ETV Bharat / bharat

Naroda massacre: ପୂର୍ବତନ ବିଜେପି ବିଧାୟିକାଙ୍କ ସମେତ 69 ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

author img

By

Published : Apr 20, 2023, 8:02 PM IST

Naroda gav massacre: ନିର୍ଦ୍ଦୋଷରେ ସମସ୍ତ ଅଭିଯୁକ୍ତ ଖଲାସ
Naroda gav massacre: ନିର୍ଦ୍ଦୋଷରେ ସମସ୍ତ ଅଭିଯୁକ୍ତ ଖଲାସ

ବହୁଚର୍ଚ୍ଚତ ନାରୋଦା ଗଣହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବିଜେପି ପୂର୍ବତନ ବିଧାୟିକା ମାୟା କୋଦନାନୀ ଓ ବଜରଙ୍ଗ ଦଳ ନେତା ବାବୁ ବଜରଙ୍ଗୀଙ୍କ ସମେତ ସମସ୍ତ 69 ଅଭିଯୁକ୍ତ । 2002ରେ ଘଟିଥିଲା ଏହି ନରସଂହାର । ଅଧିକ ପଢନ୍ତୁ

ଅହମ୍ମଦାବାଦ: ବହୁଚର୍ଚ୍ଚିତ 2002 ନାରୋଦା ଗଣହତ୍ୟା ମାମଲାରେ ବିଜେପିର ପୂର୍ବତନ ବିଧାୟିକା ମାୟା କୋଦନାନୀଙ୍କ ସମେତ ସମସ୍ତ 69 ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଏହି ଘଟଣାରେ ବଜରଙ୍ଗ ଦଳର ପୂର୍ବତନ ନେତା ବାବୁ ବଜରଙ୍ଗୀ ମଧ୍ୟ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଥିଲେ । ଚଳିତ ମାସ 16 ତାରିଖରେ ଏହି ମାମଲାରେ ଶୁଣାଣି ଅହମ୍ମଦାବାଦର ପ୍ରିନ୍ସିପାଲ ଶେସନ ଜଜ୍‌ ଏକ.କେ ବକ୍ସିଙ୍କ କୋର୍ଟରେ ହୋଇଥିଲା । କୋର୍ଟ ଶୁଣାଣି ଶେଷ କରି ଆଜି(20 ତାରିଖ) ପାଇଁ କୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବା ପାଇଁ କହିଥିଲେ । ଆଜି ସମସ୍ତ 69 ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

2002 ଗୋଧ୍ରା କାଣ୍ଡ ବିରୋଧରେ ଅହମ୍ମଦାବାଦର ନାରୋଦାରେ ବିଶ୍ବ ହନ୍ଦୁ ପରିଷଦ ଏକ ପ୍ରତିବାଦ ସଭା ଆୟୋଜନ କରିଥିଲା । ଏଥିରେ ବିଶ୍ବ ହିନ୍ଦୁ ପରିଷଦ, ଭାରତୀୟ ଜନତା ପାର୍ଟି, ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଏକାଠି ହୋଇଥିଲେ । ଏଠାରେ ଏହି ଗଣହତ୍ୟା ଘଟିଥିଲା । ବିକ୍ଷୋଭରେ ହିଂସା ଘଟିବା ସହ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଏଥିରେ 11ଜଣ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ପ୍ରାଣ ହରାଇଥିଲେ ।

ବିଜେପି ନେତ୍ରୀ ମାୟା କୋଦନାନୀ ଓ ବଜରଙ୍ଗ ଦଳର ନେତା ବାବୁ ବଜରଙ୍ଗୀ ବିକ୍ଷୋଭ ପାଇଁ ଏକାଠି ହୋଇଥିବା ଲୋକଙ୍କୁ ଆକ୍ରମଣ ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଥିଲା । ଏହି ଭିଡ ହିଂସାରେ ଏକ ବିଲ୍ଡିଂରେ ନିଆଁ ଲାଗାଇ ଦିଆଯାଇଥିଲା । ଏଥିରେ 11ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ପ୍ରାଣ ହରାଇଥିଲେ । ବିଜେପି ନେତ୍ରୀ ମାୟା କୋଦନାନୀଙ୍କ ବିରୋଧରେ ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଷଡଯନ୍ତ୍ର କରିବା ଅଭିଯୋଗରେ ସଙ୍ଗୀନ ମାମଲା ରୁଜୁ ହୋଇଥିଲା । ଆଜି ଏହି ମାମଲାରେ ଅହମ୍ମଦାବାଦ ପ୍ରିନ୍ସିପାଲ ଶେସନ କୋର୍ଟ ରାୟ ପ୍ରକାଶ କରି ପ୍ରମୁଖ ଅଭିଯୁକ୍ତଙ୍କ ସହ ସମସ୍ତ 69 ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ।

2002ରେ ଗୋଧ୍ରାରେ ଅଯୋଧ୍ୟାରୁ ଫେରୁଥିବା 58 କରସେବକଙ୍କୁ ଏକ ଟ୍ରେନରେ ଜାଳି ଦେଇଥିଲେ ଦୁର୍ବୃତ୍ତ । ଏହି ବର୍ବର କାଣ୍ଡ ପରେ ରାଜ୍ୟରେ ହୋଇଥିବା ଦଙ୍ଗାରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଭିଯୁକ୍ତ ଭାବେ ତଦନ୍ତ ପରିସରକୁ ଆସିଥିଲେ । ପରେ ତାଙ୍କୁ ବିଭିନ୍ନ ତଳ କୋର୍ଟ ସହ ଗତବର୍ଷ(2022) ସର୍ବୋଚ୍ଚ କୋର୍ଟରୁ ମଧ୍ୟ କ୍ଲିନ୍‌ଚିଟ ମିଳିଛି । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ହିଂସାକୁ ପ୍ରୋତ୍ସାହିତ କରିବା ସହ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କ ପ୍ରତି ସାମ୍ପ୍ରଦାୟିକ ପକ୍ଷପାତ କରିଥିବା ଅଭିଯୋଗ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.