ଦେଓମାଳିରେ ଉଡ଼ିଲା ତିରଙ୍ଗା, ପାଳନ ହେଲା 'ଉତ୍କଳ ଦିବସ' - utkal divas in deomali

By ETV Bharat Odisha Team

Published : Apr 1, 2024, 11:05 PM IST

thumbnail

Utkal Divas In Deomali: କୋରାପୁଟ: ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି ପାଳନ ହେଲା 'ଉତ୍କଳ ଦିବସ' । କୋଟିଆରେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।  ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଓଡିଶା ଓ ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରେ ଓ ବିଶେଷ କରି କୋଟିଆ ଅଞ୍ଚଳରେ ଗତ କିଛିଦିନ ଧରି ଆନ୍ଧ୍ର ସରକାର ଅନୁପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳବାସୀଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ଆନ୍ଧ୍ରପ୍ରଦେଶକୁ କଡା ଜବାବ ଦେଇ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କିଛି ଯୁବକଙ୍କୁ ସାଥିରେ ନେଇ ଓଡ଼ିଶା ଓ ଆନ୍ଧ୍ର ସୀମାରେ କୋଟିଆ ନିକଟବର୍ତ୍ତୀ ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି ଉପରେ ଜାତୀୟ ପତାକା ଉତ୍ତୋଳନ କରି 'ଓଡିଶା ଦିବସ' ପାଳନ କରିଛନ୍ତି ।

ଏଥି ସହିତ କୋଟିଆ ଠାରେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମବାସୀଙ୍କ ଉପସ୍ଥିତିରେ 'ଓଡିଶା ଦିବସ'କୁ ପାଳନ କରାଯାଇଛି । କୋଟିଆବାସୀଙ୍କ ସହିତ ଯେ ଓଡ଼ିଶାବାସୀ ରହିଛନ୍ତି ଏବଂ କୋଟିଆ ଯେ ଓଡ଼ିଶାର ଏକ ଅଭିନ୍ନ ଅଙ୍ଗ ତାହା ସ୍ପଷ୍ଟ କରି ଦିଆଯାଇଛି । ସେହିପରି  କୋରାପୁଟ ସହରରେ ମଧ୍ୟ ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ କୋରାପୁଟ ଜିଲ୍ଳାପାଳ ଭି.କେ.ଭାସନ । ଜିଲ୍ଲାର ସୀମାରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ମିଳିଛି ।ତେବେ ସନ୍ଧ୍ୟାରେ ଜିଲ୍ଲା ସାଂସ୍କୃତିକ ପରିଷଦ ମଞ୍ଚରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ବିମୋହିତ କରିଥିଲା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.