ETV Bharat / bharat

କେରଳରେ ସ୍ଥିତି ସୁଧାରିବା ଲକ୍ଷ୍ୟରେ ବିଜେପି, 20 ଆସନ ଉପରେ ଫୋକସ

author img

By

Published : Feb 12, 2021, 8:58 AM IST

ବିଧାନସଭା ନିର୍ବାଚନ
ବିଧାନସଭା ନିର୍ବାଚନ

କେରଳରେ ସ୍ଥିତି ସୁଧାରିବା ଲକ୍ଷ୍ୟରେ ରହିଛି ବିଜେପି । ବିଧାନସଭା ନିର୍ବାଚନରେ 20ଟି ଆସନ ଉପରେ ରଖିଛି ଫୋକସ । ଅଧିକ ପଢନ୍ତୁ...

ଉତ୍ତର ପ୍ରଦେଶ ପରେ କେରଳରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ)ର ସର୍ବାଧିକ ଶାଖା ରହିଛି । ବର୍ତ୍ତମାନ ୟୁପିରେ ତ ବିଜେପି ଶାସନ ଚାଲିଛି । କିନ୍ତୁ କେରଳରେ ବିଜେପିର ମାତ୍ର ଜଣେ ହିଁ ବିଧାୟକ ରହିଛନ୍ତି । 2016 ବିଧାନସଭା ନିର୍ବାଚନରେ ବିଜେପି କେରଳରେ ଏକମାତ୍ର ଆସନ ଜିତି ପ୍ରଥମ ଥର ପାଇଁ ଖାତା ଖୋଲିଥିଲା । କେରଳରେ 5 ହଜାରରୁ ଅଧିକ ଆରଏସଏସ ଶାଖାର ଉପସ୍ଥିତି ସତ୍ତ୍ବେ ବିଜେପି ପାଇଁ ଏହା ଭୋଟ୍ ଆଣିପାରିନାହିଁ । 2016 ମସିହା ଯାଏଁ କଂଗ୍ରେସ ବା ସିପିଏମର ଭୋଟ ବ୍ୟାଙ୍କ୍ ଉପରେ ବି ପ୍ରଭାବ ପକାଇପାରି ନ ଥିଲା ବିଜେପି ।

ତେବେ, ଏକ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି କେମିତି ତିଷ୍ଠି ରହିବାକୁ ହୁଏ, ତାହା ବିଜେପି 1980 ମସିହାରେ ପ୍ରତିଷ୍ଠା ହେବାଠାରୁ ଶିଖିପାରିଛି । ଭାରତୀୟ ଜନସଂଘ ଓ ଜନତା ପାର୍ଟିର ପୂର୍ବତନ କ୍ୟାଡରମାନଙ୍କ ଦ୍ବାରା ବିଜେପି ପ୍ରତିଷ୍ଠା ହେଲା ପରଠାରୁ ଦଳ ଦୃଢତାର ସହ ହିନ୍ଦୁତ୍ବ ଓ ଅନ୍ୟ ପ୍ରସଙ୍ଗରେ ନିଜର ବିଚାରଧାରା ବଜାୟ ରଖିଛିପାରିଛି । ପ୍ରତିକୂଳ ସମୟ ଦେଇ ଗତି କରିବା ସହ ଦେଶର ଅଧିକାଂଶ ରାଜ୍ୟରେ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇପାରିଛି ବିଜେପି ।

କେରଳରେ ବି ବିଜେପି ଧୈର୍ଯ୍ୟର ସହ ନିଜର ବିଚାରଧାରାରେ ବଜାୟ ରହି ଲଢେଇ ଜାରି ରଖିଛି । ପ୍ରତିକୂଳ ବାତାବରଣ ସତ୍ତ୍ବେ ବିଜେପିର ସଂଘର୍ଷ ଜାରି ରହିଛି । କେରଳରେ ଦେଶର ଅନେକ ସମାଜ ସଂସ୍କାର ଆନ୍ଦୋଳନ ଜନ୍ମ ନେଇଛି । କେରଳ ଏପରି ଏକ ରାଜ୍ୟ ଯେଉଁଠି ସାଧୁମାବେ ଦଳିତ ଉତଥାନ ଓ ବ୍ରାହ୍ମଣବାଦ ଉଚ୍ଛେଦ କଥା କହନ୍ତି । ଏସବୁ ପ୍ରସଙ୍ଗ ନେଇ ନିଜର କ୍ୟାଡର ବେଶ୍‌ ସୁଦୃଢ କରିପାରିଛି ବିଜେପି ।

