ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସିକ୍କିମ ମୁଖ୍ୟମନ୍ତ୍ରୀ, ସପ୍ତଦଶ କର୍ମାପାଙ୍କ ରାଜ୍ୟ ଗସ୍ତ ପାଇଁ ସହାୟତା ଲୋଡ଼ିଲେ

author img

By

Published : Aug 13, 2020, 1:28 PM IST

ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ତିକ୍ତତା ମଧ୍ୟରେ ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ସିକ୍କିମକୁ 17 ତମ କର୍ମମା ଓଗେନ୍ ଟ୍ରିନି ଡର୍ଜେଙ୍କ ଗସ୍ତକୁ ସହଜ କରିବାକୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସିକ୍କିମ ମୁଖ୍ୟମନ୍ତ୍ରୀ, ସପ୍ତଦଶ କର୍ମାପାଙ୍କ ରାଜ୍ୟ ଗସ୍ତ ପାଇଁ ସହାୟତା ଲୋଡ଼ିଲେ
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସିକ୍କିମ ମୁଖ୍ୟମନ୍ତ୍ରୀ, ସପ୍ତଦଶ କର୍ମାପାଙ୍କ ରାଜ୍ୟ ଗସ୍ତ ପାଇଁ ସହାୟତା ଲୋଡ଼ିଲେ

ବାସ୍ତବ ନିୟନ୍ତ୍ରଣ ରେଖାରେ ଚୀନ ସହିତ ମୁହାଁମୁହିଁ ସ୍ଥିତି ଲାଗି ରହିଥିବା ବେଳେ, 17ତମ କର୍ମାପା ଓଜେନ୍‌ ତ୍ରିନ୍‌ଲେ ଦର୍ଜେଙ୍କ ଭାରତ ପ୍ରତ୍ୟାବର୍ତ୍ତନରେ ସହାୟତା ପାଇଁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିକ୍କିମ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । 900 ବର୍ଷ ପୁରୁଣା ତିବ୍ବତୀୟ ବୌଦ୍ଧ ଧର୍ମର କର୍ମା କାଗ୍ୟୁ ବିଚାରଧାରାର 35 ବର୍ଷ ବୟସ୍କ କର୍ମାପା, ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ 2017ରୁ ଆମେରିକାରେ ରହିଆସୁଛନ୍ତି । ଅତୀତରେ ତାଙ୍କ କାର୍ଯ୍ୟାବଳୀର ଉଦ୍ଦେଶ୍ୟକୁ ନେଇ ସନ୍ଦେହରେ ଥିବା ଭାରତୀୟ ଅଧିକାରୀମାନେ ଏହା ଉପରେ ପ୍ରଶ୍ନ ଉଠାଇଥିଲେ ।

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସିକ୍କିମ ମୁଖ୍ୟମନ୍ତ୍ରୀ, ସପ୍ତଦଶ କର୍ମାପାଙ୍କ ରାଜ୍ୟ ଗସ୍ତ ପାଇଁ ସହାୟତା ଲୋଡ଼ିଲେ
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସିକ୍କିମ ମୁଖ୍ୟମନ୍ତ୍ରୀ, ସପ୍ତଦଶ କର୍ମାପାଙ୍କ ରାଜ୍ୟ ଗସ୍ତ ପାଇଁ ସହାୟତା ଲୋଡ଼ିଲେ

