ETV Bharat / bharat

ସ୍ବାଧୀନତା ଦିବସ ପୂର୍ବରୁ ଝାଡଖଣ୍ଡରେ ପୁଣି ନକ୍ସଲ ଆକ୍ରମଣ; ୨ ଯବାନ ଶହୀଦ

author img

By

Published : Aug 15, 2023, 8:53 AM IST

ଝାଡଖଣ୍ଡରେ ପୁଣି ନକ୍ସଲ ଆକ୍ରମଣ
ଝାଡଖଣ୍ଡରେ ପୁଣି ନକ୍ସଲ ଆକ୍ରମଣ

ସ୍ବାଧୀନତା ଦିବସ ପୂର୍ବରୁ ଝାଡ଼ଖଣ୍ଡରେ ପୁଣି ନକ୍ସଲଙ୍କ ଘାତକ ଆକ୍ରମଣ । ନକ୍ସଲ ଗୁଳିରେ ୨ ଯବାନ ଶହୀଦ । ଅଧିକ ପଢନ୍ତୁ

ରାଞ୍ଚି: ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଝାଡ଼ଖଣ୍ଡରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଚାଇବାସା ଜିଲ୍ଲାରେ ପୁଣି ରକ୍ତର ହୋଲି ଖେଳିଛନ୍ତି ଲାଲବାହିନୀ । ଗତକାଲି(ସୋମବାର) ବିଳମ୍ବିତ ରାତିରେ ଚାଇବସାରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଦୁର୍ଦ୍ଦାନ୍ତ ନକ୍ସଲ ମିସିର ବେସରା ସହ ଏନ୍‌କାଉଣ୍ଟରରେ ଝାଡ଼ଖଣ୍ଡ ଜାଗୁଆରର ଦୁଇ ଜଣ ଯବାନ ଶହୀଦ ହୋଇଯାଇଛନ୍ତି । ମୃତକ ହେଲେ ଇନ୍ସପେକ୍ଟର ଅମିତ ତିୱାରୀ ଓ ହାବିଲଦାର ଗୌତମ କୁମାର । ୪ ଦିନ ପୂର୍ବରୁ ସିଂହଭୂମ ଜିଲ୍ଲା କୋହ୍ଲାଣ ଜଙ୍ଗଲରେ ନକ୍ସଲ ଆକ୍ରମଣରେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ଶହୀଦ ହୋଇଥିଲେ ।

ସୂଚନା ଅନୁଯାୟୀ, ଗତକାଲି ଚାଇବାସା ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ନେଇ ଖବର ପାଇବା ପରେ ଝାଡ଼ଖଣ୍ଡ ଜଗୁଆରର ଏକ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଅପରେସନ ସାରି ଫେରୁଥିବା ବେଳେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ । ଏଥିରେ ଇନ୍ସପେକ୍ଟର ଅମିତ ତିୱାରୀ ଓ ହାବିଲଦାର ଗୌତମ କୁମାରଙ୍କ ଦେହରେ ଗୁଳି ବାଜିଥିଲା । ଦୁଇ ଜଣଯାକ ଘଟଣାସ୍ଥଳରେ ହିଁ ଶହୀଦ ହୋଇଯାଇଥିଲେ । ପୋଲିସ ପାଲଟା ଗୁଳି ଚାଳନା କରିବାରୁ ନକ୍ସଲମାନେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଫେରାର୍ ହୋଇଯାଇଥିଲେ ।

ଏହାମଧ୍ୟ ପଢନ୍ତୁ : ଝାଡ଼ଖଣ୍ଡରେ ପୋଲିସ ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟର: ଓଡ଼ିଆ ଯବାନ ଶହୀଦ

ଶହୀଦ ଇନ୍ସପେକ୍ଟରଙ୍କ ଘର ପଲାମୁ ଜିଲ୍ଲାରେ । ୩ ଦିନ ପୂର୍ବରୁ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଅମିତ ତିୱାରୀଙ୍କ ପରିବାରର ଅଧିକାଂଶ ସଦସ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ ଅଛନ୍ତି । ସେହିପରି ଶହୀଦ ହାବିଲଦାର ଗୌତମ କୁମାରଙ୍କ ପିତା ମଧ୍ୟ ପୋଲିସରେ ଥିଲେ । ପିତାଙ୍କ ମୃତ୍ୟୁ ପରେ ତାଙ୍କୁ ଅନୁକମ୍ପା ରୂପେ ଚାକିରି ମିଳିଥିଲା ।

ଝାଡ଼ଖଣ୍ଡ ଚାଇବାସାରେ ନକ୍ସଲଙ୍କ ତାଣ୍ଡବ ଜାରି ରହିଛି । ନିଜର ଉପସ୍ଥିତି ଜାହିର କରିବାରୁ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଭିଆଉଛନ୍ତି । ଏହାପୂର୍ବରୁ ଅଗଷ୍ଟ ୧୧ ତାରିଖ ଦିନ ଟୋଣ୍ଟୋ ଥାନା ଅନ୍ତର୍ଗତ କୋହ୍ଲାଣ ଜଙ୍ଗଲରେ ସୁରକ୍ଷାବଳ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀ ଦୁର୍ଦ୍ଦାନ୍ତ ନକ୍ସଲ ମିସିର ବେସରାର ବଙ୍କରକୁ ଠାବ କରି ଏହାକୁ କବ୍‌ଜା କରିନେଇଥିଲା । ଏହି ସମୟରେ ନକ୍ସଲମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ । ଏଥିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଓଡିଆ ଯବାନ ସୁଶାନ୍ତ ଖୁଣ୍ଟିଆ ଶହୀଦ ହୋଇଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.