ଏହି ନୂଆ ସାମର୍ଥ୍ୟ ନେଇ ବିଜେପି ଆଗାମୀ ବିଧାନସଭା ନିର୍ବାଚନରେ 20ଟି ଆସନରେ ପ୍ରମୁଖ ଦଳଗୁଡିକୁ କଡା ଟକ୍କର ଦେବା ପାଇଁ ଲକ୍ଷ୍ୟ ରଖିଛି । ଏଥିମଧ୍ୟରୁ ଅନ୍ତତଃ 5ଟି ଆସନ ଜିତିବା ପାଇଁ ଆଶା ରଖିଛି ଦଳ । କେରଳରେ 2006 ଯାଏଁ 140ଟି ବିଧାନସଭା ଆସନରୁ ଅଧିକାଂଶ ଆସନରେ ବିଜେପିର ହାରାହାରି ଭୋଟ ସଂଖ୍ୟା 5 ହଜାରରୁ 10 ହଜାର ଥିଲା । ଏଲଡିଏଫ ବା ୟୁଡିଏଫ ପରେ ବହୁ ପଛରେ ତୃତୀୟ ସ୍ଥାନରେ ହିଁ ବିଜେପି ସନ୍ତୁଷ୍ଟ ହୋଇଆସିଛି ।

ବିଗତ କିଛି ବିଧାନସଭାରେ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ବେ ବିଜେପି ଉଦାରବାଦୀ କେରଳରେ ଆଶା ହରାଇ ନାହିଁ । ବିଜେପି ଓ ଆରଏସଏସ ରାଜ୍ୟରେ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି । ଛୋଟ ଛୋଟ ଅଞ୍ଚଳରେ କଡା ଟକ୍କର ଦେବାର ମହତ୍ତ୍ବ ବୁଝିପାରିଛନ୍ତି । ଏସବୁ ଅଞ୍ଚଳରେ ଜାତି ଓ ସମ୍ପ୍ରଦାୟର ଶକ୍ତିସାମର୍ଥ୍ୟ ବୁଝିପାରିଛନ୍ତି ବିଜେପି ଓ ଆରଏସଏସ । ଏ କ୍ରମରେ କେରଳର କାସରଗଡ ଜିଲ୍ଲା ମଞ୍ଜେଶ୍ବରମ ଓ ଥିରୁଅନନ୍ତପୁରମର ନେମୋମ ଉପରେ ଫୋକସ୍ କରିଛି ବିଜେପି ।

ମଞ୍ଜେଶ୍ବରମ୍‌ରେ ଆଖିଦୃଶିଆ କନ୍ନଡ ବ୍ରାହ୍ମଣ ସମ୍ପ୍ରଦାୟ ବସବାସ କରନ୍ତି । ଐତିହାସିକ ଭାବେ ଏହି ସମ୍ପ୍ରଦାୟ ହିନ୍ଦୁତ୍ବ ବିଚାରଧାରାକୁ ସମର୍ଥନ କରିଆସିଛନ୍ତି । ଏହି ସମ୍ପ୍ରଦାୟ ସମ୍ପୃକ୍ତ ଅଞ୍ଚଳରେ ବିଜେପିର ଶକ୍ତି ବୃଦ୍ଧି କରିବାର ସହାୟକ ହୋଇଛି । ମାଙ୍ଗାଲୋରର ବ୍ୟବସାୟୀଙ୍କଠାରୁ ବ୍ୟାପକ ଆର୍ଥିକ ସହାୟତା ପାଇ ବିଜେପି କାସରଗଡରେ ପ୍ରାଧାନ୍ୟ ବିସ୍ତାର କରିଆସିଥିବା ଅନ୍ୟ ବଡ ଦଳଗୁଡିକୁ ଚ୍ୟାଲେଞ୍ଜ କରିପାରିବା ସ୍ଥିତିରେ ରହିଛି ।

କିନ୍ତୁ ଏହି ଆସନରେ ବିଜୟୀ ହୋଇପାରିନାହିଁ ବିଜେପି । କାସୋରଗଡରେ ମୁସଲିମଙ୍କ ସଂଖ୍ୟା ଅଧିକ, ଯେଉଁମାନେ କି କଂଗ୍ରେସ ନେତୃତ୍ବାଧିନ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟରେ ଅଂଶୀଦାର ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍‌ର ସମର୍ଥକ । ବିଜେପିର ଅଭିଯୋଗ ଯେ, ଗତ ବିଧାନସଭା ନିର୍ବାଚନରେ ଏଲଡିଏଫର ଛାମୁଆ ପାର୍ଟି ଥିବା ସିପିଏମ କ୍ୟାଡରଙ୍କ ଆଇୟୁଏମଏଲ ସପକ୍ଷରେ କ୍ରସ ଭୋଟିଂ ଯୋଗୁଁ ମଞ୍ଜେଶ୍ବରମ ଆସନରେ ଦଳ ଜିତିପାରି ନ ଥିଲା ।

