ETV Bharat / bharat

ରାତିରେ ୮ ବର୍ଷର ଝିଅକୁ ଟେକି ନେଇ ଦୁଷ୍କର୍ମ, ଧାନ ବିଲରୁ ଉଦ୍ଧାର

author img

By ETV Bharat Odisha Team

Published : Sep 7, 2023, 1:04 PM IST

କେରଳରେ ୮ ବର୍ଷର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ । ଧାନ ବିଲରୁ ପୀଡିତାଙ୍କୁ ଉଦ୍ଧାର କଲେ ଲୋକେ । ଅଧିକ ପଢନ୍ତୁ

କେରଳରେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ
କେରଳରେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ

ଥିରୁଅନନ୍ତପୁରମ: କେରଳରୁ ଏକ ଲୋମଟାଙ୍କୁରା କାଣ୍ଡ ସାମ୍ନାକୁ ଆସିଛି । ଏର୍ଣ୍ଣାକୁଲମ ଜିଲ୍ଲାର ଅଲୁଭା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରାଯାଇଛି । ନାବାଳିକା ରାତିରେ ନିଜ ବାପାମାଆ ସହ ଘରେ ଶୋଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଛି । ଦୁଷ୍କର୍ମ କରିବା ପରେ ଗାଁ ପାଖ ଏକ ଧାନବିଲରେ ମୁର୍ମୂଷୁ ଅବସ୍ଥାରେ ପୀଡିତାଙ୍କୁ ଛାଡି ଫେରାର୍ ହୋଇଯାଇଛି । ସକାଳେ ସ୍ଥାନୀୟ ଲୋକେ ବିଲରୁ ପୀଡିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ସୂଚନା ଅନୁଯାୟୀ, ୮ ବର୍ଷୀୟା ପୀଡିତାଙ୍କ ବାପାମାଆ ପ୍ରବାସୀ ଶ୍ରମିକ ଅଟନ୍ତି । ସେମାନେ ଅଲୁଭା ଅଞ୍ଚଳରେ ଆସି ବସବାସ କରୁଥିଲେ । ଗତକାଲି ରାତିରେ ସମସ୍ତେ ଖାଇପିଇ ଶୋଇଥିବା ବେଳେ ରାତି ପ୍ରାୟ ୨ଟା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘରେ ପଶି ଝିଅଟିକୁ ଉଠାଇ ନେଇଥିଲା । ହେଲେ ପାଖରେ ଶୋଇଥିବା ବାପାମାଆ ଏ ବିଷୟରେ ଜାଣିପାରି ନଥିଲେ । ଦୁର୍ବୃତ୍ତ ଜଣକ ନାବାଳିକାଙ୍କୁ ପାଖରେ ଏକ ଧାନବିଲକୁ ନେଇ ଦୁଷ୍କର୍ମ କରିଥିଲା ଏବଂ ଫେରାର୍ ହୋଇଯାଇଥିଲା । ଆଜି ସକାଳେ ସ୍ଥାନୀୟ ଲୋକେ ସେହି ବାଟ ଦେଇ ଯିବାବେଳେ ବିଲରେ ନାବାଳିକା ମୁର୍ମୂଷା ଅବସ୍ଥାରେ ପଡିଥିବାର ଦେଖିଥିଲେ ।

ଏହାମଧ୍ୟ ପଢନ୍ତୁ: Gurugram Gangraped: ନାବାଳିକାକୁ ଅପହରଣ ପରେ ରାତିସାରା ଗଣଦୁଷ୍କର୍ମ, ୫ ଅଭିଯୁକ୍ତ ଫେରାର୍

ପୀଡିତାଙ୍କୁ ଉଦ୍ଧାର କରାଯାଇ କାଲାମାସେରି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ତେବେ କିଏ ପିଲାଟିକୁ ଅପହରଣ କରି ନେଇଥିଲା ସେ ବାବଦରେ ଏ ଯାଏଁ କିଛି ଜଣାପଡିନି । ଏନେଇ ଥାନାରେ ଅଭିଯୋଗ ପରେ ଅଲୁଭା ପୋଲିସ ଛାନଭିନ୍ ଆରମ୍ଭ କରିଛି । ତେବେ ସନ୍ଦିଗ୍ଧ ସମ୍ପର୍କରେ ପୋଲିସ ହାତରେ କିଛି ସୁରାଗ ଲାଗିଥିବା କୁହାଯାଇଛି ।

କହିରଖୁଛୁ କି, ଦୁଇ ମାସ ପୂର୍ବରୁ ଏହି ଅଞ୍ଚଳରେ ଜଣେ ୫ ବର୍ଷୀୟା ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇଥିଲା । ଶିଶୁଟିର ଘର ବିହାର ରାଜ୍ୟରେ ହୋଇଥିବା ବେଳେ ବାପାମାଆ ଆସି ଅଲୁଭାରେ ରହୁଥିଲେ । କେହି ଜଣେ ଦୁର୍ବୃତ୍ତି ପିଲାଟିକୁ ଅପହରଣ କରି ଦୁଷ୍କର୍ମ କରିଥିଲା । ଗତକାଲି ହରିୟାଣାର ଗୁରୁଗ୍ରାମରେ ମଧ୍ୟ ଅନୁରୂପ ଘଟଣା ଘଟିଛି । ଜଣେ ନାବାଳିକା ନିଜ ଘରେ ସାନ ଭାଇ-ଭଉଣୀଙ୍କ ସହ ଶୋଇଥିବା ବେଳେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଛନ୍ତି । ଅଭିଯୁକ୍ତମାନେ ଫେରାର୍ ଥିବାବେଳେ ପୋଲିସ ଖୋଜାଖୋଜି ଚଳାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.