ETV Bharat / bharat

Gujarat Polls: 500 ସଦସ୍ୟଙ୍କୁ ନେଇ ଗୁଜୁରାଟରେ ପ୍ରଶାନ୍ତ କିଶୋର, ପ୍ରସ୍ତୁତ ହେଉଛି ରଣନୀତି

author img

By

Published : Apr 8, 2022, 7:33 AM IST

Gujarat Assembly poll 2022: 5ଶହ ସଦସ୍ୟ ବିଶିଷ୍ଟ ଟିମ ସହ ଗୁଜୁରାଟରେ ପହଞ୍ଚିଲେ ପ୍ରଶାନ୍ତ କିଶୋର
Gujarat Assembly poll 2022: 5ଶହ ସଦସ୍ୟ ବିଶିଷ୍ଟ ଟିମ ସହ ଗୁଜୁରାଟରେ ପହଞ୍ଚିଲେ ପ୍ରଶାନ୍ତ କିଶୋର

ଗୁଜୁରାଟ ନିର୍ବାଚନ ପାଇଁ କଂଗ୍ରେସର ଅଙ୍କକଷା ଆରମ୍ଭ । 5ଶହ ସଦସ୍ୟ ବିଶିଷ୍ଟ ଟିମ ସହ ଗୁଜୁରାଟରେ ପହଞ୍ଚିଲେ ବିଶିଷ୍ଟ ରାଜନୈତିକ ରଣନୀତିକାର ପ୍ରଶାନ୍ତ କୁମାର । ଅଧିକ ପଢନ୍ତୁ

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗୃହରାଜ୍ୟ ଗୁଜୁରାଟ ବିଧାନସଭା ନିର୍ବାଚନ ଉପରେ ସାରା ଦେଶର ନଜର ଥିବାବେଳେ ରଣନୈତିକ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ଗୁରୁବାର ଏହି କ୍ରମରେ ଏକ ବଡ ଘଟଣା ସାମ୍ନାକୁ ଆସିଛି । 500 ସଦସ୍ୟ ବିଶିଷ୍ଟ ଟିମ ସହ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଗୁଜୁରାଟରେ ପହଞ୍ଚିଥିବା ସୂଚନା ମିଳିଛି ।

ବିଧାନସଭା ନିର୍ବାଚନରେ ​​ଦଳ କେଉଁଠାରେ କାର୍ଯ୍ୟ କରିବ ଏବଂ କିପରି କାର୍ଯ୍ୟ କରିବ ତାର ବ୍ଲ୍ୟୁ ପ୍ରିଣ୍ଟ ଆରମ୍ଭ କରିବାକୁ ଯାଉଛି ପ୍ରଶାନ୍ତଙ୍କ ଏହି ଟିମ । ଗାନ୍ଧିନଗର କମଲାମଠା ନିକଟରେ ଥିବା ଏକ ଆପାର୍ଟମେଣ୍ଟକୁ ଭଡା ସୂତ୍ରରେ ନେଇ ଏହି ଟିମ ବର୍ତ୍ତମାନ ରାଜ୍ୟରେ ନିର୍ବାଚନର ଠିକ ପୂର୍ବବର୍ତ୍ତୀ ସ୍ଥିତି କିପରି ରହିଛି ତାକୁ ନେଇ ଅନୁଧ୍ୟାନ ଆରମ୍ଭ କରିସାରିଥିବା ସୂତ୍ରରୁ ସୂଚନା ମିଳିଛି ।

ଗୁଜୁରାଟ ରାଜନୀତି ପାଇଁ ବଡ ଖବର:-

ଚଳିତ ବର୍ଷ (2022) ଡିସେମ୍ବର ମାସରେ ଗୁଜରାଟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ବିଜେପି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି କଠିନ ପରିଶ୍ରମ ଆରମ୍ଭ କରିସାରିଲେଣି । ଦୀର୍ଘ ଦଶନ୍ଧି ଧରି ଗୁଜୁରାଟରେ କ୍ଷମତାରୁ ବାହାରେ ଥିବା କଂଗ୍ରେସ ଏଥର ଏକ ନୂତନ ରଣକୌଶଳ ସହ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ବିଗତ ଦିନରେ ନିର୍ବାଚନୀ ମୈଦାନରେ ନିଜର କୁଶଳତାର ଯାଦୁ ପ୍ରମାଣିତ କରିସାରିଥିବା ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ 500 ଜଣିଆ ଟିମ ଅହମ୍ମଦାବାଦରେ ପହଞ୍ଚି ଦଳ ପାଇଁ କାମ ଆରମ୍ଭ କରିବା ସମଗ୍ର ପ୍ରଦେଶର ରାଜନୀତି ପାଇଁ ଏକ ପ୍ରମୁଖ ଚର୍ଚ୍ଚା ପାଲଟିଛି ।

