ETV Bharat / bharat

ଦେଶରେ 24 ଘଣ୍ଟାରେ 573 ନୂଆ କୋଭିଡ ସଂକ୍ରମଣ, 2 ମୃତ

author img

By ETV Bharat Odisha Team

Published : Jan 2, 2024, 6:28 PM IST

ଦେଶରେ 573 ନୂଆ କୋଭିଡ ସଂକ୍ରମିତ, 2 ମୃତ
ଦେଶରେ 573 ନୂଆ କୋଭିଡ ସଂକ୍ରମିତ, 2 ମୃତ

India records 573 fresh COVID-19 cases: ଦେଶରେ 24 ଘଣ୍ଟା ମଧ୍ୟରେ 573 ନୂଆ କୋଭିଡ ସଂକ୍ରମଣ ଚିହ୍ନଟ । ଏପର୍ଯ୍ୟନ୍ତ ନୂଆ ସବ-ଭ୍ୟାରିଏଣ୍ଟ ଜେଏନ.1 ରେ ସଂକ୍ରମିତ ହେଲେଣି 263 । ଆଗରେ କେରଳ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦେଶରେ ପୁଣି ବଢିବାରେ ଲାଗିଛି କୋଭିଡ ସଂକ୍ରମଣ । କୋଭିଡର ନୂତନ ଉପପ୍ରଜାତି ବା ସବ-ଭ୍ୟାରିଏଣ୍ଟ ସହ ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 573 ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏଥିରେ 2 ଜଣ ସଂକ୍ରମିତଙ୍କ ମୃତ୍ଯୁ ମଧ୍ୟ ହୋଇଛି । ମୃତକ ଦୁଇଜଣ କର୍ଣ୍ଣାଟକ ଓ ହରିୟାଣା ବାସିନ୍ଦା । ଆଜିର ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 4,565 କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

263 ନୂଆ ସବ-ଭ୍ୟାରିଏଣ୍ଟ ସଂକ୍ରମିତ ଚିହ୍ନଟ

ଏବେ ସୁଦ୍ଧା ଦେଶରେ ମୋଟ 263 କୋଭିଡର ନୂଆ ଉପପ୍ରଜାତି ଜେଏନ-1 ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଏଥିରେ ଅଧାରୁ ଅଧିକ ସଂକ୍ରମଣ କେବଳ କେରଳରେ ରେକର୍ଡ ହୋଇଛି । ଏବେ ସୁଦ୍ଧା ସରକାରୀ ତଥ୍ୟ ଅନୁସାରେ, 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ସବ-ଭ୍ୟାରିଏଣ୍ଟ ସଂକ୍ରମଣ ସାମ୍ନାକୁ ଆସିଛି । କେରଳରେ ସର୍ବାଧିକ 133, ଗୋଆରେ 31, ଗୁଜୁରାଟ 34, ଦିଲ୍ଲୀ 16, କର୍ଣ୍ଣାଟକ 8, ମହାରାଷ୍ଟ୍ର 9, ରାଜସ୍ଥାନ 5, ତାମିଲନାଡୁ 4, ତେଲେଙ୍ଗାନା 2 ଓ ଓଡିଶାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

4 ବର୍ଷରେ ସଂକ୍ରମିତ ହୋଇଛନ୍ତି ସାଢେ 4 କୋଟି, 5 ଲକ୍ଷ ମୃତ

2020 ମସିହା ପ୍ରାରମ୍ଭରେ କୋଭିଡ ସଂକ୍ରମଣ ଆରମ୍ଭ ହୋଇଥିଲା । ପ୍ରଥମ ଲହରରେ ଦୈନିକ ସଂକ୍ରମଣ ହାର ସର୍ବାଧିକ ରେକର୍ଡ କରିଥିଲା । ଗୋଷ୍ଠୀ ସଂକ୍ରମଣର ଶୀର୍ଷ ସମୟରେ ଦୈନିକ ସଂକ୍ରମଣ ଲକ୍ଷେ ଟପିଥିଲା । ତେବେ ସଂକ୍ରମଣ ଆରମ୍ଭରୁ ଏବେ ପର୍ଯ୍ୟନ୍ତ ଗତ 4 ବର୍ଷ ମଧ୍ୟରେ ମୋଟ ସାଢେ 4 କୋଟି ଲୋକେ ସଂକ୍ରମିତ ହେବା ସହ ମୋଟ 5 ଲକ୍ଷ 30 ହଜାରରୁ ଅଧିକ ସଂକ୍ରମିିତଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ କହୁଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟରେ ଅନୁଯାୟୀ ମହାମାରୀ ଆରମ୍ଭରୁ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4.4 କୋଟିରୁ ଅଧିକ । ଏହି ସଂଖ୍ୟା ସହ ଦେଶରେ ସାମଗ୍ରିକ ସୁସ୍ଥ ହାର 98.81 ପ୍ରତିଶତ ରହିଛି । ୱେବସାଇଟ୍ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 220.67 କୋଟି ଡୋଜ୍ କୋଭିଡ୍ ଟିକା ପ୍ରଦାନ କରାଯାଇ ସାରିଛି ।

ଏହା ମଧ୍ୟ ପଢନ୍ତୁ:- ସିଇସି ଓ ଇସି ନିଯୁକ୍ତି ଚୟନ କମିଟିରେ CJIଙ୍କୁ ସାମିଲ ଦାବି: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

ଭାରତରେ କୋଭିଡର ପ୍ରଥମ ଓ ଦ୍ବିତୀୟ ଲହରରେ ଦେଶବ୍ୟାପୀ କଟକଣା ଜାରି କରାଯାଇଥିଲା । ବର୍ଷ 2023 ରେ ସ୍ଥିତି ନିୟନ୍ତ୍ରଣାଧୀନ ହେବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭିଡକୁ ବିଶ୍ବ ମହାମାରୀ ଶ୍ରେଣୀରୁ ବାଦ ଦେବା ପରେ କୋଭିଡ କଟକଣା ମଧ୍ୟ ହ୍ରାସ କରାଯାଇଥିଲା । ଫେସ୍ ମାସ୍କ ପରିଧାନ ଓ ସାର୍ବଜନୀନ ସ୍ଥାନରେ ସାମାଜିକ ଦୂରତା ପରି ନିୟମକୁ ବାଧ୍ୟତାମୂଳକ କଟକଣା ଶ୍ରେଣୀରୁ ବାଦ ଦିଆଯାଇଥିଲା । ଏବେ ପୁଣି କୋଭିଡ ସଂକ୍ରମଣ କଡ ଲେଉଟାଇଲାଣି । ହେଲେ ବର୍ତ୍ତମାନର ସ୍ଥିତି ଚିନ୍ତାର ବିଷୟ ନଥିବା ଓ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.