ETV Bharat / bharat

କୁସ୍ତି ମହାସଂଘ ନିଲମ୍ବନ ପ୍ରତ୍ୟାହାର ସମ୍ଭାବନା କ୍ଷୀଣ !

author img

By ETV Bharat Odisha Team

Published : Jan 1, 2024, 5:28 PM IST

Wrestling turmoil: କୁସ୍ତି ମହାସଂଘ ନିଲମ୍ବନ ପ୍ରତ୍ୟାହାର କରିବନି କ୍ରୀଡା ମନ୍ତ୍ରଣାଳୟ । ନିଲମ୍ବିତ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାକୁ ସରକାର ଅନାଗ୍ରହୀ । ଅଧିକ ପଢନ୍ତୁ

କୁସ୍ତିମହାସଂଘ ଉପରୁ ନିଲମ୍ବନ ପ୍ରତ୍ୟାହାର ସମ୍ଭାବନା କ୍ଷୀଣ !
କୁସ୍ତିମହାସଂଘ ଉପରୁ ନିଲମ୍ବନ ପ୍ରତ୍ୟାହାର ସମ୍ଭାବନା କ୍ଷୀଣ !

ନୂଆଦିଲ୍ଲୀ: କୁସ୍ତି ମହାସଂଘ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା ସପକ୍ଷରେ ନାହାନ୍ତି କେନ୍ଦ୍ର ସରକାର । ନିଲମ୍ବିତ ହୋଇଥିବା କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ କୌଣସି ଆଲୋଚନା ପାଇଁ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଇଚ୍ଛୁକ ନଥିବା ବିଶେଷସୂତ୍ରରୁ ଜଣାପଡିଛି । ମହାସଂଘର ନିଲମ୍ବିତ ସଭାପତି ସଂଞ୍ଜୟ ସିଂ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଆଗ୍ରହୀ ଥିବା କହିସାରିଛନ୍ତି । ହେଲେ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ନିଲମ୍ବିତ ସଦସ୍ୟଙ୍କ ସହ କୌଣସି ଆଲୋଚନା କରିବା ଦିଗରେ ଆଦୌ ଆଗ୍ରହୀ ନାହିଁ । ତେଣୁ ମହାସଂଘ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯିବାର କୌଣସି ସଙ୍କେତ ଦେଖାଯାଉନାହିଁ ।

ଡିସେମ୍ବର 21 ତାରିଖରେ ଭାରତୀୟ କୁସ୍ତି ମହାସଂଘ ନିର୍ବାଚନକୁ ନେଇ ବିବାଦ ଉପୁଜିବା ପରେ, ଡବଲ୍ୟୁଏଫଆଇକୁ ନିଲମ୍ବନ କରିଥିଲେ କେନ୍ଦ୍ର ସରକାର । ଏବେ କୁସ୍ତି ମହାସଂଘର ପରିଚାଳନା ଦାୟିତ୍ବ ଭାରତୀୟ ଅଲମ୍ପିକ୍ସର ତିନିଜଣିଆ କମିଟି ନିକଟରେ ନ୍ୟସ୍ତ କରାଯାଇଛି । ଭାରତୀୟ ଅଲିମ୍ପିକ୍ସ ସଂଘ (IOA) ଦ୍ବାରା ଗଠିତ ତିନି ଜଣିଆ ଆଡ-ହକ୍ କମିଟି କୁସ୍ତି ମହାସଂଘର ସମସ୍ତ ପରିଚାଳନାଗତ ଦାୟିତ୍ବ ଗ୍ରହଣ କରିଛି । ଅଲମ୍ପିକ୍ସ ଆସୋସିଏସନ ସଦସ୍ୟ ଭୁପିନ୍ଦର ସିଂହ ବାଜୱାଙ୍କୁ କମିଟିର ଚେୟାରମ୍ୟାନ କରାଯାଇଛି ।

ଚଳିତ 21 ତାରିଖରେ ନିର୍ବାଚିତ ହୋଇଥିବା କୁସ୍ତି ମହାସଂଘକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ନିଲମ୍ବିତ କରିଥିଲେ । ମହାସଂଘର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂଙ୍କ ପଦ ମଧ୍ୟ ରଦ୍ଦ କରାଯାଇଥିଲା । ଅଧ୍ୟକ୍ଷଙ୍କ ସମେତ ସମସ୍ତ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କ ପଦ ମଧ୍ୟ ଅବୈଧ ଘୋଷିତ ହୋଇଛି । ସଂଘର ସଭାପତି ପଦ ସହିତ ଜଣେ ବରିଷ୍ଠ ଉପାଧ୍ୟକ୍ଷ, 4 ଉପାଧ୍ୟକ୍ଷ, ଜଣେ ମହାସଚିବ, ଜଣେ କୋଷାଧ୍ୟକ୍ଷ, ଦୁଇ ଯୁଗ୍ମ ସଚିବ ଓ 5 କାର୍ଯ୍ୟକାରୀ ସଚିବଙ୍କ ପଦ ପାଇଁ ନିର୍ବାଚନ ହୋଇଥିବା ବେଳେ ପୁରା ନିର୍ବାଚିତ କାର୍ଯ୍ୟକାରିଣୀକୁ ରଦ୍ଦ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ଆମେ ପ୍ରଧାନମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିବୁ, ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିବୁ: ସଞ୍ଜୟ ସିଂ

ନିଲମ୍ବନ କରାଯିବା ପରେ ଏହାର ସଭାପତି ସଂଞ୍ଜୟ ସିଂ ଓ ସହଯୋଗୀମାନେ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିବା ନେଇ ଅନୁମାନ କରାଯାଉଥିଲା । ହେଲେ ସେପରି କିଛି ଦେଖିବାକୁ ମିଳି ନଥିଲା । କୋର୍ଟ ଯିବା ପରିବର୍ତ୍ତେ ସେମାନେ ସରକାରଙ୍କ ସହ ଆଲୋଚନା କରିବା ପାଇଁ ଆଗ୍ରହୀ ବୋଲି ସଞ୍ଜୟ କହିଥିଲେ । ପିଲାଙ୍କ ଭବିଷ୍ଯତ ଖରାପ ହେଉଥିବାରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ସେମାନେ ପ୍ରଧାନମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କୁ ଭେଟି ସାକ୍ଷାତ କରିବେ ବୋଲି ସଞ୍ଜୟ କହିଥିଲେ । ହେଲେ ଏବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ଏହି ଆଲୋଚନା ପାଇଁ ଆଗ୍ରହୀ ନଥିବା ସୂତ୍ରରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.