ETV Bharat / bharat

ଗଞ୍ଜା ଲଢେଇ ଦେଖିବାକୁ ଆସିଥିଲେ, ଚାଲିଗଲା ଦୁଇ ଯୁବକଙ୍କ ଜୀବନ

author img

By

Published : Jan 16, 2023, 9:20 PM IST

କାଳ ହେଲା ଗଞ୍ଜା ଲଢେଇ, ଚାଲିଗଲା ଦୁଇ ଯୁବକଙ୍କ ଜୀବନ
କାଳ ହେଲା ଗଞ୍ଜା ଲଢେଇ, ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଆନ୍ଧ୍ର ପ୍ରଦେଶରେ ଗଞ୍ଜା ଲଢେଇ ବେଳେ ଅଘଟଣ । ପୃଥକ ପୃଥକ ସ୍ଥାନରେ ଗଞ୍ଜା ଗୋଡରେ ଲାଗିଥିବା ଛୁରୀରେ କଟି ଦୁଇ ଯୁବକ ମୃତ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଗଞ୍ଜା ଲଢେଇ ବେଳେ ଅଘଟଣରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ଲଢେଇ ପାଇଁ ଗଞ୍ଜା ଗୋଡରେ ବନ୍ଧା ଯାଉଥିବା ତୀକ୍ଷ୍ଣ ଛୁରୀ ଦୁଇଜଣଙ୍କ ପ୍ରାଣ ନେଇଛି । ଆନ୍ଧ୍ର ପ୍ରଦେଶର ପୃଥକ ପୃଥକ ସ୍ଥାନରେ ଘଟିଥିବା ଦୁଇ ଅଘଟଣରେ ଦୁଇ ଯୁବକ ପ୍ରାଣ ହରାଇଛନ୍ତି । ପ୍ରଥମ ଘଟଣାଟି ପୂର୍ବ-ଗୋଦାବରୀ ଜିଲ୍ଲାରେ ଘଟିଥିବା ବେଳେ ଦ୍ବିତୀୟଟି କାକିନାଡା ଜିଲ୍ଲାରେ ଘଟିଥିବା ସୂଚନା ମିଳିଛି ।

ମକର ସଂକ୍ରାନ୍ତି ଅବସରରେ ପୂର୍ବ ଗୋଦାବରୀ ଜିଲ୍ଲାର ନାଲାଜର୍ଲା ମଣ୍ଡଳରେ ଏକ ଗଞ୍ଜା ଲଢେଇ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ପାଦମରାଜୁ ନାମକ ଜଣେ ସ୍ଥାନୀୟ ଯୁବକ ଗଞ୍ଜା ଲଢେଇ ଦେଖୁଥିବା ବେଳେ ଏହି ଅଘଟଣ ଘଟିଛି । ଲଢେଇରେ ଅଂଶଗ୍ରହଣ କରିଥିବା ଗଞ୍ଜାମାନଙ୍କ ଗୋଡରେ ଧାରୁଆ ଛୁରୀ ବନ୍ଧାଯାଇଥାଏ । ଏହି ସମୟରେ ଏକ ଗଞ୍ଜା ଉଡି ଆସି ପାଦମରାଜୁଙ୍କ ଉପରେ ପଡିଥିଲା । ଗଞ୍ଜା ଗୋଡରେ ବନ୍ଧାଯାଇଥିବା ଛୁରୀମାଡରେ ପାଦମରାଜୁଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହେବା ଏକ ଶିର କଟି ଯାଇଥିଲା । ପ୍ରବଳ ରକ୍ତସ୍ରାବ ହେଉଥିବା ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସେହିପରି ଦ୍ବିତୀୟ ଘଟଣାଟି ଉପକୂଳ ଆନ୍ଧ୍ରର କାକିନାଡା ଜିଲ୍ଲାରେ ଘଟିଛି । କିରଲାମପୁଡିରେ ଆୟୋଜିତ ଏକ ଗଞ୍ଜା ଲଢେଇ କାର୍ଯ୍ୟକ୍ରମରେ ଏହି ଅଘଟଣା ଘଟିଛି । ଗଞ୍ଜାକୁ ଲଢେଇ ପାଇଁ ପ୍ରସ୍ତୁତି କରୁଥିବା ସୁରେଶ ନାମକ ଜଣେ ସ୍ଥାନୀୟ ଯୁବକ ଗଞ୍ଜା ଗୋଡରେ ତୀକ୍ଷ୍ମ ଛୁରୀ ବାନ୍ଧୁଥିବା ସମୟରେ ଛୁରୀଟି ତାଙ୍କ ହାତ କାଟି ଦେଇଥିଲା । ତାଙ୍କ ହାତର ଏକ ଶିର କଟିଯିବା କାରଣରୁ ତାଙ୍କୁ ହସ୍ପିଟାଲ ନେଉଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଉଭୟ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଘଟଣ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଆୟୋଜନ ନେଇ ସ୍ଥାନୀୟ ପ୍ରଶାସନ କଟକଣା ମଧ୍ୟ ଜାରି କରିଥିବା ସୂଚନା ମିଳିଛି ।

ଅନ୍ୟପଟେ ଏପରି ବିପଜ୍ଜନକ ତଥା ପଶୁ କ୍ରୁରତା ପ୍ରତିଯୋଗିତା ବନ୍ଦ କରିବା ପାଇଁ ପ୍ରଶାସନିକ କଟକଣା ସତ୍ତ୍ବେ ମଧ୍ୟ ଉପକୂଳ ଆନ୍ଧ୍ର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତି ଅବସରରେ ଏପରି ଆୟୋଜନ କରାଯାଉଛି । ସ୍ଥାନୀୟ ଜନ ପ୍ରତିନିଧି ତଥା ରାଜନୈତିକ ବ୍ୟକ୍ତିବିଶେଷଙ୍କ ସମର୍ଥନ ରହୁଥିବାରୁ କଟକଣାକୁ ବେଖାତିର କରି ଏପରି ଆୟୋଜନ କରୁଛନ୍ତି ଆୟୋଜକ । ଆଜିର ଘଟଣା ପରେ ବିଭିନ୍ନ ସ୍ଥାନ ଗଞ୍ଜା ଲଢେଇ ଉପରେ କଟକଣା ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.