ETV Bharat / bharat

Karnataka: ହାସନମ୍ବା ଯାତ୍ରା ମହୋତ୍ସବରେ ଦଳାଚକଟା ପରିସ୍ଥିତି, ବିଦ୍ୟୁତ ଆଘାତରେ ୨୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ

author img

By ETV Bharat Odisha Team

Published : Nov 10, 2023, 5:37 PM IST

Updated : Nov 10, 2023, 5:48 PM IST

Hasanamba Temple
Hasanamba Temple

କର୍ଣ୍ଣାଟକ ହାସନମ୍ବା ମନ୍ଦିରରେ ଚାଲିଥିବା ଯାତ୍ରା ମହୋତ୍ସବରେ ଦଳାଚକଟା ପରିସ୍ଥିତି । ବିଦ୍ୟୁତ ଆଘାତରେ ଆହତ ୨୦ରୁ ଅଧିକ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ହାସନମ୍ବା ଯାତ୍ରା ମହୋତ୍ସବରେ ଦଳାଚକଟା ପରିସ୍ଥିତି, ବିଦ୍ୟୁତ ଆଘାତରେ ୨୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ

ବେଙ୍ଗାଲୁରୁ: କର୍ଣ୍ଣାଟକ ହାସନ ସ୍ଥିତ ହାସନମ୍ବା ମନ୍ଦିରରେ ଅନୁଷ୍ଠିତ ଯାତ୍ରା ମହୋତ୍ସବରେ ଦଳାଚକଟା ପରିସ୍ଥିତି । ହସ୍ପିଟାଲରେ ଭର୍ତ୍ତି ହେଲେ ୨୦ରୁ ଅଧିକ ଶ୍ରଦ୍ଧାଳୁ । ଜଣେ ଶ୍ରଦ୍ଧାଳୁ ବିଦ୍ୟୁତ୍‌ ଆଘାତର ଶିକାର ହେବା ପରେ ଏହି ଧାର୍ମିକ ସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା । ଲୋକେ ଭୟରେ ଏଣେତେଣେ ଯିବା ପରେ ଦଳାଚକଟା ପରିସ୍ଥିତି ଯୋଗୁଁ ମନ୍ଦିର ପରିସରରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ମନ୍ଦିରରେ ଭିଡ଼ ଥିବା ବେଳେ ହଠାତ୍‌ ବିଦ୍ୟୁତ୍‌ ତାର ଛିଣ୍ଡିଯିବା ଯୋଗୁଁ ଶ୍ରଦ୍ଧାଳୁମାନେ ବିଦ୍ୟୁତ ଆଘାତର ଶିକାର ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଆଜି (ଶୁକ୍ରବାର) ଅପରାହ୍ନ ପ୍ରାୟ ୧ଟା ସମୟରେ ଏହି ଘଟଣା ଘଟିଥିଲା । ଲୋକେ ଦର୍ଶନ ପାଇଁ ଧାଡ଼ି ବାନ୍ଧି ଠିଆହୋଇଥିଲେ । ଏହି ସମୟରେ ବିଦ୍ୟୁତ ତାର ଛିଣ୍ଡିପଡ଼ିବା ଯୋଗୁଁ ପ୍ରଥମେ ଜଣେ ମହିଳା ଶ୍ରଦ୍ଧାଳୁ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ଲୁହା ବ୍ୟାରିକେଡକୁ ଲାଗି ଠିଆ ହୋଇଥିବା ଅନ୍ୟ କିଛି ଶ୍ରଦ୍ଧାଳୁ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ଏହାପରେ ଉକ୍ତ ମହିଳା ଶ୍ରଦ୍ଧାଳୁଙ୍କୁ ପ୍ଲାଷ୍ଟିକ ଚେୟାର ଦ୍ବାରା ଲୁହା ବାଡ଼ରୁ ଅଲଗା କରିଥିଲେ ଉପସ୍ଥିତ ଲୋକେ ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ଭକ୍ତଙ୍କ ଭିତରେ ଠେଲାପେଲା; 20 ଆହତ

ଅନ୍ୟପଟେ ଶ୍ରଦ୍ଧାଳୁଙ୍କୁ ବିଦ୍ୟୁତ ଆଘାତ ଲାଗିବା ପରେ ମନ୍ଦିର ପରିସରରେ ହଇଚଇ ସୃଷ୍ଟି ହୋଇଥିଲା । ଲୋକେ ଭୟରେ ଧାଡ଼ି ଭିତରୁ ବାହାରକୁ ବାହାରିଯାଇଥିଲେ । ଏହାପରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ସେପଟେ ସଙ୍ଗେ ସଙ୍ଗେ ଆହତ ଶ୍ରଦ୍ଧାଳୁଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ଘଟଣା ଘଟିବା ପରେ ଲୋକେ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଶହ ଶହ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଧାଡ଼ିରେ ଠିଆ ହୋଇଥିବା ସମୟରେ ହଠାତ୍‌ ବିଦ୍ୟୁତ ତାର ଛିଣ୍ଡିପଡ଼ିଥିଲା । ଏହାପରେ ତାର ବ୍ୟାରିକେଡକୁ ସ୍ପର୍ଶ କରିଥିଲା । ଫଳରେ ବାଡ଼କୁ ଲାଗି ଠିଆ ହୋଇଥିବା ଲୋକେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଏବେ ପରିସ୍ଥିତି ସ୍ବାଭାବିକ ହୋଇଛି । ଲୋକେ ପୂର୍ବ ଭଳି ଦର୍ଶନ କରୁଥିବା ଜଣାପଡିଛି । ସୂଚନା ଥାଉ କି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନଭେମ୍ବର ୨ ତାରିଖରୁ ୧୪ ତାରିଖ ମଧ୍ୟରେ ମନ୍ଦିରରେ ହାସନମ୍ବା ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଫଳରେ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 10, 2023, 5:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.