ETV Bharat / bharat

West Bengal Panchayat Poll Counting: ଆରମ୍ଭ ହେଲା ଭୋଟ ଗଣତି

author img

By

Published : Jul 11, 2023, 8:10 AM IST

Updated : Jul 11, 2023, 9:15 AM IST

ଆଜି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି
ଆଜି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି

ପଶ୍ଚିମବଙ୍ଗରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜି ଭୋଟ ଗଣତି । କଡା ସୁରକ୍ଷା ମଧ୍ୟରେ ୮ ଟାରୁ ଆରମ୍ଭ ହେବ ଗଣତି କାର୍ଯ୍ୟ । ଅଧିକ ପଢନ୍ତୁ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଆଜି ଭୋଟ ଗଣତି । ସକାଳ ୮ଟାରୁ ଗଣତି ଆରମ୍ଭ ହୋଇ ଆଜି ଫଳାଫଳ ପ୍ରକାଶ ପାଇବ । ମତଦାନ ସମୟରେ ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଥିବା ଯୋଗୁଁ ଭୋଟ ଗଣନା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯିବ ସହ ସିସିଟିଭି କ୍ୟାମେରା ଜରିଆରେ ନଜର ରଖାଯାଉଛି । ପଶ୍ଚିମବଙ୍ଗରେ ଜୁଲାଇ ୮ରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନରେ ହିଂସା ଓ ବୁଥ ରିଗିଂର ଅନେକ ଘଟଣା ସାମ୍ନାକୁ ଆସିଥିଲା । ତେଣୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଗତକାଲି(ସୋମବାର) ରାଜ୍ୟର ୬୯୬ ବୁଥରରେ ସାନି ମତଦାନ ହୋଇଥିଲା । ଆଜି ସବୁ ପଞ୍ଚାୟତର ନିର୍ବାଚନ ଫଳାଫଳ ଘୋଷଣା ହେବ ।

ସୂଚନା ଅନୁଯାୟୀ, ପ୍ରଥମେ ଗ୍ରାମ ପଞ୍ଚାୟତ ଆସନ ପାଇଁ ଭୋଟ ଗଣତି କରାଯିବ । ଏହାପରେ ଜିଲ୍ଲା ସମିତି ଏବଂ ଜିଲ୍ଲା ପରିଷଦ ଭୋଟ ଗଣନା ହେବ । ସମ୍ଭାବ୍ୟ ହିଂସା ଦୃଷ୍ଟିରୁ ସବୁ ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି । ସିସିଟିଭି କ୍ୟାମେର ମାଧ୍ୟମରେ ସ୍ଥିତି ଉପରେ ନଜର ରଖାଯାଉଛି । ତେବେ ଏହାରି ଭିତରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ୍‌ ପ୍ରାକ ନିର୍ବାଚନୀ ହିଂସା ପ୍ରଭାବିତ ଜିଲ୍ଲାଗୁଡିକ ପରିଦର୍ଶନ କରିବା ପରେ ଗତକାଲି ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଶାହଙ୍କ ସହ ବୈଠକ ପରେ ରାଜ୍ୟପାଳ କହିଛନ୍ତି ଯେ, ସୁଡଙ୍ଗର ଶେଷରେ ଆଲୋକ ଦିଶିବ ଏବଂ ଭବିଷ୍ୟତରେ ଭଲ ଘଟଣାମାନ ଘଟିବ ।

ଅନ୍ୟପଟେ ଭୋଟ ଗଣତିର ଗୋଟିଏ ଦିନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏକ ଚାରି ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ । କମିଟି ହିଂସା ପ୍ରଭାବିତ ଅଞ୍ଚଳଗୁଡିକ ଗସ୍ତ କରି ସ୍ଥିତି ସମୀକ୍ଷା କରିବେ ଏବଂ ନଡ୍ଡାଙ୍କୁ ରିପୋର୍ଟ ଦେବେ । ଏହି ଟିମ୍‌ରେ ଦଳର ବରିଷ୍ଠ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ, ସାଂସଦ ଡ. ସତ୍ୟପାଲ ସିଂ, ରାଜଦୀପ ରୟ ଏବଂ ରାକେଶ ବର୍ମା ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ: West Bengal panchayat poll: ଆଜି ଏକାଧିକ ବୁଥ୍‌ରେ ସାନି ମତଦାନ, ଶନିବାର ଯାଇଥିଲା 15 ଜୀବନ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସମୟରେ ହିଂସା ଘଟି ୮ ଜଣଙ୍କ ପ୍ରାଣହାନି ହୋଇଥିଲା । ପରେ ମତଦାନ ସମୟରେ ପୁଣିଥରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଶନିବାର ଭୋଟ ଗ୍ରହଣ ମଧ୍ୟରେ ବିଭିନ୍ନ ସ୍ଥାନରେ ହିଂସା, ପୋଡ଼ାଜଳା, ବୁଥ୍‌ ଦଖଲ ହୋଇଥିଲା । ଏହି ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି ।

Last Updated :Jul 11, 2023, 9:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.