ETV Bharat / bharat

AI Toolsର ଦୁରୂପଯୋଗ, ସମ୍ପର୍କୀୟଙ୍କ ସ୍ବରରେ ଟଙ୍କା ମାଗି ୨ ଲକ୍ଷ ଲୁଟିଲେ ସାଇବର ଠକ

author img

By

Published : Jul 28, 2023, 4:12 PM IST

Cyber thugs dupe man of Rs 2 lakh
Cyber thugs dupe man of Rs 2 lakh

ଠକେଇର ନୂଆ ପନ୍ଥା ଆପଣାଇଲେ ସାଇବର ଠକ । ସମ୍ପର୍କୀୟଙ୍କ ଭଏସରେ ଟଙ୍କା ମାଗି ଯୁବକଙ୍କଠୁ ଲୁଟିଲେ ୨ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

ସିମଲା: ମଣିଷର କାର୍ଯ୍ୟଶୈଳୀକୁ ସରଳ କରିବା ଲାଗି AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ବ୍ୟବହାର ହେଉଛି । ଏପଟେ ସାଇବର ଠକମାନେ ସମୟ ସହ ତାଳ ଦେଇ ଲୁଟର ନୂଆ ପନ୍ଥା ଆପଣାଉଛନ୍ତି । AI ଭଏସ କ୍ଲୋନିଂର ବ୍ୟବହାର କରି ଜଣେ ଯୁବକଙ୍କଠୁ ୨ ଲକ୍ଷ ଟଙ୍କା ଲୁଟିଛି ଦୁର୍ବୃତ୍ତ । ତେବେ ଏହି ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରି ଲୁଟେରା ଜଣକ ସମ୍ପର୍କୀୟଙ୍କ ଅବିକଳ ସ୍ବରରେ ଛଳନା ପୂର୍ବକ ଟଙ୍କା ମାଗି ଏହି ଲୁଟ୍‌ କରିଥିବା ଜଣାପଡ଼ିଛି । ହିମାଚଳ ପ୍ରଦେଶ ରାଜଧାନୀ ସିମଲାରେ ଘଟିଛି ଏପରି ଘଟଣା ।

ପୋଲିସର କହିବା ଅନୁସାରେ ସିମଲା ପନ୍ଥାଘାଟି ଅଧିବାସୀ ସଞ୍ଜୟଙ୍କୁ ଚଳିତ ମାସ ୨୪ ତାରିଖରେ ଏକ ଫୋନକଲ୍‌ ଆସିଥିଲା । ଏହି ଫୋନକଲ କରିଥିବା ବ୍ୟକ୍ତି ଜଣକ ହେଉଛି ଜଣେ ସାଇବର ଠକ । ଫୋନକଲ୍‌ ଜରିଆରେ ଠକ ଜଣକ ସଞ୍ଜୟଙ୍କ ସମ୍ପର୍କୀୟଙ୍କ ସ୍ବରରେ ଟଙ୍କା ମାଗିଥିଲେ । ଜଣେ ବନ୍ଧୁର ଚିକିତ୍ସା ପାଇଁ ଜରୁରୀକାଳୀନ ଭାବେ ଅର୍ଥର ଆବଶ୍ୟକତା ଅଛି ବୋଲି ସେ ସଞ୍ଜୟକୁ କହିଥିଲା । AI ଟେକ୍ନୋଲୋଜି ବ୍ୟବହାର କରିଥିବା ଠକର ସ୍ବର ଏତେ ଅବିକଳ ଥିଲା ଯେ ସଞ୍ଜୟ ଅତି ସହଜରେ ବିଶ୍ବାସ କରିନେଇଥିଲା । ଏହାପରେ ଠକ ଦେଇଥିବା ନମ୍ବରରେ ସଞ୍ଜୟ ସଙ୍ଗେସଙ୍ଗେ ପର୍ଯ୍ୟାୟ କ୍ରମେ ୨ ଲକ୍ଷ ଟଙ୍କା ପଠାଇଥିଲେ ।

ଏହା ବି ପଢନ୍ତୁ- କାଳ ହେଲା କ୍ରିପ୍ଟୋ କରେନ୍ସି ଲୋଭ, ଇଞ୍ଜିନିୟରଙ୍କଠାରୁ ଲୁଟିନେଲେ ୪୫ ଲକ୍ଷ ଟଙ୍କା

