ETV Bharat / state

ଉତ୍କଳ ଦିବସ ପାଳୁଛି ସ୍ୱାଭିମାନୀ ଓଡ଼ିଆ, ଆଜି ଗଠନ ହୋଇଥିଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ - Utkal Divas 2024

author img

By ETV Bharat Odisha Team

Published : Apr 1, 2024, 7:02 AM IST

Updated : Apr 1, 2024, 11:33 AM IST

Utkal Divas: ଆଜି 89ତମ ଉତ୍କଳ ଦିବସ ପାଳୁଛି ରାଜ୍ୟ । 1936 ମସିହା ଏପ୍ରିଲ 1 ତାରିଖରେ ଭାଷାଭିତ୍ତିରେ ଗଠନ ହୋଇଥିଲା ଓଡ଼ିଶା । ଅଧିକ ପଢନ୍ତୁ

Utkal Divas
Utkal Divas

ହାଇଦ୍ରାବାଦ: ଆଜି ଉତ୍କଳ ଦିବସ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୁରିଛି 88 ବର୍ଷ । 1936 ମସିହା ଏପ୍ରିଲ 1 ତାରିଖରେ ନୂଆ ପରିଚୟ ପାଇଥିଲା ଆମ ରାଜ୍ୟ । ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆଙ୍କ ପାଇଁ ଏହା ହେଉଛି ଗର୍ବ ଓ ଗୌରବର ଦିନ । ଆଜି ଉଜ୍ଜୀବିତ ହେଉଛି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତି । ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ । ଆଜିର ଦିନରେ ରାଜ୍ୟର ମାନ୍ୟତା ପାଇଥିଲା ଉତ୍କଳ । ନବ ଗଠିତ ରାଜ୍ୟ ଭାବେ ମାନଚିତ୍ରରେ ଶୋଭାମଣ୍ଡନ କରିଥିଲା ଓଡ଼ିଶା । ଆଜିର ଦିନରେ ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିବାରୁ ଏହି ସ୍ମୃତିକୁ ମନେରଖିବାକୁ ପ୍ରତିବର୍ଷ ଆଜିର ଦିନରେ ପାଳନ କରାଯାଏ ଉତ୍କଳ ଦିବସ ।

ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ବାଣିଜ୍ୟ ଓ ପର୍ଯ୍ୟଟନ ବେଶ ସ୍ୱତନ୍ତ୍ର । ଆମର ମନ୍ଦିରରେ କଳା, ଭାସ୍କର୍ଯ୍ୟ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । କୋଣାର୍କରୁ ନେଇ ଲିଙ୍ଗରାଜ ଓଡ଼ିଆର କାରୁକାର୍ଯ୍ୟର ଜ୍ୱଳନ୍ତ ଉଦାହରଣ । ଆମ ଜାତି ଲଢୁଆ ଜାତି । ଆମର ତ୍ୟାଗ, ବଳିଦାନ ଇତିହାସ ବିଦିତ । ଦେଶ ସ୍ୱାଧୀନତାରେ ପାଇକ ସଂଗ୍ରାମର ଭୂମିକା ସର୍ବଦା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ଓଡ଼ିଶା ଜାତିର ଅସ୍ମିତାର ସୁରକ୍ଷା ନେଇ ସଂଗ୍ରାମର କାହାଣୀ କୁହେ ଏହି ତାରିଖ । ଯାହାକୁ ନେଇ ପ୍ରତିଟି ସ୍ୱାଭିମାନୀ ଓଡ଼ିଆ ଗର୍ବ କରେ । ସେ ନଅଙ୍କ ଦୁର୍ଭିକ୍ଷ କଥା କୁହନ୍ତୁ କି ମହାବାତ୍ୟା ସବୁର ମୁକାବିଲା କରି ପୁଣି ଅଣ୍ଟା ସଳଖୀ ଛିଡା ହୋଇଛି ରାଜ୍ୟ ।

ଏହାମଧ୍ୟ ପଢନ୍ତୁ..ଆଦର୍ଶ ଆଚରଣ ବିଧି ପାଳନ ପୂର୍ବକ ମର୍ଯ୍ୟାଦାର ସହ ହେବ ଉତ୍କଳ ଦିବସ - Utkal Divas 2024

ପୂର୍ବରୁ ଉତ୍କଳ ଖଣ୍ଡବିଖଣ୍ଡିତ ହୋଇ ରହିଥିଲା । ସମ୍ୱଲପୁର ମଧ୍ୟପ୍ରଦେଶ ସହ ମିଶିଥିବା ବେଳେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ ଓ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ରହିଥିଲା । ତେବେ ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନ କରିବା ନିମନ୍ତେ ମଧୁସୂଦନ ଦାସ, ନୀଳକଣ୍ଠ ଦାସ, ରାଧାନାଥ ରାୟ, ଫକୀର ମୋହନ ସେନାପତି, କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଚେଷ୍ଠାରେ ଆନ୍ଦୋଳନ ତେଜିଥିଲା ।

ଏହି ବୀରପୁତ୍ରମାନଙ୍କ ଉଦ୍ୟମରେ ପ୍ରଥମେ 1903 ମସିହାରେ ଉତ୍କଳ ସମ୍ମିଳନୀ ଗଠନ ହୋଇଥିଲା । ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ମୁଖ୍ୟ ବିପ୍ଳବ ଉତ୍କଳ ସମ୍ମିଳନୀ ଗଠନ ଦିନଠାରୁ ତିନି ଦଶନ୍ଧି ଧରି ଲାଗି ରହିଥିଲା । ବୀରପୁତ୍ରମାନଙ୍କର ତ୍ୟାଗ ଓ ପ୍ରଚେଷ୍ଠାରେ ପ୍ରଥମେ 6ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ୱଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । 1950 ମସିହା ଜାନୁଆରୀ ମାସରେ ଓଡ଼ିଶାରେ ଆଉ 7ଟି ଜିଲ୍ଲା ଯୋଡି ହୋଇ ମୋଟ 13ଟି ଜିଲ୍ଲା ହୋଇଥିଲା । ଏହାପରେ 1992ରେ ମସିହାରେ ଓଡ଼ିଶାର 13ଟି ଜିଲ୍ଲାକୁ ପୁର୍ନବିଭାଜନ କରି 30 ଜିଲ୍ଲାରେ ବିଭକ୍ତ କରାଯାଇଥିଲା । ପ୍ରତିବର୍ଷ ଉତ୍କଳ ଦିବସ ପାଳନ ଅବସରରେ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 1, 2024, 11:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.