ETV Bharat / bharat

Maha Crisis: କାମାକ୍ଷା ମନ୍ଦିରରେ ସିନ୍ଧେଙ୍କ ପୂଜାର୍ଚ୍ଚନା, କାଲି ଫେରିବେ ମୁମ୍ବାଇ

author img

By

Published : Jun 29, 2022, 9:28 AM IST

Maharashtra crisis: 4 ବିଧାୟକଙ୍କ ସହ କାମାକ୍ଷା ମନ୍ଦିରରେ ଦର୍ଶନ କଲେ ସିନ୍ଧେ, ଆସନ୍ତାକାଲି ଫେରିବେ ମୁମ୍ବାଇ
Maharashtra crisis: 4 ବିଧାୟକଙ୍କ ସହ କାମାକ୍ଷା ମନ୍ଦିରରେ ଦର୍ଶନ କଲେ ସିନ୍ଧେ, ଆସନ୍ତାକାଲି ଫେରିବେ ମୁମ୍ବାଇ

କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କଲେ ଏକନାଥ ସିନ୍ଧେ । ଆସନ୍ତାକାଲି ମୁମ୍ବାଇ ଫେରିବା ନେଇ ସୂଚନା । କାଲି ଫ୍ଲୋର ଟେଷ୍ଟ ଦେବ ଠାକରେ ସରକାର । ଅଧିକ ପଢନ୍ତୁ

ଗୌହାଟୀ: ମହାରାଷ୍ଟ୍ର ରାଜନୀତିରେ ଲାଗି ରହିଥିବା ମହାସଙ୍କଟ କ୍ରମଶଃ ରୋଚକ ମୋଡ ନେବାରେ ଲାଗିଛି । ଆଜି (ବୁଧବାର) ଆସାମ ରାଜଧାନୀ ଗୌହାଟୀରେ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ବ ନେଉଥିବା ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଧେ କାମାକ୍ଷା ମନ୍ଦିର ଯାଇ ଦର୍ଶନ କରିଛନ୍ତି । ସିନ୍ଧେଙ୍କ ସହ ଅନ୍ୟ 4 ବିଧାୟକ ମଧ୍ୟ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହାରି ମଧ୍ୟରେ ପୁରା ସଙ୍କଟର ମୁଖ୍ୟ ଚରିତ୍ର କୁହାଯାଉଥିବା ସିନ୍ଧେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ମଧ୍ୟ ଦେଇଛନ୍ତି । ସେ ଓ ତାଙ୍କ ସାଥୀ ବିଧାୟକମାନେ ଆସନ୍ତାକାଲି(ଗୁରୁବାର) ମୁମ୍ବାଇ ଫେରିବା ନେଇ ସଙ୍କେତ ଦେଇଛନ୍ତି ସିନ୍ଧେ ।

ସିନ୍ଧେ କହିଛନ୍ତି, ଶାନ୍ତି ପାଇଁ ସମୃଦ୍ଧି ପାଇଁ ସେ ମନ୍ଦିରରେ ପୂଜା କରିଛନ୍ତି । ଆସନ୍ତାକାଲି(ଗୁରୁବାର) ସେମାନେ ମୁମ୍ବାଇ ଫେରି ଫ୍ଲୋର ଟେଷ୍ଟରେ ଅଂଶଗ୍ରହଣ କରିବେ ଓ ପରବର୍ତ୍ତୀ ପ୍ରକ୍ରିୟା ମଧ୍ୟ ନିର୍ଣ୍ଣୟ କରିବେ । ତାଙ୍କ ନିକଟରେ ପ୍ରାୟ 40ରୁ ଊର୍ଦ୍ଧ୍ବ ବିଧାୟକ ମଧ୍ୟ ରହିଛନ୍ତି । ସିନ୍ଧେ ଗୋଷ୍ଠୀ ସମର୍ଥନରେ ରାଜ୍ୟରେ ବିଜେପି ସରକାର ଗଠନ କରିବା ସହ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଏକପ୍ରକାର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ବିଜେପି କିନ୍ତୁ ଔପଚାରିକ ଭାବେ କିଛି ପ୍ରକାଶ ନକରି ପୁରା ଘଟଣାକ୍ରମରେ ପ୍ରଥମ ଦିନରୁ ଅସମ୍ଭବ ନିରବତା ଧାରଣ କରିଛି ।

ସିନ୍ଧେ ଗୋଷ୍ଠୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଯୋଗାଯୋଗରେ ଅଛନ୍ତି ଓ ସରକାର ଗଠନ ନେଇ ସମସ୍ତ ଆଲୋଚନା ଶେଷ ମଧ୍ୟ ହୋଇ ସାରିଥିବା ଗଣମାଧ୍ୟମରେ ଖବର ଚର୍ଚ୍ଚା ଜାରି ରହିଛି । ଏହାରି ମଧ୍ୟରେ ସିନ୍ଧେଙ୍କ ମୁମ୍ବାଇ ପ୍ରତ୍ୟାବର୍ତ୍ତନ ସୂଚନା ମିଳିବା ପରେ ପରବର୍ତ୍ତୀ ଘଟଣା ଉପରେ ସମଗ୍ର ଦେଶର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.