ଗଲୱାନରେ ସଂଘଟିତ ହିଂସାରେ 20 ଜଣ ଭାରତୀୟ ଯବାନଙ୍କ ପ୍ରାଣହାନି ପରେ ଭାରତ ଓ ଚୀନ ସଂପର୍କ ବିଗିଡ଼ିବାରେ ଲାଗିଛି ଏବଂ ଭାରତ ଏହାର ପ୍ରତିରକ୍ଷା ପ୍ରସ୍ତୁତିକୁ ଜୋରଦାର କରିଛି, ଚୀନ ସହ ବାଣିଜ୍ୟିକ ସଂପର୍କ ଛିନ୍ନ କରିବା ଦିଗରେ ବିଭିନ୍ନ ଘୋଷଣା କରିଛି, ରଣକୌଶଳ ଧାରାରେ ପରିବର୍ତ୍ତନ କରି ହଂକଂ ସଂପର୍କରେ ଖୋଲାଖୋଲି ଭାବେ ମତବ୍ୟକ୍ତ କରିଛି ଏବଂ ତିବ୍ବତ ଓ ତାଇୱାନ ପ୍ରତି ସହଯୋଗିତାରେ ସୁଧାର ଆଣିବାକୁ ମନସ୍ଥ କରିଛି । ଜୁଲାଇ 18 ତାରିଖରେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତାମାଙ୍ଗ ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠି ଏହାର ସମୟ ଦୃଷ୍ଟିରୁ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ । ତାମାଙ୍ଗ ତାଙ୍କ ଚିଠିରେ ଲେଖିଛନ୍ତି, “ଆପଣ ଜାଣନ୍ତି ଯେ, ସିକ୍କିମର ଭକ୍ତମାନେ ମାନନୀୟ 17ତମ କର୍ମାପା ଓଜେନ ତ୍ରିନଲେ ଦୋର୍ଜେଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇଁ ଇଚ୍ଛାପ୍ରକାଶ କରନ୍ତି । ତାଙ୍କର ଯଥାଶୀଘ୍ର ସିକ୍କିମ ଗସ୍ତକୁ ସବୁ ସିକ୍କିମବାସୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।”

2000 ମସିହାରେ 17ତମ କର୍ମାପା ତିବ୍ବତରୁ ନାଟକୀୟ ଢଙ୍ଗରେ ଖସି ଆସିବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀ ତାଙ୍କୁ ଭାରତରେ ରାଜନୈତିକ ଆଶ୍ରୟ ପ୍ରଦାନ କରିଥିଲେ । ସେ ‘ଚୀନର ଗୁପ୍ତଚର’ ବୋଲି ବିଭିନ୍ନ ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଅଭିଯୋଗ କରାଯିବା ପରେ, ତାଙ୍କ ଉପରେ କେତେକ କଟକଣା ଜାରି କରାଯାଇଥିଲା ଏବଂ ଏହି ସମୟ ଅତିବାହିତ ହେବା ପରେ ତାଙ୍କୁ ସିକ୍କିମ ସମେତ ଦେଶର ବିଭିନ୍ନ ସ୍ଥାନକୁ ଅବାଧରେ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ତାମାଙ୍ଗ ତାଙ୍କ ଚିଠିରେ ଲେଖିଛନ୍ତି, “ସୌଭାଗ୍ୟବଶତଃ, କେବଳ ରୁମଟେକ ବୌଦ୍ଧମଠ ପରିଦର୍ଶନ ବ୍ୟତୀତ, ଧର୍ମଗୁରୁଙ୍କ ଯାତାୟାତ ଉପରେ ଲାଗିଥିବା କଟକଣା 2018ରେ ପ୍ରତ୍ୟାହୃତ ହୋଇଥିଲା । ଆପଣଙ୍କ ସଦୟ ନେତୃତ୍ବ କାଳରେ 2018ରେ ଏହି ସବୁ ପ୍ରତିବନ୍ଧକ ପ୍ରତ୍ୟାହୃତ ହୋଇଥିବାରୁ ମୁଁ ଓ ମୋର ସାଥୀ ସିକ୍କିମବାସୀମାନେ ଆପଣଙ୍କ ପାଖରେ ଅତ୍ୟନ୍ତ କୃତଜ୍ଞ । ଏବେ, ସେମାନଙ୍କ ଇପ୍‌ସିତ ଆଧ୍ୟାତ୍ମିକ ଅଭିଳାଷ ପୂରଣ ନିମନ୍ତେ ଧର୍ମଗୁରୁଙ୍କ ଯଥାଶୀଘ୍ର ସିକ୍କିମ ପରିଦର୍ଶନ ପାଇଁ ତାଙ୍କ ଭକ୍ତମାନେ ମୋ ସରକାରକୁ ନିବେଦନ କରିଆସୁଛନ୍ତି ।”