ସେହିଭଳି ନେମୋମ ଅଞ୍ଚଳରେ ମଧ୍ୟ ଆରଏସଏସର ଭଲ ଉପସ୍ଥିତି ରହିଛି । ଏଠାରେ ହିନ୍ଦୁ ଭୋଟରଙ୍କ ସଂଖ୍ୟା ଅଧିକ । ଏଥିଯୋଗୁଁ ଏଠାରେ ବିଜେପିର ଶକ୍ତି ବୃଦ୍ଧି ଘଟିଛି । ଏହି ଆସନରେ ବିଜେପିର ପ୍ରଥମ ରାଜ୍ୟ ସଭାପତି ଓ. ରାଜଗୋପାଳ ଏକାଧିକ ଥର ପରାସ୍ତ ହୋଇଥିଲେ ମଧ୍ୟ ଆଶା ହରାଇ ନ ଥିଲା ଦଳ । ଶେଷରେ 2016 ବିଧାନସଭା ନିର୍ବାଚନରେ ନେମୋନ ଆସନରେ ବିଜୟର ସ୍ବାଦ ଚାଖିଥିଲା ବିଜେପି ।

ଏହି ଆସନରେ ରାଜଗୋପାଳ ବିଜୟୀ ହୋଇ ରାଜ୍ୟର ପ୍ରଥମ ବିଜେପି ବିଧାୟକ ଭାବେ ବିଧାନସଭାକୁ ଯାଇଥିଲେ । ନିକଟରେ ହୋଇଥିବା ସ୍ଥାନୀୟ ନିର୍ବାଚନରେ ଭୋଟିଂ ପ୍ୟାଟର୍ନ ଅନୁଧ୍ୟାନ କଲା ପରେ ଏଥର ବିଜେପି 20ଟି ବିଧାନସଭା ମଣ୍ଡଳୀ ଉପରେ ନିଜର ଫୋକସ୍ ରଖିଛି । ତ୍ରିଭେନ୍ଦ୍ରମ ,କୋଲାମ, ପାଲାକାଡ, ଥ୍ରିସୁର ଓ କାସାରଗଡରେ ଅନ୍ୟ ଦଳକୁ କଡା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି ବିଜେପି ।

କେରଳ ଭଳି ଏକ ଉଦାରବାଦୀ ରାଜ୍ୟରେ ସ୍ଥିତି ବଜାୟ ରଖିବା ପାଇଁ ବିଜେପି ପକ୍ଷରେ ସହଜ ହୋଇନାହିଁ । ଏବେ ବି ବିଜେପି ବିଚାରଧାରା ରାଜ୍ୟରେ ସେତେଟା ଗ୍ରହଣୀୟତା ହାସଲ କରିପାରିନାହିଁ । ଆରଏସଏସ ବିଚାରବାଦୀ ଏମ.ପି ପରମେଶ୍ବରନଙ୍କ ଭଳି କିଛି ବ୍ୟକ୍ତିବିଶେଷଙ୍କୁ ଛାଡିଦେଲେ ଆରଏସଏସ ବା ବିଜେପି ପାଇଁ କେରଳର ବୁଦ୍ଧିଜୀବୀ ଓ ରାଜନୈତିକ ମଞ୍ଚରେ ସ୍ଥାନ ସୃଷ୍ଟି ହୋଇପାରି ନାହିଁ ।

କେରଳରେ ସବୁ ଜାତି ପାଇଁ ସମାନ ଅଧିକାର, ଭୂ-ସଂସ୍କାର ଓ ମନ୍ଦିରରେ ସମସ୍ତଙ୍କର ଅଧିକାର ପ୍ରବେଶ ବଳି ସାମାଜିକ ଆନ୍ଦୋଳନ ବେଳେ ହିନ୍ଦୁତ୍ବ ସପକ୍ଷବାଦୀ ବିରୋଧୀ ପକ୍ଷରେ ହିଁ ରହିଥିଲେ । ଏପରିକି 1980 ମସିହାରେ ବିଜେପି ଗଠନ ହେଲା ପରେ ମଧ୍ୟ କେରଳରେ ଏହି ଦଳ ଆରଏସଏସ ଉପରେ ହିଁ ନିର୍ଭରଶୀଳ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟରେ ଧାର୍ମିକ ଧ୍ରୁବୀକରଣ ଓ 1992ରେ ବାବ୍ରୀ ମସଜିଦ ଭଙ୍ଗ ପରେ ଇସଲାମିକ କଠୋରପନ୍ଥୀ ବିଚାରଧାରାର ଅଭ୍ୟୁଦୟ ଦ୍ବାରା ବିଜେପିକୁ ଫାଇଦା ହୋଇଥିଲା ।

