ETV Bharat / bharat

ରେସଲିଂ ବିବାଦର ନୂଆ ମୋଡ଼: ସିନିୟରଙ୍କ ବିରୋଧରେ ମୁହଁ ଖୋଲିଲେ ଜୁନିୟର, ଜନ୍ତର ମନ୍ତରରେ ଧାରଣା

author img

By ETV Bharat Odisha Team

Published : Jan 3, 2024, 1:33 PM IST

Updated : Jan 3, 2024, 2:06 PM IST

New Twist in wrestling: କୁସ୍ତିଯୋଦ୍ଧା ବିବାଦରେ ନୂଆ ମୋଡ଼ । ସିନିୟର କୁସ୍ତିଯୋଦ୍ଧାଙ୍କ ବିରୋଧରେ ମୁହଁ ଖୋଲିଲେ ଜୁନିୟର । କ୍ୟାରିୟର ପ୍ରଭାବିତକୁ ନେଇ ବଜରଙ୍ଗ, ସାକ୍ଷୀ ଏବଂ ଭିନେଶଙ୍କ ବିରୋଧରେ ଜୁନିୟର କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ,

ରେସଲିଂ ବିବାଦରେ ନୂଆ ମୋଡ଼: ସିନିୟରଙ୍କ ବିରୋଧରେ ମୁହଁ ଖୋଲିଲେ ଜୁନିଅର
ରେସଲିଂ ବିବାଦରେ ନୂଆ ମୋଡ଼: ସିନିୟରଙ୍କ ବିରୋଧରେ ମୁହଁ ଖୋଲିଲେ ଜୁନିଅର

ନୂଆଦିଲ୍ଲୀ: ଭାରତୀୟ କୁସ୍ତିରେ ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି । ଜୁନିୟର କୁସ୍ତିଯୋଦ୍ଧାମାନେ, ସିନିୟର କୁସ୍ତିଯୋଦ୍ଧାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ଭାରତୀୟ କୁସ୍ତିଯୋଦ୍ଧା ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ମାମଲାକୁ ନେଇ ଦୀର୍ଘ ଦିନ ଧରି ଠପ୍ ହୋଇଯାଇଛି କୁସ୍ତି ଯୋଦ୍ଧା ପ୍ରତିଯୋଗିତା । ଏଥିପାଇଁ ପାଖାପାଖି ବର୍ଷେ ହେଲା କୌଣସି ପ୍ରତିଯୋଗିତା ହୋଇନଥିବା ଅଭିଯୋଗ କରିଛନ୍ତି ଜୁନିୟର କୁସ୍ତିଯୋଦ୍ଧା । ଏହାକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ଜୁନିୟର କୁସ୍ତିଯୋଦ୍ଧା । କ୍ୟାରିଅର ଏକ ବର୍ଷ ହରାଇଥିବା ଦର୍ଶାଇ, ଜୁନିୟର ରେସଲରମାନେ, ସିନିୟର ରେସଲର ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ଭିନେଶ ଫୋଗାଟଙ୍କ ବିରୋଧରେ ପ୍ରତିବାଦ ଆରମ୍ଭ କରିଛନ୍ତି |

ଏହାମଧ୍ୟ ପଢ଼ନ୍ତୁ: କୁସ୍ତି ମହାସଂଘ ନିଲମ୍ବନ ପ୍ରତ୍ୟାହାର ସମ୍ଭାବନା କ୍ଷୀଣ !

୩୦୦ରୁ ଅଧିକ ଜୁନିୟର କୁସ୍ତିଯୋଦ୍ଧା ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦିଲ୍ଲୀ ଜନ୍ତର ମନ୍ତରରେ ଧାରଣା ଦେଇଛନ୍ତି । ଜୁନିଅର କୁସ୍ତିଯୋଦ୍ଧାମାନେ ନରେଲାର ବୀରେନ୍ଦ୍ର ରେସଲିଂ ଏକାଡେମୀରୁ ବସ୍ ଯୋଗେ ଜନ୍ତର ମନ୍ତରରେ ପହଞ୍ଚିବା ପରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଯୁକ୍ତି, କୁସ୍ତି ମହାସଂଘ ବିବାଦ ଯୋଗୁଁ ସେମାନଙ୍କର କ୍ୟାରିୟର ପାଖାପାଖି ଏକବର୍ଷ ଧରି ପ୍ରଭାବିତ ହୋଇଛି । ଆଉ ଏଥିପାଇଁ ସେମାନେ, ସିନିୟର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ଭିନେଶ ଫୋଗାଟଙ୍କୁ ଦାୟୀ କରିଛନ୍ତି । ସିନିୟରଙ୍କ ଆପତ୍ତି ଅଭିଯୋଗ ଯୋଗୁଁ, କୁସ୍ତି ମହାସଂଘ ସଂପୂର୍ଣ୍ଣ ଅକାମୀ ହୋଇଯାଇଥିବା କହିଛନ୍ତି ଜୁନିୟର କୁସ୍ତିଯୋଦ୍ଧା ।

