ETV Bharat / bharat

Parliament session: ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍‌

author img

By ETV Bharat Odisha Team

Published : Sep 19, 2023, 3:31 PM IST

ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍‌ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । କେନ୍ଦ୍ର ଆଇନମନ୍ତ୍ରୀ କହିଲେ ପାରିତ ହେଲା ପରେ ଲୋକସଭାରେ 181ରେ ପହଞ୍ଚିବ ମହିଳା ସାଂସଦଙ୍କ ସଂଖ୍ୟା । ଅଧିକ ପଢନ୍ତୁ

Parliament session: ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍‌
Parliament session: ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ: ନୂତନ ସଂସଦର ପ୍ରଥମ ବିଲ୍‌ ଭାବେ ଆଜି ଲୋକସଭାରେ ଆଗତ ହୋଇଛି ନୂଆ ମହିଳା ସଂରକ୍ଷଣ ବିଲ୍‌ । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ଏହି ବହୁଚର୍ଚ୍ଚିତ ବିଲକୁ ଗୃହରେ ଆଗତ କରିଛନ୍ତି । ଆଜି ନୂତନ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ କାର୍ଯ୍ୟଦିବସ ଆରମ୍ଭ ହେବା ପରେ ପ୍ରଥମ ସିଟିଂରେ ଏହି ବିଲ୍‌ ଆଗତ ହୋଇଛି । ଏହି ବିଲର ନାମ ରଖାଯାଇଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । 128ତମ ସମ୍ବିଧାନ ସଂଶୋଧନ ବିଲ ଭାବେ ଆଗତ ହୋଇଥିବା ଏହି ସଂରକ୍ଷଣ ବିଲ ଅନୁସାରେ ସଂସଦର ନିର୍ବାଚିତ ସଦନ (ଲୋକସଭା) ଓ ରାଜ୍ୟ ବିଧାନସଭାରେେ ମୋଟ ଆସନର ଏକ ତୃତୀୟାଂଶ ବା 33 ପ୍ରତିଶତ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ ।


ଏହି ବିଲକୁ ଆଗତ କରିବା ବେଳେ ଆଇନ ମନ୍ତ୍ରୀ ମେଘଓ୍ବାଲ କହିଥିଲେ, ଏହି ବିଲ୍‌ ପାସ ହେଲା ପରେ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା 181ରେ ପହଞ୍ଚିବ । ତେବେ ଆଜିି ଏହି ବିଲ ଆଗତ ହୋଇଥିବା ବେଳେ ଆସନ୍ତାକାଲି (20 ତାରିଖ) ଲୋକସଭାରେ ଏହା ଉପରେ ଚର୍ଚ୍ଚା ହେବ । 21 ତାରିଖରେ ଉଚ୍ଚସଦନ ରାଜ୍ୟସଭାରେ ଏହାକୁ ଆଗତ କରାଯିବା ନେଇ ସରକାର ସମୟ ଧାର୍ଯ୍ୟ କରିଛନ୍ତି ।

ଆଜି ନୂତନ ସଂସଦ ଭବନରେ ପ୍ରଥମ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ଏହି ବିଲ୍‌ ସମ୍ପର୍କରେ ଉଲ୍ଲେଖ କରିଥିଲେ । ପୂର୍ବରୁ ଭାରତୀୟ ଜନତା ପାର୍ଟି ସରକାରରେ ଏହାକୁ ଲାଗୁ କରିବା ପାଇଁ ଏକାଧିକ ଥର ପ୍ରୟାସ କରାଯାଇଛି । ପୂର୍ବରୁ ବାଜପେୟୀ ସରକାର ମଧ୍ୟ ଏହି ପ୍ରୟାସ ଆରମ୍ଭ କରିଥିଲେ । ହେଲେ ସେତେବେଳେ ସଂସଦରେ ସଂଖ୍ୟା ବହୁମତ ନଥିବାରୁ ଏହାକୁ ପାରିତ କରାଇବାରେ ସଫଳତା ମିଳିପାରି ନଥିଲା । ଏବେ ଏହି ବିଚାରକୁ ଆଗକୁ ବଢାଇବା ପାଇଁ ଇଶ୍ବର ସୁଯୋଗ ଦେଇଛନ୍ତି । ସଂସଦୀୟ ବ୍ୟବସ୍ଥାରେ ମହିଳାଙ୍କ ଅଂଶଗ୍ରହଣ ବଢାଇବା ପାଇଁ ଭାରତୀୟ ଜନତା ପାର୍ଟି ଏହି ବିଲ ଆଣିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ।

ଏହା ମଧ୍ୟ ପଢନ୍ତୁ:- Special Session of Parliament: ନୂଆ ସଂସଦ ଭବନର ଶ୍ରୀଗଣେଶ, ସାତ ଦଶକ ତପସ୍ୟାର ସାକ୍ଷୀ ପୁରୁଣା ସଂସଦ କହିଲେ ପ୍ରଧାନମନ୍ତ୍ରୀ

128ତମ ସମ୍ବିଧାନ ସଂଶୋଧନ ବିଲ ଭାବେ ଏହାକୁ ଆଗତ କରାଯାଇଥିବା ବେଳେ ଏହି ବିଲ୍‌ ସଂସଦର ନିର୍ବାଚିତ ସଦନ (ଲୋକସଭା) ଓ ରାଜ୍ୟ ବିଧାନସଭାଗୁଡିକରେ ମହିଳାଙ୍କ ପାଇଁ ମୋଟ ଆସନର ଏକ ତୃତୀୟାଂଶ ବା 33 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନିଶ୍ଚିତ କରିବ । ଯାହା ଫଳରେ ସଂସଦୀୟ ଓ ରାଜ୍ୟ ବ୍ୟବସ୍ଥାପିକାରେ ମହିଳାଙ୍କ ଅଂଶଗ୍ରହଣ ପ୍ରଭାବୀ ହୋଇପାରିବ । ତେବେ ଗତକାଲି କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବିଲକୁ ମଞ୍ଜୁରୀ ମିଳିସାରିବା ପୂର୍ବରୁ କଂଗ୍ରେସ ଆଗୁଆ ଏହି ପ୍ରସଙ୍ଗରେ ସମ୍ବେଦନଶୀଳତା ଦେଖାଇଥିଲା । ହାଇଦ୍ରାବାଦରେ ହୋଇଥିବା ଦୁଇଦିନିଆ ଦଳୀୟ କାର୍ଯ୍ୟକାରିଣୀରେ ଏକ ସଙ୍କଳ୍ପ ପାରିତ କରି କେନ୍ଦ୍ର ସରକାର ଏହି 5ଦିନିଆ ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଆଣନ୍ତୁ ବୋଲି ଦାବି ମଧ୍ୟ କରିଥିଲା କଂଗ୍ରେସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.