ରାଜନୈତିକ ଭାବେ ନିରପେକ୍ଷ ରହିଥିବା ହିନ୍ଦୁମାନଙ୍କ ମଧ୍ୟରେ ଅସୁରକ୍ଷିତ ମନୋଭାବ ପ୍ରକାଶ ପାଇଥିଲା । ଆଉ ଏହା ଦ୍ବାରା ବିଜେପିର ପ୍ରଭାବ ଟିକେ ବଢିବାରେ ଲାଗିଲା । ତେବେ, ଅନେକ ରାଜ୍ୟରେ କଂଗ୍ରେସର ପତନ, ବିଜେପିକୁ ସହାୟତା କଲା ଭଳି କେରଳରେ ବି ସେମିତି କିଛି ପରିସ୍ଥିତି ସୃଷ୍ଟି ହେବାର ଲାଗିଛି । ଏବେ କେରଳରେ କଂଗ୍ରେସର ପାରମ୍ପରିକ ସମର୍ଥକମାନେ ବିଜେପିକୁ ଆସିବା ଆରମ୍ଭ କରିଛନ୍ତି । ହିନ୍ଦୁତ୍ବ ବିଚାରଧାରାକୁ ସମର୍ଥନ କରୁଥିବା କଂଗ୍ରେସ ସମର୍ଥକମାନଙ୍କ ପକ୍ଷରେ ଧର୍ମରେ ବିଶ୍ବାସ କରୁ ନ ଥିବା ସିପିଏମ କେବେ ବି ଭଲ ବିକଳ୍ପ ହୋଇପାରିବ ନାହିଁ ।

ତେଣୁ ବିଜେପିକୁ ସେମାନେ ଅଧିକ ପସନ୍ଦ କରୁଛନ୍ତି । ଆଉ ବିଜେପି ବି ଏହାର ଫାଇଦା ରାଜନୈତିକ ଫାଇଦା ନେବା ପାଇଁ ପ୍ରୟାସରତ । କେନ୍ଦ୍ରରେ ବିଜେପିର ଅଭ୍ୟୁଦୟ ଓ ଅନେକ ରାଜ୍ୟରେ ଦଳର ରାଜନୈତିକ ପ୍ରାଧାନ୍ୟ କେରଳରେ ଏହାର କ୍ୟାଡର ବେଶ୍‌ ବୃଦ୍ଧି କରିବାରେ ସହାୟକ ହୋଇଛି । କେରଳ ପାଇଁ ଦିଲ୍ଲୀରେ ଏକ ପ୍ରୋପଗାଣ୍ଡା ଥିଙ୍କ୍ ଟ୍ୟାଙ୍କ୍ ଆଞ୍ଚଳିକ ଏଜେଣ୍ଡା ପ୍ରସ୍ତୁତ କରୁଛି । ତେଣୁ କେରଳରେ ବିଜେପିର ଅଭିବୃଦ୍ଧି ତ ନିଶ୍ଚିତ ହେଉଛି । ସୋସିଆଲ ମିଡିଆ ଜରିଆରେ ରାଜନୈତିକ ଏଜେଣ୍ଡାର ପ୍ରଚାର ମଧ୍ୟ ବିଜେପି ପାଇଁ ସହାୟକ ହେଉଛି ।

ନିକଟରେ ଅନୁଷ୍ଠିତ ସ୍ଥାନୀୟ ନିର୍ବାଚନରେ ବିଜେପି ଏଲଡିଏଫ ଓ ୟୁଡିଏଫଠାରୁ ଅନେକ ପଞ୍ଚାୟତ ଛଡାଇ ଆଣିବାରେ ସମର୍ଥ ହୋଇଛି । ଗ୍ରାମାଞ୍ଚଳ ପାଇଁ ବିଜେପିର ବିଶେଷ ରଣନୀତି ସ୍ଥାନୀୟ ନିର୍ବାଚନରେ ପ୍ରତିଫଳିତ ହୋଇଥିବା ମନେ କରାଯାଉଛି । ଆଗାମୀ ବିଧାନସଭା ନିର୍ବାଚନରେ ଯେ, ବିଜେପିର ଫୋକସ ଗ୍ରାମାଞ୍ଚଳରେ ବି ଅଧିକ ରହିବ, ତାହା ସ୍ପଷ୍ଟ ହୋଇଛି ।

ଏଲଡିଏଫ ବା ୟୁଡିଏଫ ଭଳି ରାଜନୈତିକ ଶକ୍ତି ଭାବେ ଉଭା ହେବା ପାଇଁ ବିଜେପିକୁ ହୁଏ ତ ଆହୁରି 10 ବର୍ଷ ଲାଗିଯାଇପାରେ । କିନ୍ତୁ ଧୀରେ ଧୀରେ ସେ ଆଡକୁ ଅଗ୍ରସର ହେବା ବିଜେପିର ଲକ୍ଷ୍ୟ ରହିଛି ।

ପ୍ରବୀଣ କେ. କୁମାର, ଇଟିଭି ଭାରତ, କେରଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.