ETV Bharat / bharat

Cyclone Biparjoy: ବ୍ୟାପକ କ୍ଷୟକ୍ଷତି ଆଶଙ୍କା, ଗୁଜୁରାଟ ଉପକୂଳରୁ 21ହଜାର ସ୍ଥାନାନ୍ତର

author img

By

Published : Jun 13, 2023, 5:45 PM IST

15 ତାରିଖ ସଂଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ କରିବ ବାତ୍ୟା ‘ବିପର୍ଯ୍ୟୟ’ । ପ୍ରବଳ କ୍ଷୟକ୍ଷତି ଆଶଙ୍କା । ଏବେ ସୁଦ୍ଧା ସ୍ଥାନାନ୍ତରିତ ହେଲେଣି 21 ହଜାର । ଅଧିକ ପଢନ୍ତୁ

Cyclone Biparjoy: ବ୍ୟାପକ କ୍ଷୟକ୍ଷତି ଆଶଙ୍କା, ଗୁଜୁରାଟ ଉପକୂଳରୁ 21 ହଜାର ସ୍ଥାନାନ୍ତର
Cyclone Biparjoy: ବ୍ୟାପକ କ୍ଷୟକ୍ଷତି ଆଶଙ୍କା, ଗୁଜୁରାଟ ଉପକୂଳରୁ 21 ହଜାର ସ୍ଥାନାନ୍ତର

ହାଇଦ୍ରାବାଦ: ଗୁଜୁରାଟ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ଘଟାଇପାରେ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ । ଗୁରୁବାର ସଂଧ୍ୟା ସୁଦ୍ଧା ଏହା ସ୍ଥଳଭାଗ ଅତିକ୍ରମ କରିପାରେ । ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ 150 କି.ମି କିମ୍ବା ତା ଠାରୁ ଅଧିକ ରହିବା ସହ ବର୍ଷା ପରିମାଣ ମଧ୍ୟ ଅଧିକ ରହିବ । ଏଥିପାଇଁ ମୁକାବିଲା ପ୍ରସ୍ତୁତି ମଧ୍ୟ ଜାରି ରହିଛି । ପ୍ରଭାବିତ ହେବାକୁ ଥିବା ଉପକୂଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ କରିବା ଉପରେ ଗୁଜୁରାଟ ସରକାର ଗୁରୁତ୍ବ ଦେଉଛନ୍ତି ।

ଏହି ମୁକାବିଲା ପ୍ରସ୍ତୁତିରେ କୋଷ୍ଟଗାର୍ଡ ମଧ୍ୟ ସାମିଲ ହୋଇଛି । ଏବେ ସୁଦ୍ଧା ଗୁଜୁରାଟ ଉପକୂଳର ବିଭିନ୍ନ ସ୍ଥାନରୁ ପ୍ରାୟ 21 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ କରାଯାଇ ସାରିଲାଣି । ଆଜି କୋଷ୍ଟଗାର୍ଡ ପକ୍ଷରୁ ମଧ୍ୟ ସମୁଦ୍ର ମଧ୍ୟରେ ଥିବା ଏକ ତୈଳ ଉତ୍ତୋଳନ କେନ୍ଦ୍ରରୁ 50 ଜଣଙ୍କୁ ସୁରକ୍ଷିତ । ଗୁଜୁରାଟର ଦ୍ୱାରକା ଉପକୂଳ ଠାରୁ 40 କିଲୋମିଟର ଦୂରରେ ଅବସ୍ଥିତ ଏକ ତୈଳ ଉତ୍ତୋଳନ କେନ୍ଦ୍ରରୁ 50 ରୁ ଅଧିକ କର୍ମଚାରୀଙ୍କୁ ସୁରକ୍ଷିତ ଏୟାରଲିଫ୍ଟ କରାଯାଇଥିବା କୋଷ୍ଟଗାର୍ଡ କହିଛି ।