ପୋଲିସ ନିକଟରେ ଅଭିଯୋଗ କରି ସଞ୍ଜୟ କହିଛନ୍ତି, "ମୋତେ ଜୁଲାଇ ୨୪ରେ ଏକ ଫୋନକଲ୍‌ ଆସିଥିଲା । ଆଉ ଉକ୍ତ ଠକ ଜଣକ ମୋର ସମ୍ପର୍କୀୟ ବୋଲି ପରିଚୟ ଦେଇଥିଲା । ତା ସ୍ବର ଅବିକଳ ଥିବାରୁ ମୁଁ ସହଜରେ ବିଶ୍ବାସ କରିନେଇଥିଲି । ଠକ ଜଣକ ବନ୍ଧୁର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଥିବା କହିଥିଲା । ଏଥିଲାଗି ମୁଁ ସଙ୍ଗେ ସଙ୍ଗେ ୫୦ ହଜାର ଟଙ୍କା ପଠାଇଥିଲି । ଏହାପରେ ୧ ଲକ୍ଷ ୫୦ ହଜାର ଟଙ୍କା ପଠାଇଥିଲି । ଏହାପରେ ଗୁରୁବାର ମୁଁ ଲ୍ୟାଣ୍ଡ ନମ୍ବରରେ ଟଙ୍କା ଦେଇଥିବା ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲି । ଏହାପରେ ମୁଁ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଲି । ଏହାପରେ ସାଇବର ପୋଲିସରେ ମୁଁ ଅଭିଯୋଗ କରିଥିଲି ।"

ଛୋଟ ସିମଲା ପୋଲିସ ଷ୍ଟେସନକୁ ଏହି ଅଭିଯୋଗ ଆସିଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ବ୍ୟାଙ୍କ୍‌ ଓ କଲ୍‌ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରୁଛି । ଏନେଇ ଏସପି ସଞ୍ଜୀବ ଗାନ୍ଧୀ କହିଛନ୍ତି, "ସାଇବର ଠକମାନେ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (AI) ବ୍ୟବହାର କରି ଠକେଇ କରୁଛନ୍ତି । ଏହି ସମାନ ପଦ୍ଧତିରେ ଅଭିଯୋଗକାରୀ ୨ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । "

ସାଇବର ଠକେଇର ନୂଆ ପନ୍ଥା:- ସୂଚନା ଥାଉ କି ଏହି ସାଇବର ଠକମାନେ ପ୍ରଥମେ ୱାନ୍‌ ଟାଇମ୍‌ ପାସୱାର୍ଡ (OTP) ଓ ସୋସିଆଲ ମିଡିଆରେ ନକଲି ପ୍ରୋଫାଇଲ ତିଆରି କରି ଟଙ୍କା ଲୁଟ କରୁଥିଲେ । ହେଲେ ଏବେ ଠକମାନେ ଅଧିକ ସ୍ମାର୍ଟ ହୋଇ AIର ଦୁରୂପଯୋଗ କରୁଛନ୍ତି । ଜଣେ ବ୍ୟକ୍ତିଙ୍କ ସ୍ବରର କିଛି ଅଂଶକୁ ସଂଗ୍ରହ କରି AI ଭଏସ କ୍ଲୋନିଂର ବ୍ୟବହାର କରି ଏପରି ଠକେଇ କରୁଛନ୍ତି । ଏଣୁ ଏଭଳି କୌଣସି ଫୋନକଲ୍‌ ଆସିଲେ ସତର୍କ ରହିବାକୁ ସାଇବର ପୋଲିସ ଲୋକଙ୍କୁ ପରାମର୍ଶ ଦେଇଛି । ଟଙ୍କା ପଠାଇବା ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କ ସହିତ କ୍ରସ୍‌ ଚେକିଂ ପାଇଁ ଥରଟିଏ ଯୋଗାଯୋଗ କରନ୍ତୁ । ଯଦି ସାଇବର ଠକେଇର ଶିକାର ହେଉଛନ୍ତି, ତେବେ ସଙ୍ଗେ ସଙ୍ଗେ ନିକଟସ୍ଥ ସାଇବର ଥାନାରେ ଅଭିଯୋଗ କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.