ETV Bharat / bharat

ରବିବାର ନୁହେଁ, ସୋମବାର ମିଜୋରାମରେ ଭୋଟ ଗଣତି

author img

By ETV Bharat Odisha Team

Published : Dec 1, 2023, 8:52 PM IST

Updated : Dec 1, 2023, 9:23 PM IST

ଦିନେ ଘୁଞ୍ଚିଲା ମିଜୋରାମ ବିଧାନସଭା ନିର୍ବାଚନର ଭୋଟ ଗଣତି ତାରିଖ । ରବିବାର ବଦଳରେ ସୋମବାର ପ୍ରକାଶ ପାଇବ ନିର୍ବାଚନୀ ଫଳ । ଅଧିକ ପଢନ୍ତୁ

Mizoram vote counting date rescheduled
Mizoram vote counting date rescheduled

ନୂଆଦିଲ୍ଲୀ: ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନର ଭୋଟ ଗଣତି ତାରିଖ । ଡିସେମ୍ବର ୩ ତାରିଖ ବଦଳରେ ୪ ତାରିଖରେ ହେବ ଭୋଟ ଗଣତି । ତେବେ ରବିବାର ଡିସେମ୍ବର ୩ ତାରିଖରେ ବାକି ୪ଟି ରାଜ୍ୟ ତେଲେଙ୍ଗାନା, ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ଭୋଟ ଗଣତି ହେବ । ପୂର୍ବରୁ ମିଜୋରାମ ବିଧାନସଭାର ନିର୍ବାଚନ ଫଳ ରବିବାର ପ୍ରକାଶ ପାଇବାକୁ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ ମିଜୋରାମ ଏନଜିଓ କୋର୍ଡିନେସନ କମିଟି (NGOCC) ପକ୍ଷରୁ ଧାରଣା ପରେ ଏବେ ଏହି ତାରିଖକୁ ପରିବର୍ତ୍ତନ କରାଯାଇଛି ।

Mizoram vote counting date
ଭୋଟ ଗଣତି ତାରିଖ ପରିବର୍ତ୍ତନ ପାଇଁ ଆନ୍ଦୋଳନ

ଡିସେମ୍ବର ୩ ତାରିଖ ରବିବାର ଦିନ ପଡୁଛି । ତେବେ ରବିବାର ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ପାଇଁ ଏକ ପବିତ୍ର ଦିନ । ଏଣୁ ଭୋଟ ଗଣତି ଏହି ବାରରେ ଅନୁଷ୍ଠିତ ହେଉଥିବାରୁ ପୂର୍ବରୁ ମଧ୍ୟ ଅନେକ ଗୋଷ୍ଠୀ ଏହାକୁ ବିରୋଧ କରୁଥିଲେ । ରାଜ୍ୟରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ସଂଖ୍ୟା ଅଧିକ ଥିବାରୁ ଅଧିକାଂଶ ନାଗରିକ ଅନ୍ୟ କୌଣସି ବାରରେ ଭୋଟ ଗଣତି କରିବା ଲାଗି ଦାବି କରିଥିଲେ । ଏହି ଦାବିରେ ମିଜୋରାମ ଏନଜିଓ କୋର୍ଡିନେସନ କମିଟି ଜୋରଦାର ଆନ୍ଦୋଳନ କରିବା ପରେ ଶେଷରେ ଭାରତୀୟ ନିର୍ବାଚନ ଆୟୋଗ (ECI) ଏହି ତାରିଖକୁ ପରିବର୍ତ୍ତନ କରିଛନ୍ତି ।

ଏହା ବି ପଢନ୍ତୁ- ଏକଜିଟ ପୋଲ 2023: ଛତିଶଗଡ ଓ ତେଲେଙ୍ଗାନାରେ କଂଗ୍ରେସ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଜେପି ପଲ୍ଲା ଭାରି

ମିଳିଥିବା ସୂଚନା ଅନୁସାରେ ମିଜୋରାମର କିଛି ସଂଗଠନ ଏହି ତାରିଖକୁ ପରିବର୍ତ୍ତନ କରିବା ଲାଗି ରାଜ୍ୟର ୧୫ରୁ ଅଧିକ ମୁଖ୍ୟ ଚର୍ଚ୍ଚରେ ପ୍ରାର୍ଥନା ସଭା ଆୟୋଜନ କରିବା ଲାଗି ମଧ୍ୟ ଯୋଜନା କରିଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେବା ସହ ରାଜ୍ୟରେ ଏ ନେଇ ପ୍ରତିବାଦ କରାଯିବା ପରେ ଶେଷରେ ଭାରତୀୟ ନିର୍ବାଚନ ଆୟୋଗ ଭୋଟ ଗଣତି ତାରିଖକୁ ପରିବର୍ତ୍ତନ କରିଛି ।

ସୂଚନା ଥାଉ କି ମିଜୋରାମର ମୋଟ ୪୦ଟି ବିଧାନସଭା ଆସନରେ ଗତ ନଭେମ୍ବର ୭ ତାରିଖରେ ମତଦାନ ହୋଇଥିଲା । ରାଜ୍ୟର ୪୦ଟି ଯାକ ଆସନ ପାଇଁ ୧୨୭୬ ପୋଲିଂ ଷ୍ଟେସନରେ ଭୋଟ ଦେଇଥିଲେ ରାଜ୍ୟବାସୀ । ଅପରାହ୍ନ ୪ଟା ଯାଏଁ ଭୋଟିଂ ଚାଲିଥିଲା । ରାଜ୍ୟରେ ଏବେ ମିଜୋ ନ୍ୟାସନାଲ ଫ୍ରଣ୍ଟ(ଏମଏନଏଫ) ସରକାରରେ ରହିଛି । ୨୦୧୮ରେ ଦଳ ୪୦ ଆସନ ମଧ୍ୟରୁ ୨୬ଟି ଆସନ ଜିତିଥିଲା । କଂଗ୍ରେସ ୫ଟି ଆସନ ଦଖଲ କରିଥିବା ବେଳେ ବିଜେପି କେବଳ ଗୋଟିଏ ଆସନ ଜିତିଥିଲା ।

ଏକଜିଟ୍‌ ପୋଲ ଅନୁସାରେ ଚଳିତ ନିର୍ବାଚନରେ ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) ୧୫ ରୁ ୨୧, ଜେପିଏମକୁ ୧୨ -୧୮, ବିଜେପିକୁ ଶୂନ୍ୟ ଓ କଂଗ୍ରେସକୁ ୨-୮ ଆସନ ମିଳିବା ନେଇ ଆକଳନ କରାଯାଇଛି । ଇଣ୍ଡିଆ ଟିଭି -ସିଏନଏକ୍ସ ଏମଏନଏଫ ୧୫-୨୧,ଜେପିଏମକୁ ୧୨-୧୬, କଂଗ୍ରେସକୁ ୮ରୁ୧୦ ଓ ବିଜେପି ଖାତା ନଖୋଲିପାରିବା ନେଇ ଆକଳନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 1, 2023, 9:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.