ETV Bharat / state

କାଳ ହେଲା କ୍ରିପ୍ଟୋ କରେନ୍ସି ଲୋଭ, ଇଞ୍ଜିନିୟରଙ୍କଠାରୁ ଲୁଟିନେଲେ ୪୫ ଲକ୍ଷ ଟଙ୍କା

author img

By

Published : Jul 9, 2023, 3:43 PM IST

ସାଇବର ଲୁଟେରାଙ୍କ ମାୟା ଜାଲରେ ଦୁଇ ଯୁବ ଇଞ୍ଜିନିୟର । କ୍ରିପ୍ଟୋ କରେନ୍ସି ଲୋଭ ଦେଖାଇ ଖାଲି କରିଦେଲେ ଆକାଉଣ୍ଟ । ଉଭୟଙ୍କଠାରୁ ୪୫ ଲକ୍ଷ ଟଙ୍କା ଲୁଟ ହୋଇଥିବା କଟକ ସାଇବର ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

cyber crime
ସାଇବର ଅପରାଧ

ସାଇବର ଅପରାଧ

କଟକ: ବିଟ୍ କଏନ୍ କିଣିବା ଲୋଭରେ ଫସି ୪୫ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି ଦୁଇ ଆଇଟି ଯୁବକ । ଉଭୟ ଏକ ନକଲି ବିଟ୍ କଏନ୍ ୱେବସାଇଟ୍‌ରେ ଟଙ୍କା ଲଗାଇଥିବା ଏବଂ ଠକେଇର ଶିକାର ହୋଇଥିବା ନେଇ କଟକ କମିସନରେଟ ପୋଲିସର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁଯାୟୀ, କଟକ ସିଡିଏ ଓ ପୁରୀଘାଟ ଅଞ୍ଚଳରେ ରହୁଥିବା ଦୁଇ ଯୁବ ଇଞ୍ଜିନିୟରଙ୍କୁ ସାଇବର ଠକମାନେ ପ୍ରଥମେ ଟେଲିଗ୍ରାମ ଆପ୍‌ର ଏକ ଲିଙ୍କ୍‌ ପଠାଇଥିଲେ । ସେହି ଲିଙ୍କ୍‌ ଜରିଆରେ ଏକ ଓ୍ବେବସାଇଟରୁ ବିଟ୍ କଏନ୍ କିଣିବା ପାଇଁ ପ୍ରଲୋଭିତ କରାଇଥିଲେ । ଫଳ ସ୍ବରୂପ ଅଭିଯୋଗକାରୀ ଦୁଇ ଯୁବକ ଏଥିରେ ଟଙ୍କା ଲଗାଇଥିଲେ । ବଡ଼ କଥା ହେଉଛି କି ବିଟ୍ କଏନ୍ କାରବାର କରି ରାତାରାତି କୋଟିପତି ହେବା ସ୍ବପ୍ନ ଦେଖି ଉଭୟ ବ୍ୟାଙ୍କରୁ ବ୍ୟକ୍ତିଗତ ଋଣ କରି ଏହି ଟଙ୍କା ଲଗାଇଥିଲେ । ଉଭୟ ଟେଲିଗ୍ରାମ ଓ ହ୍ବାଟସଆପ୍ ଆକାଉଣ୍ଟ ଖୋଲିବା ପାଇଁ ସାଇବର ଅପରାଧୀମାନେ ଭର୍ଚୁଆଲ ଆକାଉଣ୍ଟ ଖୋଲିଥିବା ତଦନ୍ତରୁ ଜଣାପଡ଼ିଛି । ତେବେ ପୂର୍ବରୁ ମଧ୍ୟ ଅନେକ ସାଇବର ଘଟଣା ସମ୍ନାକୁ ଆସିଛି । ଯେଉଁଥିରେ ଲକ୍ଷଲକ୍ଷ ଟଙ୍କା ଲୁଟିଛନ୍ତି ଠକ । ଏପରି ସ୍ଥଳରେ ପୋଲିସ ବାରମ୍ବାର ଲୋକଙ୍କୁ ସଚେତନ କରିବା ସତ୍ତ୍ୱେ ଲୋକଙ୍କ ଚିନ୍ତାଧାରାରେ ଆସୁନି କୌଣସି ପରିବର୍ତ୍ତନ । ଯାହାକୁ ନେଇ ଏଭଳି ଠକାମୀର ଶିକାର ହେଉଛନ୍ତି । ଅନଲାଇନରେ ପ୍ରଲଭୋନ ଦେଖାଇବା ପାଇଁ ଏଭଳି ଠକମାନେ ଜଗି ବସିଛନ୍ତି । କିନ୍ତୁ ସାଧାରଣ ଲୋକମାନେ ତାହାକୁ ବୁଝି ନପାରି ଟଙ୍କା ନିବେଶ କରୁଛନ୍ତି ଏବଂ ଠକାମୀର ଶିକାର ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପାକିସ୍ତାନୀ ଏଜେଣ୍ଟଙ୍କୁ OTP ପଠାଇବା ଘଟଣା: ମିଳିଲା କୋଟିଏ ଟଙ୍କାର କ୍ରିପ୍ଟୋ କାରବାର ଲିଙ୍କ୍

ଏନେଇ ଆଡିସନାଲ ଡିସିପି କଟକ କହିଛନ୍ତି, " ଏହି ଘଟଣାକୁ ନେଇ ସାଇବର ଥାନାରେ ଦୁଇଟି ମାମଲା ହୋଇଛି । ଏଥିସହ ତଦନ୍ତ ଜାରି ରହିଛି । ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଟ୍ରାକ କରିବା ପାଇଁ ପୋଲିସ ସମସ୍ତ ପ୍ରକାର ଯୋଜନା ଜାରି ରଖିଛି ।" ପ୍ରକାଶ ଥାଉକି, ଏହା ପୂର୍ବରୁ କଟକର ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ଏଭଳି ସାଇବର ଠକେଇର ଶିକାର ହୋଇଥିଲେ । 20 ଲକ୍ଷ ଟଙ୍କା ସିଧାସଳଖ ତାଙ୍କର ବ୍ୟାଙ୍କ ଖାତାରୁ ଗାୟବ ହୋଇଯାଇଥିଲା । ଅନ୍‌ଲାଇନ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ଲୋକଙ୍କୁ ଭୁଆଁ ବୁଲାଇଥିଲେ । ଏହି ଘଟଣାର ମଧ୍ୟ ପୋଲିସ ଛାନଭିନ ଜାରି ରଖିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.