ଅଧିକାରୀ ଘଟଣା ସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇଥିଲେ ।

ଏହାପରେ ତହସିଲଦାରଙ୍କ ଉପସ୍ଥିତିରେ କଇଠଖଣ୍ଡି ରାଜସ୍ବ ନିରୀକ୍ଷକ ଫକୀର ମୋହନ ରାଉତ, କନିଷ୍ଠ ରାଜସ୍ବ ସହାୟିକା ରୋଜାଲିନ ଡାକୁଆ ସଦଳବଳେ ସେହି ଜନସେବା କେନ୍ଦ୍ର ଉପରେ ଚଢ଼ାଉ କରିଥିଲେ । ଘଟଣା ପରେ ତହସିଲ ପ୍ରଶାସନ ପକ୍ଷରୁ ସିଲ ମଧ୍ୟ କରିଥିଲେ । ଏନେଇ ତହସିଲଦାର ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.