ଗତକାଲି (ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏହି ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରିଥିବା ବେଳେ ଆଜି ଅପରାହ୍ନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଅନ୍ୟପଟେ ପଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବରୁ କହିସାରିଛି, ଏହି ବାତ୍ୟା ଅତି ଭୀଷଣ ବାତ୍ୟା ଆକାରରେ ଗୁଜୁରାଟ କଚ୍ଚ ଓ ସୌରାଷ୍ଟ୍ର ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ପବନର ବେଗ 125 ରୁ 150 କି.ମି ମଧ୍ୟରେ ରହିବ ।

ପ୍ରଭାବରେ ପ୍ରବଳ ବର୍ଷା ହେବାର ଆଶଙ୍କା ମଧ୍ୟ ରହିଛି । କଚ୍ଚ, ଦେବଭୂମି ଦ୍ବାରକା, ଜାମନଗର ଓ ପୋରବନ୍ଦର ଆଜି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବା ତାଲିକାରେ ରହିଛନ୍ତି । ଏହି ସ୍ଥାନମାନଙ୍କରେ 20 ସେଣ୍ଟିମିଟରରୁ ଅଧିକ ବର୍ଷା ମଧ୍ୟ ହୋଇପାରେ । ଯାହା ବାତ୍ୟା ପରବର୍ତ୍ତୀ ସମସ୍ୟାକୁ ବଢାଇବ । ଏହାର ପ୍ରଭାବରେ କଚ୍ଚା ଘର, ବଡ ବଡ ଗଛ, ବିଦ୍ୟୁତ ଖୁଣ୍ଟି ଆଦି ଭଙ୍ଗିବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ଉପକୂଳରେ କେହି କଚ୍ଚା ଘରେ ନରହି ସୁରକ୍ଷିତ ସ୍ଥାନକୁ ଚାଲିଯିବା ନେଇ ମଧ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ପରାମର୍ଶରେ କୁହାଯାଇଛି ।

ରାଜ୍ୟ ରିଲିଫ କମିଶନର ଆଲୋକ କୁମାର ପାଣ୍ଡେ ସୂଚନା ଅନୁସାରେ, ଉପକୂଳରୁ 10 କି.ମି ମଧ୍ୟରେ ଥିବା ଅସୁରକ୍ଷିତ ସ୍ଥାନରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି । ପଶ୍ଚିମ ରେଳ ଜୋନରେ ମୋଟ 50ଟି ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି । ଲୋକଙ୍କ ପାଇଁ ବାତ୍ୟା ସମ୍ପର୍କିତ ତଥ୍ୟ ପାଇଁ ସୂଚନା କେନ୍ଦ୍ର ଖୋଲାଯାଇଛି । ଗୁଜୁରାଟର କାଣ୍ଡଲା ପୋର୍ଟରେ 10 ନମ୍ବର ବିପଦ ସଙ୍କେତ ଜାରି କରାଯିବା ସହ ସମସ୍ତ ସିପିଂ ଅପରେସନ ବନ୍ଦ ରଖାଯାଇଛି । ସେହିପରି ମାଛ ଧରିବା ପାଇଁ କୌଣସି ବୋଟ ଏବେ ସମୁଦ୍ର ମଧ୍ୟରେ ନାହାନ୍ତି । ଯେଉଁମାନେ ଗଭୀର ସମୁଦ୍ରରେ ଥିଲେ ସେମାନେ ସୁରକ୍ଷିତ ଫେରି ଆସିଥିବା ମଧ୍ୟ ସ୍ଥାନୀୟ ପ୍ରଶାସନ କହିଛି । 15 ତାରିଖ (ଗୁରୁବାର) ସଂଧ୍ୟା ସୁଦ୍ଧା ଏହି ବାତ୍ୟା ଗୁଜୁରାଟର ସୌରାଷ୍ଟ୍ର ଓ କଚ୍ଚ ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.