ଏହାମଧ୍ୟ ପଢ଼ନ୍ତୁ: ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ; ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷ ପଦ ରବ୍ଦ

ଜୁନିୟର କୁସ୍ତିଯୋଦ୍ଧାମାନେ, ବଜରଙ୍ଗ, ସାକ୍ଷୀ ଏବଂ ଭିନେଶଙ୍କ ବିରୋଧରେ ନାରାବାଜି କରିଛନ୍ତି । ଏହି ତିନି ରେସଲରଙ୍କଠାରୁ, ରେସଲିଂକୁ ବଞ୍ଚାଇବା ନେଇ ବ୍ୟାନର ପ୍ରଦର୍ଶନ କରିଛନ୍ତି । ଜୁନିଅର କୁସ୍ତିଯୋଦ୍ଧାଙ୍କ ଧାରଣା ପ୍ରଦର୍ଶନସ୍ଥଳୀରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । WFIକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ସସପେଣ୍ଡ କରିଥିବା ବେଳେ, ଗତବର୍ଷ ଜାନୁଆାରୀଠାରୁ ଜାତୀୟ ଶିବିର ଏବଂ ପ୍ରତିଯୋଗିତା ସ୍ଥଗିତ ରହିଛି । ସିନିୟର କୁସ୍ତିଯୋଦ୍ଧାଙ୍କ ଆପତ୍ତି ଯୋଗୁଁ WFI ନିର୍ବାଚନକୁ ବାତିଲ କରାଯାଇ ଆଡ-ହକ୍ ପ୍ୟାନେଲ୍ ଗଠନ କରାଯାଇଛି । କ୍ରୀଡ଼ା ମନ୍ତ୍ରାଳୟ ଦ୍ବାରା ନିଯୁକ୍ତ ଆଡ୍-ହକ୍ ପ୍ୟାନେଲକୁ ହଟାଇ ଦିଆଯାଇ ନିଲମ୍ବିତ WFI କୁ ପୁନଃ ସ୍ଥାପିତ କରିବାକୁ ଜୁନିୟରମାନେ ଦାବି କରିଛନ୍ତି।

ଏହାମଧ୍ୟ ପଢ଼ନ୍ତୁ: ବ୍ରିଜଭୂଷଣଙ୍କ ସହଯୋଗୀ WFI ସଭାପତି ହେବା ପରେ କୁସ୍ତି ଛାଡ଼ିଲେ ସାକ୍ଷୀ: କାନ୍ଦିଲେ, ଟେବୁଲ ଉପରେ ଜୋତା ରଖିଲେ

ସୂଚନାଯୋଗ୍ୟ ଯେ, WFIର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଏବଂ WFIର ନବ ନିିର୍ବାଚିତ ସଭାପତି ସଂଜୟ ସିଂହଙ୍କୁ ବିରୋଧ କରିଥିଲେ ସିନିୟର କୁସ୍ତିଯୋଦ୍ଧା ସାକ୍ଷୀ, ବଜରଙ୍ଗ ଏବଂ ଭିନେଶ । ସଂଜୟ ସିଂହ, ବ୍ରିଜ ଭୂଷଣଙ୍କ ସହଯୋଗୀ ହୋଇଥିବା ଅଭିଯୋଗ କରି ସାକ୍ଷୀ ରେସଲିଂରୁ ସନ୍ଯାସ ଘୋଷଣା କରିଥିବା ବେଳ, ବଜରଙ୍ଗ ଏବଂ ଭିନେଶ ନିଜ ନିଜର ମେଡାଲ ଫେରାଇ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 3, 2024, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.