ETV Bharat / bharat

ରାଜସ୍ଥାନରେ ଚାଞ୍ଚଲ୍ୟ; ମଝି ରାସ୍ତାରେ ପଡିଛି ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା !

author img

By ETV Bharat Odisha Team

Published : Sep 29, 2023, 3:55 PM IST

Etv Bharat
Etv Bharat

ରାଜସ୍ଥାନ ରାଜଧାନୀ ଜୟପୁରରେ ଚାଞ୍ଚଲ୍ୟ । ମଝି ରାସ୍ତାରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରର ଗ୍ରାମାଞ୍ଚଳରେ ଚାଞ୍ଚଲ୍ୟ । ଶୁକ୍ରବାର ସକାଳୁ ସକାଳୁ ଗାଁର ମଝି ରାସ୍ତାରେ ଠାବ ହେଲା ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଏହି ଘଟଣା ସଙ୍ଗେ ସଙ୍ଗେ ସାରା ଅଞ୍ଚଳରେ ବ୍ୟାପିଯାଇଥିବା ବେଳେ ଘଟଣାସ୍ଥଳରେ ଭିଡ଼ ଜମିଥିଲା । ମହିଳାଙ୍କ ପରିଚୟ ମିଳିନଥିବାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇ ପରିଚୟ ଲୁଚାଇବା ଲାଗି କେହି ତାଙ୍କ ଶରୀରରେ ନିଆଁ ଲଗାଇଥିବା ପୋଲିସ ସନ୍ଦେହ କରିଛି । ଘଟଣାସ୍ଥଳରେ ଫରେନ୍ସିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

କାନୋତା ଥାନା ଅଧୀନସ୍ଥ ପାପଡ ରୋଡ ନିକଟରେ ମହିଳାଙ୍କ ମୃତଦେହ ଠାବ ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କାନୋତାପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏ ନେଇ ଏସିପି କୁଲଚନ୍ଦ ମିଣା କହିଛନ୍ତି, "ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବାସୀ ପୋଲିସକୁ ଖବର ଦେଇଥିଲେ । ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ନିକଟରେ ଅଧା ଜଳା ଗଛର ଡାଳ ମଧ୍ୟ ଦେଖିବାକୁ ମିଳିଛି । ହୁଏତ ମହିଳାଙ୍କ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଲାଗି ତାଙ୍କୁ ଏଠାରେ ଦୁର୍ବୃତ୍ତ ପୋଡିବା ଲାଗି ଉଦ୍ୟମ କରିଛି । ଫରେନ୍ସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରୁଛି ।"

ଏହା ବି ପଢନ୍ତୁ- ପରିତ୍ୟକ୍ତ ଘରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ମହିଳାଙ୍କ ବାମ ପାର୍ଶ୍ବ ଗାଲରେ କଳାଜାଇ ରହିଛି । ଏନେଇ ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିବା ବେଳେ ଅପରାଧୀକୁ ଖୋଜିବା ଲାଗି ତଦନ୍ତ ଆରମ୍ଭ ହୋଇଛି । ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପୋଲିସ ଲୋକଙ୍କୁ ଶାନ୍ତ କରାଇବା ପରେ ରାସ୍ତା ମଝିରୁ ମୃତଦେହକୁ ଉଠାଇ ନିକଟସ୍ଥ ମୃତଦେହ ରଖାଯାଉଥିବା କୋଠରୀରେ ରଖିଛି ।

ଏହା ବି ପଢନ୍ତୁ- ରାଜସ୍ଥାନରୁ ଅପହରଣ, ହରିୟାଣାରେ ମିଳିଲା ୨ ମୁସଲିମ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ସେପଟେ ଜମବାରାମଗଡର ପୂର୍ବତନ ବିଧାୟକ ଜଗଦିଶ ନାରାୟଣ ଉକ୍ତ ଗ୍ରାମାଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବା ସହ ରାତିରେ ପୋଲିସ ପାଟ୍ରୋଲିଂ ଲାଗି ଦାବି କରିଛନ୍ତି । ଏହାସହ ତୁରନ୍ତ ଅପରାଧୀକୁ ଚିହ୍ନଟ କରାଯାଇ ହତ୍ୟାକାଣ୍ଡର କାରଣର ପର୍ଦ୍ଦାଫାଶ କରିବା ଲାଗି ଦାବି ମଧ୍ୟ କରିଛନ୍ତି । ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବଶୀଘ୍ର ଅପରାଧୀକୁ ଗିରଫ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.