ETV Bharat / bharat

କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତାର ମୃତ୍ୟୁ, ଭାରତ ଆସିବା ପୂର୍ବରୁ ଥିଲା କିଡନୀ ସଂକ୍ରମିତ

author img

By

Published : Mar 27, 2023, 9:09 PM IST

ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତାର ଶାଶାର ମୃତ୍ୟୁ । ଭାରତ ଆସିବା ପୂର୍ବରୁ ତାର କିଡନୀ ସଂକ୍ରମିତ ଥିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

female Cheetah
female Cheetah

ଭୋପାଳ: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତା 'ଶାଶା' ମୃତ । ଆଫ୍ରିକାର ନାମିବ୍ୟାରୁ ଭାରତ ଆସିଥିବା ମୋଟ ୮ଟି ଚିତା ମଧ୍ୟରୁ ସୋମବାର ପ୍ରଥମ ଚିତାର ମୃତ୍ୟୁ ଘଟିଛି । ତେବେ ଭାରତ ଆସିବା ପୂର୍ବରୁ ଶାଶା କିଡନୀ ସଂକ୍ରମିତ ଥିବା ଜଣାପଡ଼ିଛି । କିଡନୀ ଅକାମି ହେବା ପରେ ସୋମବାର ସକାଳେ ତାର ମୃତ୍ୟୁ ଘଟିଥିବା ବନ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତାର ମୃତ୍ୟୁ
କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତାର ମୃତ୍ୟୁ

ଚଳିତ ବର୍ଷ ଜାନୁଆରୀ ମାସ ଆରମ୍ଭରୁ ସେ ଅସୁସ୍ଥ ହୋଇପଡ଼ିଥିଲା । ଏହାପରେ ବନ ବିଭାଗ ପକ୍ଷରୁ ତାର ଚିକିତ୍ସା ଆରମ୍ଭ ହୋଇଥିଲା । ଭୋପାଳର ଏକ ସ୍ବତନ୍ତ୍ର ଭେଟେରିନାରୀ ବିଶେଷଜ୍ଞମାନେ ଶାଶାକୁ ଚିକିତ୍ସା କରୁଥିଲେ । ହେଲେ ଶେଷରେ ଆଜି ଆଖି ବୁଜିଛି ଶାଶା । ସୂଚନା ଥାଉ କି ଗତବର୍ଷ ସେପ୍ଟେମ୍ବର ୧୭ ତାରିଖ ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଚିତାମାନଙ୍କୁ କୁନୋ ଜାତୀୟ ଉଦ୍ୟାନକୁ ଛାଡ଼ିଥିଲେ । ଏହି ୮ଟି ଚିତା ମଧ୍ୟରେ ୩ଟି ମାଈ ଚିତା ରହିଥିଲେ । ନାମିବ୍ୟାରୁ ଚିତାଙ୍କୁ ଆଣିବା ପରେ ଲଗାତର ଭାବେ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଥିଲା ।

ଏହା ବି ପଢନ୍ତୁ- ମହାଶିବରାତ୍ରୀରେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଲେ ୧୨ ଚିତା

ଏହି ସମୟରେ ଶାଶାର ଅସୁସ୍ଥତା ସମ୍ପର୍କରେ ଜାଣିବାକୁ ପାଇଥିଲେ ବିଶେଷଜ୍ଞ ଟିମ୍‌ । ଏହାପରେ ଶାଶାର ଅନେକ ଟେଷ୍ଟ କରାଯିବା ପରେ ସେ ଡିହାଇଡ୍ରେସନର ଶିକାର ହେବା ସହିତ କିଡନୀ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ସୋନାଗ୍ରାଫି ପାଇଁ ଭୋପାଳର ଏକ ସ୍ବତନ୍ତ୍ର ବିଶେଷଜ୍ଞ ଟିମକୁ ନିୟୋଜିତ କରାଯାଇଥିଲା ବୋଲି ଡିଏଫଓ ପ୍ରକାଶ କୁମାର ବର୍ମା ସୂଚନା ଦେଇଛନ୍ତି । ତେବେ୧୯୫୨ ମସିହାରେ ଭାରତରୁ ଚିତା ଲୋପ ପାଇଯାଇଥିବା ଘୋଷଣା କରାଯାଇଥିଲା । ଚିତା ପ୍ରକଳ୍ପ ଅଧୀନରେ ଆଫ୍ରିକାରୁ ଚିତାଙ୍କୁ ଅଣାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ୮ଟି ଚିତା ଆସିଥିବା ବେଳେ ଆସନ୍ତା ୫ ବର୍ଷରେ ପ୍ରାୟ ୧୦୦ରୁ ଅଧିକ ଚିତାଙ୍କୁ ଭାରତ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଗତ ଫେବୃଆରୀ ୧୮ ତାରିଖରେ ଆଉ ୧୨ଟି ଚିତା ଭାରତରେ ପହଞ୍ଚିଥିଲେ । ଏମାନଙ୍କ ମଧ୍ୟରୁ ୭ଟି ଅଣ୍ଡିରା ଓ ୫ଟି ମାଈ ଚିତା ରହିଥିଲେ । ପ୍ରଥମେ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଉଦ୍ୟାନରେ ଛଡ଼ାଯାଉଥିଲା । ତେବେ ଏହି ଚିତାମାନଙ୍କୁ ଉଦ୍ୟାନରେ ଛଡାଯିବା ଦ୍ବାରା ଏହା ଭାରତର ଉନ୍ମୁକ୍ତ ଜଙ୍ଗଲ ଓ ତୃଣଭୂମି ବାତାବରଣ ପୁନରୁଦ୍ଧାରରେ ସହାୟକ ହେବା ସହ ଜୈବ ବିବିଧତାର ସଂରକ୍ଷଣ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.