ଉଭୟ ଦଲାଇ ଲାମା ଓ ଚୀନ୍‌, ଓଜେନ୍‌ ତ୍ରିନ୍‌ଲେ ଦର୍ଜେଙ୍କୁ 17ତମ କର୍ମାପା ରୂପରେ ସ୍ବୀକୃତି ପ୍ରଦାନ କରନ୍ତି । ବହୁ ବର୍ଷ ଧରି ଭାରତ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଥାୟେ ତ୍ରିନ୍‌ଲେ ଦର୍ଜେଙ୍କୁ ସ୍ବୀକୃତି ପ୍ରଦାନ କରିଆସିଥିଲା । କିନ୍ତୁ ଦଲାଇ ଲାମାଙ୍କ ପରବର୍ତ୍ତୀ ଦୃଶ୍ୟପଟ୍ଟରେ, ତିବ୍ବତରୁ ଆସି ବସବାସ କରୁଥିବା ପ୍ରବାସୀଙ୍କ ଉପରେ କର୍ମାପା ଲାମାଙ୍କର ହିଁ ପ୍ରଭାବ ରହିବ । ଅତୀତରେ, କର୍ମାପା କେନ୍ଦ୍ରୀୟ ତିବ୍ବତୀୟ ପ୍ରଶାସନ ଏବଂ ଚୀନ ବିରୋଧୀ ନେତାଙ୍କ ସହିତ ଗୋଟିଏ ମଞ୍ଚରେ ଏକାଠି ହୋଇ ଦଲାଇ ଲାମା ଏବଂ ତିବ୍ବତୀୟ ସଂଗ୍ରାମ ପ୍ରତି ତାଙ୍କ ସମର୍ଥନର ସୂଚନା ଦେଇଛନ୍ତି । ଧର୍ମଶାଳାରେ ସ୍ଥାପିତ ମୁଖ୍ୟାଳୟରୁ କାର୍ଯ୍ୟ କରୁଥିବା ନିର୍ବାସିତ ତିବ୍ବତୀୟ ସରକାର ମଧ୍ୟ 17ତମ କର୍ମାପାଙ୍କ ଉପରେ ସେମାନଙ୍କ ଆସ୍ଥାକୁ ସାର୍ବଜନୀନ ଭାବେ ସ୍ବୀକାର କରିଛନ୍ତି । ହେଲେ, 2018ରେ ଧର୍ମଶାଳାରେ ଆୟୋଜିତ ତିବ୍ବତୀୟ ବୌଦ୍ଧଧର୍ମର ଧାର୍ମିକ ସମ୍ମିଳନୀରେ କର୍ମାପା ଲାମା ଯୋଗ ଦେବାର ଆଶା କରାଯାଉଥିଲା ଏବଂ ସେବେଠାରୁ ତାଙ୍କପ୍ରତ୍ୟାବର୍ତ୍ତନ ସଂପର୍କିତ ସର୍ତ୍ତାବଳୀକୁ କେନ୍ଦ୍ର କରି ନୂଆଦିଲ୍ଲୀ ଓ ତାଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି । ନିଗ୍‌ମାପା ପରମ୍ପରାର ସପ୍ତମ ମୁଖ୍ୟ କାଥୋକ ଗେଟ୍‌ସେ ରିନ୍‌ପୋଚେଙ୍କ ମୃତ୍ୟୁ କାରଣରୁ ଏହି ସମ୍ମିଳନୀ ସ୍ଥଗିତ ରହିଥିଲା । ସେବେଠାରୁ କର୍ମାପାଙ୍କ ପ୍ରତ୍ୟାବର୍ତ୍ତନକୁ କେନ୍ଦ୍ର କରି ଅସମଞ୍ଜସ ସ୍ଥିତି ଲାଗି ରହିଛି ଏବଂ କର୍ମାପା ଲାମା ପ୍ରତ୍ୟାବର୍ତ୍ତନ ଲାଗି ଆବଶ୍ୟକ କାଗଜପତ୍ର ପାଇଁ ଆବେଦନ କରିନାହାନ୍ତି ବୋଲି ଭାରତୀୟ ଅଧିକାରୀମାନେ କହୁଥିବା ବେଳେ ସଂପ୍ରତି ଡୋମିନିକାନ ଗଣରାଜ୍ୟର ନାଗରିକତା ଗ୍ରହଣ କରିଥିବା କର୍ମାପା ଏହାକୁ ଅସ୍ବୀକାର କରୁଛନ୍ତି ।

