ETV Bharat / bharat

Karnataka results: ବିଧାୟକ ଦଳ ବୈଠକ ପୂର୍ବରୁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ

author img

By

Published : May 14, 2023, 6:10 PM IST

କର୍ଣ୍ଣାଟକ ବିଧାୟକ ଦଳ ବୈଠକ ପୂର୍ବରୁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ
କର୍ଣ୍ଣାଟକ ବିଧାୟକ ଦଳ ବୈଠକ ପୂର୍ବରୁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କର୍ଣ୍ଣାଟକ ଗଲେ 3 ବରିଷ୍ଠ କଂଗ୍ରେସ ନେତା । ସଂଧ୍ୟାରେ ବିଧାୟକ ଦଳ ବୈଠକ । ବୈଠକ ପରେ ମୁଖ୍ୟମନ୍ତ୍ରୀ ନେଇ ଆନୁଷ୍ଠାନିକ ଘୋଷଣା । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗଠନ ହେବାକୁ ଥିବା କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ କି’ଏ ହେବ ସେନେଇ ସମଗ୍ର ଦେଶର ନଜର ଥିବା ବେଳେ ଆଜି ସଂଧ୍ୟାରେ ନବ ନିର୍ବାଚିତ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଦଳର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ, ବରିଷ୍ଠ ନେତା ତଥା ଦଳର ଜାତୀୟ ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂ ଓ ଦୀପକ ବାବରିଆ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଏହି 3 ଜଣିଆ ବରିଷ୍ଠ ନେତାଙ୍କ ଟିମ୍‌ ବେଙ୍ଗାଲୁରୁ ଅଭିମୁଖେ ଗସ୍ତ ଆରମ୍ଭ କରିସାରିଛି । ଆଜି ସଂଧ୍ୟାରେ ବିଧାୟକ ଦଳ ବୈଠକ ଆରମ୍ଭ ହେବାକୁ ଯାଉଛି ।

ଏହି ନିଯୁକ୍ତ ସମ୍ପର୍କରେ ଦଳର ସାଧରଣ ସମ୍ପାଦକ କେ.ସି ବେଣୁଗୋପାଲ ସୂଚନା ଦେଇ କହିଛନ୍ତି, ଏହି 3 ବରିଷ୍ଠ ନେତାଙ୍କ ନେଇ ଗଠିତ ପର୍ଯ୍ୟବେକ୍ଷକ ଟିମ କର୍ଣ୍ଣାଟକ ବିଧାୟକ ଦଳ ବୈଠକରେ ସାମିଲ ରହିବ । ମିଟିଂର ନିଷ୍ପତ୍ତି ସମ୍ପର୍କରେ ପାର୍ଟି ହାଇକମାଣ୍ଡଙ୍କୁ ଅବଗତ କରିବେ । ଆଜି ପୂର୍ବାହ୍ନରେ ବିଧାୟକ ଦଳ ବୈଠକ ହେବା ନେଇ ସୂଚନା ମିଳିଥିଲା ବେଳେ ପରବର୍ତ୍ତୀ ସମୟରେ ଏହି ସୂଚୀରେ ପରିବର୍ତ୍ତନ କରାଯାଇଥିଲା । ଦଳ ଗତକାଲିଠାରୁ ସମସ୍ତ ନବ ନିର୍ବାଚିତ ବିଧାୟକଙ୍କୁ ରାଜଧାନୀ ବେଙ୍ଗାଲୁରୁ ଆସିବା ପାଇଁ ନିର୍ଦ୍ଦେଶ ଦେଇସାରିଛି । ଆଉ କିଛି ସମୟ ମଧ୍ୟରେ ବିଧାୟକ ଦଳ ବୈଠକ ଆରମ୍ଭ ହୋଇପାରେ ।

ଦଳ ପୂର୍ଣ୍ଣ ବହମତରେ ସରକାର ଗଠନ କରିବାକୁ ଯାଉଥିବା ବେଳେ ରାଜ୍ୟର ଦୁଇ ହେଭିଓ୍ବେଟ ନେତାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବିଦାରୀ ରହିଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଓ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଲବିରେ ରହିଛନ୍ତି । ଆଜି ଡି.କେଙ୍କ ପକ୍ଷରୁ ଏକ ବୟାନ ମଧ୍ୟ ସାମ୍ନାକୁ ଆସିଛି । ସିଦ୍ଧରମୈୟା ଓ ତାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନଥିବା କହିଛନ୍ତି ଡି.କେ । ଯାହାକୁ ନେଇ ଗତକାଲିଠାରୁ ହେଉଥିବା ଚର୍ଚ୍ଚା ଏବେ ଭିନ୍ନମୋଡ଼ ନେଇଛି । ଆଜି ସନ୍ଧ୍ୟାରେ ବେଙ୍ଗାଲୁରୁରେ ପାର୍ଟି କାର୍ଯ୍ୟାଳୟରେ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନିର୍ବାଚିତ ବିଧାୟକ ଦଳର ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନେଇ ଆନୁଷ୍ଠାନିକ ଘୋଷଣା ହୋଇପାରେ ।

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, କଂଗ୍ରେସ କର୍ଣ୍ଣାଟକରେ ଏକକ ସର୍ବବୃହତ ଦଳ ଭାବେ 135 ଆସନରେ ବିଜୟୀ ହୋଇଛି । ଭାରତୀୟ ଜନତା ପାର୍ଟି ମାତ୍ର 66 ଆସନ ଜିତିଛି । ସେହିପରି କିଙ୍ଗ୍‌ମେକର ହେବା ନେଇ ଅନୁମାନ କରାଯାଉଥିବା ଏଚ.ଡି କୁମାରାସ୍ବାମୀଙ୍କ ଜେଡିଏସ୍‌ ମାତ୍ର 19 ଆସନ ହାତେଇଛି । ରାଜ୍ୟର ଦୁଇ ଆଞ୍ଚଳିକ ଦଳ କଲ୍ୟାଣ ରାଜ୍ୟ ପ୍ରଗତି ପକ୍ଷ ଓ ସର୍ବୋଦୟ କର୍ଣ୍ଣାଟକ ପକ୍ଷ ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି । ଗତକାଲି ରାତିରେ ବଶବରାଜ ମୋମ୍ମାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି । କଂଗ୍ରେସ ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.