ETV Bharat / bharat

ଅକ୍ସିଜେନ ସିଲିଣ୍ଡର ମାସ୍କ ପିନ୍ଧି ବିଧାନସଭାରେ ପହଞ୍ଚିଲେ ବିଜେପି ବିଧାୟକ

author img

By

Published : Jan 16, 2023, 9:24 PM IST

ଅକ୍ସିଜେନ ସିଲିଣ୍ଡର ସହ ବିଧାନସଭାରେ ପହଞ୍ଚିଲେ ଦିଲ୍ଲୀ ବିଜେପି ବିଧାୟକ
ଅକ୍ସିଜେନ ସିଲିଣ୍ଡର ସହ ବିଧାନସଭାରେ ପହଞ୍ଚିଲେ ଦିଲ୍ଲୀ ବିଜେପି ବିଧାୟକ

ଦିଲ୍ଲୀ ପ୍ରଦୂଷଣ ନେଇ ଭିନ୍ନ ପ୍ରତିବାଦ । ଅକ୍ସିଜେନ ସିଲିଣ୍ଡର ମାସ୍କ ପିନ୍ଧି ବିଧାନସଭାରେ ପହଞ୍ଚିଲେ ଦିଲ୍ଲୀ ବିଜେପି ବିଧାୟକ । କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଲେ । ଅଧିକ ପଢନ୍ତୁ

ଅକ୍ସିଜେନ ସିଲିଣ୍ଡର ମାସ୍କ ପିନ୍ଧି ବିଧାନସଭାରେ ପହଞ୍ଚିଲେ ଦିଲ୍ଲୀ ବିଜେପି ବିଧାୟକ

ହାଇଦ୍ରାବାଦ: ବିଧାନସଭା ଅଧିବେଶନରେ ଅକ୍ସିଜେନ ମାସ୍କ ପିନ୍ଧି ପହଞ୍ଚିଲେ ବିଧାୟକ । ଏପରି କିଛି ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି । ବିଜେପି ବିଧାୟକମାନେ ଅକ୍ସିଜେନ ସିଲିଣ୍ଡର ସଲଗ୍ନ ମାସ୍କ ପିନ୍ଧି ଗୃହରେ ଅଭିନବ ପ୍ରତିବାଦ କରିଛନ୍ତି । ଦିଲ୍ଲୀରେ ଜାରି ରହିଥିବା ପ୍ରଦୂଷଣ ପାଇଁ କେଜ୍ରିଓ୍ବାଲ ସରକାରକୁ ଦାୟୀ କରି ସେମାନେ ଏହି ପ୍ରତିବାଦ କରିଛନ୍ତି । ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଲାଣି । କେଜ୍ରିଓ୍ବାଲ ସରକାର କୌଣସି ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ବା ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଇସ୍ତଫା ଦିଅନ୍ତୁ ବୋଲି ସେମାନେ ଦାବି ମଧ୍ୟ କରିଥିଲେ ।

ଆଜି ଠାରୁ ଦିଲ୍ଲୀ ବିଧାସନଭାରେ 3 ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ବିରୋଧୀ ବିଜେପି ବିଧାୟକମାନେ ଅକ୍ସିଜେନ ସିଲିଣ୍ଡର ମାସ୍କ ପିନ୍ଧି ଗୃହରେ ପ୍ରବେଶ କରିଥିଲେ । ପ୍ରଦୂଷଣରେ ରାଜଧାନୀ ଛଟପଟ ହେଉଥିବା ବେଳେ କେଜ୍ରିଓ୍ବାଲ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏପରି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ରାଜଧାନୀବାସୀଙ୍କୁ ଏପରି ଅକ୍ସିଜେନ ସହାୟତାରେ ବଞ୍ଚିବାକୁ ହେବ ବୋଲି ସେମାନେ ପ୍ରତିକାତ୍ମକ ଭାବେ ଦର୍ଶାଇଥିଲେ ।

ଆଜି ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ବିଜେପି ବିଧାୟକମାନେ ଅକ୍ସିଜେନ ସିଲିଣ୍ଡର ସହ ଗୃହରେ ପ୍ରବେଶ କରି ନାରାବାଜୀ କରିଥିଲେ । ଯାହାକୁ ନେଇ ବାଚସ୍ପତି ରାନନିବାସ ଗୋଏଲ ଅସନ୍ତୋଷ ପ୍ରକାଶ କରିବା ସହ ସିଲିଣ୍ଡର ଗୃହ ବାହାରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକମାନେ ବାଚସ୍ପତିଙ୍କ ନିର୍ଦ୍ଦେଶ ନମାନି ଗୃହରେ ହୋହାଲ୍ଲା କରିଥିଲେ । ପରେ ବାଚସ୍ପତିଙ୍କ ନିର୍ଦ୍ଦେଶରେ ମାର୍ଶଲମାନେ ଉକ୍ତ ସିଲିଣ୍ଡରଗୁଡିକୁ ବାହାରକୁ ନେବା ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆପ ବିଧାୟକ ସୌରଭ ଭରଦ୍ବାଜ ଉପରାଜ୍ୟପାଳ ବିନୟ ସକ୍ସେନା ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବାର ଅଭିଯୋଗ ଆଣିଥିଲେ । ଶାସକ ଆମ ଆଦମୀ ପାର୍ଟିର ବିଧାୟକମାନେ ଗୃହରେ ହୋହାଲ୍ଲା କରିବା ସହ ବିଜେପି ବିଧାୟକଙ୍କ ସହ ବିତର୍କ ହୋଇଥିଲା । ମାତ୍ର କେଇ ମିନିଟ ମଧ୍ୟରେ ଗୃହ ମୁଲତବୀ ହୋଇଥିଲା ।

ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବରେ ଶାସକ ଆମ ଆଦମୀ ପାର୍ଟିର ନେତାମାନେ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କ ବାସଭବନ ଅଭିମୁଖେ ଏକ ପଦଯାତ୍ରା କରିଥିଲେ । ଉପରାଜ୍ୟପାଳ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରି ବାଧା ସୃଷ୍ଟି କରୁଥିବା ନାରା ଦେଇଥିଲେ ଆପ ନେତା । ଦିଲ୍ଲୀର ସରକାରୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପାଇଁ ଫିନଲ୍ୟାଣ୍ଡ ପଠାଇବା ନିଷ୍ପତ୍ତିରେ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.