ପୂର୍ବରୁ ଆୟୋଜିତ ଏକ ୱେବିନାରକୁ ସମ୍ବୋଧିତ କରି, ତିବ୍ବତୀୟ ବ୍ୟାପାରରେ ଭାରତ ସରକାରଙ୍କ ପରାମର୍ଶଦାତା ରୂପେ କାର୍ଯ୍ୟ କରିଥିବା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ- RAWର ପୂର୍ବତନ ସ୍ୱତନ୍ତ୍ର ସଚିବ ଅମିତାଭ ମାଥୁର କହିଥିଲେ, “ଭାରତରେ ସେମାନଙ୍କ ଦଲାଇ ଲାମାଙ୍କୁ ଅଧିଷ୍ଠିତ କରିବା ଲାଗି ଚୀନ ଅପେକ୍ଷା କରିଛି । ଏହା ଯେ କେବଳ ଦଲାଇ ଲାମାଙ୍କ ପସନ୍ଦ ଉପରେ ନିର୍ଭର କରେ, ସେ କଥା ଭାରତ ସ୍ପଷ୍ଟ ଭାବରେ କହିଦେବା ଉଚିତ । ଏହା ଫଳରେ ନିର୍ବାସିତ ତିବ୍ବତୀୟମାନେ ଆଶ୍ବସ୍ତ ହେବେ । ତାଙ୍କ ଇଚ୍ଛା ସଂପର୍କରେ ଜାଣିବା ଲାଗି ଭାରତ ତୁରନ୍ତ ତାଙ୍କ ପରାମର୍ଶ ନେବା ଉଚିତ ।” ଅଧିକନ୍ତୁ, ଭାରତ-ଚୀନ ସମ୍ବନ୍ଧ ଦୃଷ୍ଟିକୋଣରୁ ତିବ୍ବତ ସଂପର୍କରେ ମତବ୍ୟକ୍ତ କରି “ଦଲାଇ ଲାମା ରୂପେ ତାଙ୍କୁ ସ୍ବୀକୃତି ମିଳିସାରିଥିବା ଏବଂ ଧାର୍ମିକ ଗୋଷ୍ଠୀ ଓ ସଂପ୍ରଦାୟ ନିର୍ବିଶେଷରେ ତିବ୍ବତୀୟ ଜନମାନସରେ ସେ ସ୍ଥାନ ପାଇସାରିଥିବା ବେଳେ କର୍ମାପା ଲାମାଙ୍କ ଭାରତ ପ୍ରତ୍ୟାବର୍ତ୍ତନ ଏବଂ ଏଠାରେ ମୁକ୍ତ ଭାବରେ ରହିବା ପାଇଁ ଏକ ଅନୁକୂଳ ବାତାବରଣର” ଆବଶ୍ୟକତା ରହିଛି ବୋଲି ସେ ଯୁକ୍ତି ଦର୍ଶାଇଥିଲେ । ଇତ୍ୟବସରରେ, ସିକ୍କିମ ପରିଦର୍ଶନ ସହିତ ତାଙ୍କ ଭକ୍ତମାନଙ୍କୁ ଆଶୀର୍ବାଦ ଦେବା ସକାଶେ 17ତମ କର୍ମାପାଙ୍କୁନିବେଦନ କରି ତାମାଙ୍ଗଙ୍କ କ୍ୟାବିନେଟ୍‌ର ମନ୍ତ୍ରୀ ସୋନମ ଲାମା ଏକ ନିମନ୍ତ୍ରଣ ପତ୍ର ପଠାଇଥିବା ଜଣାଯାଇଛି ।

ସ୍ମିତା ଶର୍ମା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.