ETV Bharat / bharat

ହଷ୍ଟେଲରେ ତିଆରି କରୁଥିଲେ ବୋମା, ବିସ୍ଫୋରଣ ଘଟି ଛାତ୍ର ଗୁରୁତର

author img

By ETV Bharat Odisha Team

Published : Dec 14, 2023, 2:25 PM IST

Bomb Explosion In Hostel
ହଷ୍ଟେଲ ରୁମରେ ବୋମା ବିସ୍ଫୋରଣ

Bomb Explosion In Hostel: ହଷ୍ଟେଲ ରୁମରେ ବୋମା ତିଆରି କରୁଥିବା ବେଳେ ଘଟିଲା ବିସ୍ଫୋରଣ । ଜଣେ ଛାତ୍ର ଗୁରୁତର । ଅଧିକ ପଢନ୍ତୁ

ଲକ୍ଷ୍ନୌ: ହଷ୍ଟେଲ ରୁମରେ ବୋମା ତିଆରି କରୁଥିଲେ ଛାତ୍ର । ହଠାତ୍ ବୋମା ବିସ୍ଫୋରଣ ହେବାରୁ ଦୁଇ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବୁଧବାର ରାତିରେ ହଷ୍ଟେଲର ଗୋଟିଏ ରୁମରେ ଅଚାନକ ବିସ୍ଫୋରଣ ହୋଇଥିଲା । ଏଥିରେ ୨ ଜଣ ଛାତ୍ର ଗମ୍ଭୀର ଭାବେ ଆହତ ହୋଇଥିଲେ । ଜଣେ ଛାତ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଫେରାର୍ ହୋଇଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାରୁ ସେହି ଛାତ୍ର ଦ୍ବୟ ବୋମା ଭିଡୁଥିବା ବେଳେ ଏହା ବିସ୍ଫୋରଣ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ବୁଧବାର ରାତିରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟ ହଷ୍ଟେଲର ୬୮ ନମ୍ବର ରୁମରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଏହି ଶବ୍ଦ ଶୁଣି ଅନ୍ୟ ଛାତ୍ରମାନେ ସେଠାକୁ ଧାଇଁ ଆସିଥିଲେ । ରୁମକୁ ଯାଇ ଦେଖିବାରୁ ଚାରିଆଡେ ରକ୍ତ ଛିଟା ପଡିଥିଲା ଏବଂ ସେଠାରେ ପ୍ରଭାତ ଯାଦବ ନାମକ ଜଣେ ଛାତ୍ର ଯନ୍ତ୍ରଣାରେ ଛଟପଟ ହେଉଥିଲେ । ପ୍ରଭାତଙ୍କ ସହ ପ୍ରତ୍ୟୁଷ ନାମକ ଆଉ ଜଣେ ଛାତ୍ର ଥିଲେ । ସେ ସାମାନ୍ୟ ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ମାମଲାରେ ଆଉ ୨ ଗିରଫ, ଜଣେ ଏବେ ବି ଫେରାର୍‌

ବିସ୍ଫୋରଣରେ ପ୍ରଭାତଙ୍କ ହାତ ପାପୁଲି ଉଡି ଯାଇଥିଲା । ତାଙ୍କ ଛାତି ଏବଂ ପେଟରେ ଗଭୀର ଆଘାତ ଲାଗିଥିଲା । ହଷ୍ଟେଲର ଅନ୍ୟ ଛାତ୍ରମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଣୀ ନେହେରୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେପଟେ ଅନ୍ୟ ଛାତ୍ର ଜଣକ ଫେରାର୍ ହୋଇଯାଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ହଷ୍ଟେଲ ରୁମ ଯାଞ୍ଚ ବେଳେ ଏହାର କାନ୍ଥରେ ମାଂସ ଟୁକୁଡା ଲାଗିଥିବା ଦେଖିବାକୁ ମିଳିଥିଲା । ଛାନଭିନ ପରେ ଜଣାପଡିଥିଲା ଯେ, ସେହି ଦୁଇ ଛାତ୍ର ହଷ୍ଟେଲ ରୁମରେ ବୋମା ତିଆରି କରୁଥିଲେ । ବୋମା ଭିଡିବା ସମୟରେ ଅଚାନକ ବିସ୍ଫୋରଣ ହେବାରୁ ଦୁହେଁ ଆହତ ହୋଇଥିଲେ । ଏନେଇ ପୋଲିସ ସମ୍ପୃକ୍ତ ଦୁଇ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି । ଘଟଣାରେ ଅଧିକ ଖୋଳତାଡ କରାଯାଉଛି । ତେବେ ହଷ୍ଟେଲ ରୁମରେ ବୋମା ତିଆରି ଘଟଣା ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.