ନିର୍ବାଚନ ପୂର୍ବରୁ ସର୍ଭେ କରୁଛି କଂଗ୍ରେସ:-

ଚଳିତ ଥର ପ୍ରଦେଶ ରାଜନୀତିରେ ଏଣ୍ଟ୍ରି ମାରିଛି ଆମ୍ ଆଦମୀ ପାର୍ଟି । ତେବେ ଅନ୍ୟ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଦାବି କରିଛନ୍ତି ଯେ ଗୁଜରାଟର ତ୍ରିପାକ୍ଷିକ ପ୍ରତିଦ୍ବନ୍ଦିତା ମଧ୍ୟରୁ ଶାସକ ଦଳ ଉପକୃତ ହେବ । ଫଳସ୍ୱରୂପ, ମତଦାନରେ ଆମ୍ ଆଦମୀ ପାର୍ଟି କଂଗ୍ରେସକୁ କ୍ଷତି ପହଞ୍ଚାଇବ ବୋଲି ଅନୁଭବ କରୁଛି ପ୍ରଶାନ୍ତଙ୍କ ଟିମ । ତେଣୁ ଏହି ନୂଆ ଆହ୍ବାନର ମୁକାବିଲା କରିବା ପାଇଁ ଏକ ସର୍ଭେ ଯୋଜନା କରାଯାଉଛି । ଯାହା ଏକ ଗୁପ୍ତ ସର୍ଭେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

କଂଗ୍ରେସର ଗୁପ୍ତ ସର୍ଭେ:-

ବିଶ୍ୱସ୍ତ ସୂତ୍ର ଅନୁଯାୟୀ ପ୍ରଶାନ୍ତଙ୍କ ଟିମ ଏହି କାମ ଆରମ୍ଭ କରିସାରିଛି । ପ୍ରଶାନ୍ତଙ୍କ ରଣନୀତି ନେଇ ପ୍ରଦେଶର କୌଣସି ଦଳୀୟ ନେତାଙ୍କ ପାଖରେ କୌଣସି ଖବର ନାହିଁ । ଏହି ଟିମ ଏକ ଗୋପନୀୟ ସର୍ଭେ କରିବା ପରେ ମିଶନର ମୁଖ୍ୟ ପ୍ରଶାନ୍ତ କିଶୋରଙ୍କ ନିକଟରେ ଦାଖଲ କରିବ । ଯାହାକୁ ଆଧାର କରି ଦଳ ଏକ ଗ୍ରାଉଣ୍ଡ ରିପୋର୍ଟ ପ୍ରସ୍ତୁତ କରିବ, ଯାହା ହିଁ ଆଗାମୀ ଦିନରେ ଦଳ ପାଇଁ ମୁଖ୍ୟ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାରେ ସଫଳ ହେବ ।

ଭଡା ଆପାର୍ଟମେଣ୍ଟରେ ଚାଲିଛି ରଣନୀତି !

ନିର୍ଭରଯୋଗ୍ୟ ସୂତ୍ର ଅନୁଯାୟୀ, ପ୍ରଶାନ୍ତ କିଶୋରଙ୍କ ଏହି ଟିମ ଏକ ଭଡା ଆପାର୍ଟମେଣ୍ଟରେ ସର୍ଭେ କାମ ଆରମ୍ଭ କରିସାରିଛି । ଏହି ଆପାର୍ଟମେଣ୍ଟକୁ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି । ପୁରା ପ୍ରସ୍ତୁତିର ସହ କାର୍ଯ୍ୟ ଆରମ୍ଭ କରିଥିବା ପ୍ରଶାନ୍ତଙ୍କ ଟିମକୁ କେତେ ସଫଳତା ମିଳୁଛି ତାକୁ ସମସ୍ତଙ୍କ ଅପେକ୍ଷା ।

ବ୍ୟୁୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.